ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବନ୍ଧୁମିଳନ

                ପରଦିନ ଶ୍ରୀଧର ପୁଣି ନାରାୟଣଙ୍କ ପାଖରେ ଯାଇ ପହଁଚିଲେ । ସେତେବେଳେ ନାରାୟଣଙ୍କ ପାଖରେ ଆଉ ଜଣେ କିଏ ବସିଥିଲେ । ନାରାୟଣ ଶ୍ରୀଧରଙ୍କୁ ସେହି ବ୍ୟକ୍ତିଙ୍କର ପରିଚୟ ଦେବାକୁ ଯାଇ କହିଲେ, “ଏହାଙ୍କର ନାମ ଘନଶ୍ୟାମ, ଆମ ଗ୍ରାମର ଧନୀ ବ୍ୟବସାୟୀ; ସେ ମୋ ଘରକୁ ପ୍ରାୟ ପ୍ରତିଦିନ ଆସନ୍ତି । କିଛି ସମୟ ଏଠାରେ ବସି କଥାବାର୍ତ୍ତା କଲେ ସେ ଶାନ୍ତି ପାଆନ୍ତି ।”

                ଘନଶ୍ୟାମ ଥରେ ଶ୍ରୀଧରଙ୍କ ଆଡେ ଚାହିଁ ନାରାୟଣଙ୍କୁ କହିଲେ, “ଆଶ୍ଚର୍ଯ୍ୟ କଥା! ତୁମେ ଏପରି ଲୋକଙ୍କ ସହିତ ବନ୍ଧୁତା କରୁଛ? ଇଏତ ମୁଲିଆ ପରି ଦେଖାଯାଉଛନ୍ତି ।” ନାରାୟଣ କହିଲେ, “ଆପଣ କଣ କହୁଛନ୍ତି? ଏହାଙ୍କ ନାମ ଶ୍ରୀଧର । ପିଲାବେଳେ ଆମେ ଗୋଟିଏ ପାଠଶାଳାରେ ପଢିଥିଲୁ । ଖାଲି ସେହି ସମ୍ପର୍କ ଯୋଗୁଁ ସେ ବରାବର ମୋ ଘରକୁ ଯିବା ଆସିବା କରନ୍ତି । ଅଥଚ ଆପଣ ତାଙ୍କୁ ସାଧାରଣ ମୂଲିଆ ବୋଲି କହୁଛନ୍ତି?” ଘନଶ୍ୟାମ କହିଲେ, “କାଲି ରାତିରେ ଦୋକାନ ବନ୍ଦକରିବା ସମୟରେ କୌଣସି ଶ୍ରମିକର ଅପେକ୍ଷାରେ ମୁଁ ଥିଲି । ଦୁଇଟି ଆମ୍ବବସ୍ତା ଘରକୁ ନେଇ ଯିବାର ଥିଲା । ମୁଁ ଦେଖିଲି ଏହି ବ୍ୟକ୍ତି ଗୋଟିଏ ବଡ ବସ୍ତା ନେଇ ଯାଉଛନ୍ତି । ମୁଁ ତାଙ୍କୁ କହିଲି ଯେ ସେ ସେହି ବସ୍ତା ପକାଇ ଦେଇ ଆସି ମୋ ବସ୍ତା ଯେପରି ଉଠାଇ ନିଅନ୍ତି । ସେ କେବଳ ମୋତେ ଦେଖି ଖାଲି ହସିଦେଲେ ଓ ସେଠାରୁ ଚାଲିଗଲେ । ସେଥିପାଇଁତ ମୁଁ ୟାଙ୍କୁ ଚଟକରି ଚିହ୍ନିଗଲି ।”

                ଘନଶ୍ୟାମଙ୍କ କଥା ତାଙ୍କୁ ବଡ ଅପମାନଜନକ ଲାଗିଲା । ସେ ରାଗିଯାଇ ଶ୍ରୀଧରକୁ କହିଲେ, “ଏପରି ଛୋଟ କାମ କରିବା ଦ୍ୱାରା ତୁମକୁ ଲଜ୍ଜା ହୁଏନାହିଁ? ମୋତେ ମାଗିଥିଲେ ତ ମୁଁ ତୁମକୁ ଦଶ କୋଡିଏ ଟଙ୍କା ଦେଇ ଦେଇଥାଆନ୍ତି! ହେଲେ ତୁମେ ଏପରି ବୋଝ ମୁଣ୍ଡେଇ ଯିବାର କ’ଣ ବା ଆବଶ୍ୟକତା ଥିଲା? ମୋତେ ଏହା ବଡ ଅପମାନ ହୋଇଛି ଯେ ଜଣେ ବୋଝ ବୋହିବା ଶ୍ରମିକ ପୁଣି ମୋର ବନ୍ଧୁ । ଏବେ ଭଲକରି ମନ ଦେଇଶୁଣ । ଆଉ ଭବିଷ୍ୟତରେ କେବେବି ମୋ ଘରକୁ ଆସିବ ନାହିଁ କି ମୋ ଇଜ୍ଜତକୁ ଏମିତି ମାଟିରେ ମିଶେଇ ଦେବ ନାହିଁ ।”

