ରାମପୁର ଗାଆଁ ନିକଟରେ ଏକ ଛୋଟିଆ ଜଙ୍ଗଲ ଥାଏ । ସେହି ଜଙ୍ଗଲରେ ଗୋଟିଏ ହରିଣ ଏବଂ ଗୋଟିଏ କୁଆ ବାସ କରୁଥାଆନ୍ତି । ସେମାନଙ୍କ ମଧ୍ୟରେ ସଂପର୍କ ଏତେ ନିବିଡ ଥିଲା ଯେ, କେହି କାହାକୁ ପାଖଛଡା କରୁନଥାନ୍ତି । ଦିନେ ହରିଣକୁ ଦେଖି ଶୃଗାଳ ମନରେ ଲୋଭ ଜାତ ହେଲା । କେଉଁ ଉପାୟରେ ତାକୁ ମାରିବ ଚିନ୍ତା କଲା । ମନେ ମନେ ଭାବିଲା, ସତରେ ଏହି ହରିଣଟି କେତେ ହୃଷ୍ଟପୁଷ୍ଟ ଓ କୋମଳ ନହୋଇଛି । ଏହାର ମାଂସ କେତେ ସୁଆଦ ନ ଲାଗିବ! ଯେମିତି ହେଲେ ୟାକୁ ଦିନେ ମାରି ଖାଇବି ।
ଏହି କଥା ଚିନ୍ତା କରି ଶୃଗାଳ ହରିଣ ପାଖରେ ଯାଇ ପହଁଚିଲା ଓ ତାକୁ କହିଲା, “ହରିଣ ଭାଇ! ମୁଁ ତୁମ ସହିତ ବନ୍ଧୁତା କରିବାକୁ ଚାହୁଁଛି । ତୁମେ ଦୟାକରି ମୋର ବନ୍ଧୁତ୍ୱକୁ ଗ୍ରହଣ କରିବ ବୋଲି ମୋର ଆଶା । ମୋର ବିଶ୍ୱାସ ତୁମେ ମୋତେ କଦାପି ହତାଶ କରିବ ନାହିଁ ।” ଶୃଗାଳର କଥା ଶୁଣି ହରିଣଟି ପ୍ରଥମେ ହତ୍ବାକ୍ ହୋଇଗଲା । ସେ ପ୍ରଥମେ ଶୃଗାଳକୁ ପଚାରିଲା, “ଭାଇ! ତୁମେ ପ୍ରକୃତରେ କିଏ? ମୁଁ ତ ତୁମକୁ ଆଗରୁ କେବେ ଏଠାରେ ଦେଖି ନଥିଲି ।” ହରିଣର କଥା ଶୁଣି ଶୃଗାଳ କହିଲା, “ମୁଁ ହେଉଛି ଏକ ଶୃଗାଳ । ମୁଁ ମୋର ସମସ୍ତ ସଂପର୍କୀୟଙ୍କୁ ହରାଇ ଏହି ଜଙ୍ଗଲରେ ଏକାକୀ ବାସ କରୁଛି । ଏଠାରେ କେହି ନାହାଁନ୍ତି ମୋର ସୁଖ ଦୁଃଖରେ ଭାଗୀଦାର ହେବାପାଇଁ । ପ୍ରକୃତରେ ମୁଁ ଏକ ହତଭାଗ୍ୟ ପଶୁ । ଏହି ଜଙ୍ଗଲରେ ମୁଁ ଏକାକୀ କିପରି ବାସ କରିବି? ସଂସାରରେ ଆଜି ପର୍ଯ୍ୟନ୍ତ କେହି ଏକାକୀ ବାସ କରିପାରିନାହାଁନ୍ତି । ମୁଁ ତ ଛାର ଏକ ପଶୁ । ଦିନେ ନା ଦିନେ ଜଣେ ଅନ୍ୟ ଜଣଙ୍କର ସାହାଯ୍ୟ ଲୋଡିଥାଏ । ମୁଁ ତୁମର ବନ୍ଧୁ ହେବାକୁ ନିଜକୁ ଉପଯୁକ୍ତ ମନେ କରୁଛି ଏବଂ ତୁମର ସୁଖ ଦୁଃଖରେ ଭାଗୀଦାର ହେବାକୁ ଚାହୁଁଛି ।” ଏହା କହି ଶୃଗାଳ କହିଲା, “କ’ଣ ହରିଣ ଭାଇ ମୁଁ ଯାହା କହୁଛି କ’ଣ ଠିକ୍ କହୁନି ।” ଶୃଗାଳର କଥା ଶୁଣି ହରିଣ ସଂଗେ ସଂଗେ ତା’ କଥାରେ ରାଜି ହୋଇଗଲା ।