ଦରବାର ସରିଲାପରେ ରାଜା ତେନାଲୀରାମାଙ୍କୁ କହିଲେ “ଦେଖିଲ ତ’ ତେନାଲୀରାମା, ଆମ ମନ୍ତ୍ରୀ ମହାଶୟ କିପରି ନିଜର ପ୍ରଶଂସା କରୁଥିଲେ । ଦୁଇ ସପ୍ତାହରେ ସେ ବନ୍ୟା ପ୍ରପୀଡିତଙ୍କ ଦୁଃଖ ପୁରା ଦୂର କରିଦେଲେ ।” ତେନାଲୀରାମା କହିଲେ, “ମହାରାଜ! ଆପଣ ଯାହା କହୁଛନ୍ତି ତାହା ତ’ ଠିକ୍ । କିନ୍ତୁ ଆପଣ ନିଜେ ଯାଇ ଥରେ ଦେଖନ୍ତୁ, ବନ୍ୟା ପ୍ରପୀଡିତଙ୍କ ପାଇଁ ମନ୍ତ୍ରୀ କ’ଣ ସବୁ ବନ୍ଦୋବସ୍ତ କରି ଆସିଛନ୍ତି ।
ରାଜା ତେନାଲୀରାମାଙ୍କ କଥା ଶୁଣି ସଂଗେ ସଂଗେ ଖୁସିରେ ନିଜର ସମ୍ମତି ପ୍ରଦାନ କରିଦେଲେ । ତାପରେ ଦୁଇଦିନ ପାଇଁ ରାଜା ଓ ତେନାଲୀରାମା ଘୋଡା ଉପରେ ବସି ରାଜ୍ୟ ବାସୀଙ୍କ ଦୁଃଖ ଜାଣିବା ପାଇଁ ବାହାରିଲେ । ଯିବା ବାଟରେ ରାଜାଙ୍କର ବଗିଚା ପଡିଲା । ରାଜା ଦେଖିଲେ ବଗିଚା ମଧ୍ୟରୁ ଅଧିକାଂଶ ଗଛ କଟାଯାଇଛି । ରାଜା ପଚାରିଲେ, “ତେନାଲୀରାମା! ଏଇ ଗଛ ସବୁ ବଗିଚାରେ କିଏ କାଟିଛି?” ତହୁଁ ତେନାଲୀରାମା କହିଲେ, “ବୋଧହୁଏ ଅତ୍ୟଧିକ ପବନ ହେତୁ ବୃକ୍ଷ ଉପୁଡି ଯାଇଛି” ।
ଏହିପରି କଥା ହୋଇ ଉଭୟେ ଯାଇ ଏକ ଗ୍ରାମରେ ପହଁଚିଲେ । ସେ ଗ୍ରାମଟି ବନ୍ୟାଜଳ ଦ୍ୱାରା ସଂପୂର୍ଣ୍ଣ ଭାବରେ ଧୋଇ ହୋଇ ଯାଇଥାଏ । ତେଣୁ ସେଠାରେ କିଛି ଲୋକ ଗଛ ଉପରେ ମଂଚା ବାନ୍ଧି ବାସ କରୁଥାଆନ୍ତି । ସେମାନଙ୍କୁ ଦେଖିବା ମାତ୍ରକେ ତେନାଲୀରାମା ଅତ୍ୟନ୍ତ ଆଶ୍ଚର୍ଯ୍ୟର ସହିତ କହିଲେ, “ମହାରାଜ! ଦେଖନ୍ତୁ, ମନ୍ତ୍ରୀ ମହାଶୟ ଲୋକମାନଙ୍କୁ ଏମିତି ସ୍ଥାନରେ ଆଶ୍ରୟ ଦେଇଛନ୍ତି ଯେ – ଏହାଠାରୁ ବଡ ନିରାପଦ ସ୍ଥାନ ଆଉ କ’ଣ ଅଛି ।
ଲୋକମାନଙ୍କର ଏ ପ୍ରକାର ପରିସ୍ଥିତି ଦେଖି ରାଜା ଏବେ ଠିକ୍ ଜାଣିପାରିଲେ ଯେ, ମନ୍ତ୍ରୀ ଜନତାଙ୍କର ସେବା ନାମରେ ରାଜ କୋଷରୁ ଯେଉଁ ଅର୍ଥ ସବୁ ନେଇଥିଲେ, ସେ ସବୁକୁ ସେ ନିଜେ ଖର୍ଚ୍ଚ କରିଦେଇଛନ୍ତି ।
ରାଜା ଦରବାରକୁ ଫେରି ମନ୍ତ୍ରୀଙ୍କୁ ସଂଗେ ସଂଗେ ଡକାଇଲେ । ମନ୍ତ୍ରୀ ଆସି ପହଁଚିଲା ମାତ୍ରକେ ରାଜା ତାଙ୍କୁ କହିଲେ, “ଯେଉଁ ଅର୍ଥ ତୁମେ ରାଜ କୋଷରୁ ବନ୍ୟା ପୀଡିତ ଜନତାଙ୍କର ସହାୟତା କରିବାପାଇଁ ନେଇଥିଲ, ତୁମେ ଯେପରି ସେମାନଙ୍କର ସହାୟତା କଲ ତାହା ମୁଁ ଠିକ୍ ଜାଣିପାରୁଛି । ଏଥର ତୁମର କାର୍ଯ୍ୟକୁ ତେନାଲୀରାମା ହିଁ ତଦାରଖ କରିବେ ।