                ନାରାୟଣଙ୍କର କଥାଶୁଣି ଶ୍ରୀଧର ହସି କହିଲେ, “କଣ କରିବି? ସେହି ବୋଝ ମୋତେ ବୋହିବାକୁ ପଡିଲା । ତଦ୍ୱାରା ମୁଁ ତୁମ ଇଜ୍ଜତ ମାଟିରେ ମିଶେଇ ନଥିଲି ଅନ୍ୟ ପକ୍ଷରେ ରକ୍ଷା କରିଥିଲି । ବୋଝଟି ପରା ତୁମେ ହିଁ ଥିଲ ।”

                ଶ୍ରୀଧରଙ୍କ ଏଭଳି ଉତ୍ତରଶୁଣି ନାରାୟଣ ହଠାତ୍ ରାଗିଯାଇ ଚିତ୍କାର କରି କହିଲେ, “କଣ କହୁଛ? ବୋଝଟି ମୁଁ ଥିଲି?” “ଆରେ ଏତେ କାହିଁକି ରାଗୁଛ? ମୋ କଥା ମନ ଦେଇ ଶୁଣ । କାଲି ମୁଁ ଯେତେବେଳେ ମୋ ନିଜ ଗ୍ରାମକୁ ଫେରୁଥିଲି ସେତେବେଳେ ତମେ ଜମିଦାରଙ୍କ ଘର ବାହାରକୁ ଆସି ରାସ୍ତାରେ ମୂର୍ଚ୍ଛା ହୋଇଗଲ । ମୁଁ ଭାବିଲି ଏପରି ଅବସ୍ଥାରେ ତୁମକୁ କେହି ଦେଖିଲେ ତୁମର ଇଜ୍ଜତ ମାଟିରେ ମିଶିଯିବ । ମୋ ପାଖରେ ଗୋଟାଏ ଖାଲି ବସ୍ତା ଥିଲା । ତୁମକୁ ସେଥିରେ ପୁରାଇ ବୋହି ଆଣି ତୁମ ଘରେ ଛାଡିଲି । ସେତିକିବେଳେ ଘନଶ୍ୟାମ ମୋତେ ଦେଖିଥିଲା । ମୁଁ ତ ଏହି ଗ୍ରାମ ପାଇଁ ସମ୍ପୂର୍ଣ୍ଣ ନୂଆ । ମୋର ନିଜର ଲଜ୍ଜା ରକ୍ଷା କରିବା ଏଠାରେ ଦରକାର ନାହିଁ । ତୁମର ଇଜ୍ଜତ ରକ୍ଷା କରିବାକୁ ମୁଁ ସେପରି କରିଥିଲି ।”

                ଠିକ୍ ସେତିକିବେଳେ ନାରାୟଣଙ୍କ ପତ୍ନୀ ମନ୍ଦିରରୁ ଆସି ସେଠାରେ ପହଁଚିଲେ । ସେ ଶ୍ରୀଧରଙ୍କ କଥା ଶୁଣି କହିଲେ, “ହଁ ଶ୍ରୀଧର ଭାଇ ଯାହା କହୁଛନ୍ତି ତାହା ଠିକ୍ । ଠିକ୍ ସମୟରେ ସେ ସେଠାରେ ନଥିଲେ ତୁମ ଅବସ୍ଥା ଆଜି କଣ ଯେ ହୋଇଥାଆନ୍ତା? ମୁଁ ତୁମକୁ ଜଗିକରି ରାତିସାରା ବସିଛି । ଏବେ ସକାଳୁ ମନ୍ଦିରକୁ ଯାଇ ପୂଜା କରି ଫେରିଲି, ତୁମ ନାମରେ ପୂଜା ଦେଲି । ଆମେ ଶ୍ରୀଧର ଭାଇଙ୍କ ପାଖରେ ଋଣୀ । ଗତ ରାତି କଥା ଅନ୍ୟମାନେ ଜାଣିଲେ ତୁମକୁ ହସି ଉଡାନ୍ତେ, ଜମିଦାରଙ୍କୁ ମଧ୍ୟ ସମାଲୋଚନା କରନ୍ତେ । ଶ୍ରୀଧର ଭାଇ ଯୋଗୁଁ ସମସ୍ତେ ରକ୍ଷା ପାଇଗଲେ ।”

                ସେତେବେଳେ ନାରାୟଣ ସବୁକଥା ବୁଝିଯାଇ କହିଲେ, “ମିତ୍ର, ମୋତେ ମୋ ଅହଙ୍କାରର ଫଳ ମିଳିଯାଇଛି, ମୁଁ ସେଥିପାଇଁ ଏବେ ପ୍ରାୟଶ୍ଚିତ କରିବି । ତୁମେ ନିଜ ଇଜ୍ଜତ ପାଣିରେ ପକାଇ ମୋ ଇଜ୍ଜତକୁ ରକ୍ଷା କଲ । ମୁଁ ତୁମ ପାଖରେ ଋଣୀ । ମୁଁ ଶପଥ କରୁଛି, ଭବିଷ୍ୟତରେ ଏପରି ଭୁଲ୍ ଆଉ କେବେବି କରିବି ନାହିଁ ।”

                ତା’ପରେ ସେ ଶ୍ରୀଧରକୁ ଆଲିଙ୍ଗନ କଲେ ଓ ସେହିଦିନହିଁ ଜମିଦାର ସହିତ କଥାବାର୍ତ୍ତା କରି ତାଙ୍କ କାମଟି କରାଇ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