ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବର୍ଷା ରାତିର ଚୋର

                ଜଣେ ସିପାହୀ କଟାରୀ ଧରି ସଲୀମ୍ର ହାତ ହାଣିବାକୁ ଯାଉଛି, ଠିକ୍ ସେତିକିବେଳେ ଜଣେ ଯୁବତୀ ଦୌଡି ଆସି କହିଲା, “ବନ୍ଦ କର, ଯଦି ଆଇନ୍ର ନିୟମ ଏପରି ତେବେ ମୋ ହାତ ବରଂ କାଟି ଦିଅନ୍ତୁ, କିନ୍ତୁ ତାକୁ ଛାଡି ଦିଅନ୍ତୁ । ସେ ମିଛ କଥା କହୁଛି ।”

                ଅମୀରଙ୍କ ଆଦେଶରେ ଦଣ୍ଡ ଦେବା ସ୍ଥଗିତ ରହିଲା । ତା’ପରେ ଅମୀର ସେ ଯୁବତୀକୁ କହିଲେ, “ତମେ ତା’ହେଲେ ସତ କଥା କ’ଣ କହି ପାରିବ?”

                ଯୁବତୀଟି ନିଜ ଆଖିରୁ ଲୁହ ପୋଛୁ ପୋଛୁ କହିଲା, “ହଜୁର୍, କହିପାରିବି, ନିଶ୍ଚୟ ପାରିବି । ତେବେ ଶୁଣନ୍ତୁ । ଅନେକ ବର୍ଷ ତଳେ ଅନ୍ୟ ଏକ ସହରରେ ଆମ ପରିବାର ରହୁଥିଲେ । ଆମ ଘର ସାମନାରେ ଜଣେ ଧନୀ ବ୍ୟକ୍ତିଙ୍କର ଘର ଥିଲା । ସଲୀମ୍ ତାଙ୍କରି ପୁଅ । ଆମ ପରିବାର ଓ ତାଙ୍କ ପରିବାର ଅତି ଘନିଷ୍ଠ ବନ୍ଧୁପରି ଚଳୁଥିଲେ । ସେତେବେଳେ ଆମେ ପିଲା ଥିଲୁ । କିନ୍ତୁ ଦୁଇ ପରିବାର ଏହା ଠିକ୍ କରିଥିଲେ ଯେ ସଲୀମ୍ ସହିତ ମୋର ବିବାହ ହେବ ।

                କିନ୍ତୁ ପରିସ୍ଥିତି ବଦଳି ଗଲା । କୌଣସି କାରଣରୁ ଆମ ପରିବାର ବସୋରାରେ ଆସି ସ୍ଥାୟୀ ବାସିନ୍ଦା ହୋଇ ରହିଲେ । ଇତିମଧ୍ୟରେ ସଲୀମ୍ ପରିବାର ଉପରେ ନାନା ପ୍ରକାରର ବିପଦ ପଡିଲା ଓ ସେମାନେ ଗରୀବ ହୋଇଗଲେ । ତାଙ୍କ ପରିବାର ଓ ଆମ ପରିବାର ପରସ୍ପର ଦୂରେଇ ଗଲେ ।

                ଦୁଇଦିନ ପୂର୍ବେ ସଲୀମ୍ କୌଣସି କାରଣରୁ ବସୋରା ଆସିଥିଲା । ସେ ପ୍ରଥମ ଥର ପାଇଁ ଏଠାକୁ ଆସିଛି । ସେ ବଜାରରୁ ରାତିରେ ଫେରୁଥିବା ବେଳେ ହଠାତ୍ ବର୍ଷା ହେବାରୁ ସେ କୌଣସି ଏକ ଘରର ପିଣ୍ଡା ଉପରକୁ ଉଠିଗଲା । ସେ ଜାଣି ନଥିଲା ସେ ଘର ଆମ ଘର ବୋଲି । ମୁଁ ଘର ଭିତରୁ ଚାହିଁ ଦେଖିଲି ଜଣେ କିଏ ବାହାରେ ଠିଆ ହୋଇଛି । ବିଜୁଳି ଝଲକରେ ମୁଁ ତାକୁ ସାଙ୍ଗେ ସାଙ୍ଗେ ଚିହ୍ନିଲି ଓ ଭିତରକୁ ଡାକିନେଲି । ସେତେବେଳେ ତ ଆମ ଘରେ ସମସ୍ତେ ଶୋଇଥା’ନ୍ତି ।

                ତା’ପରେ ଆମେ କିଛି ସମୟ ଧରି ଅନେକ କଥାବାର୍ତ୍ତା ହେବା ପରେ ମୁଁ କହିଲି କି ମୋର ବିବାହ ଜଣେ ଧନୀ ବ୍ୟକ୍ତିଙ୍କ ପୁଅ ସହିତ ହେବ । ମୋର ଭାବି ଶଶୁର ଆଜି ଆମ ଘରେ ଅଛନ୍ତି ।

                ସବୁ ଶୁଣି ସଲୀମ୍ ହସି ହସି କହିଲା, “ନଗ୍ମା, ଏଇ ବର୍ଷା ରାତିରେ ମୁଁ ତୋ ଘରେ ଅଛି ବୋଲି କେହି ଜାଣିଲେ କିଛି ଭଲ କଥା ହେବ ନାହିଁ । ଅନ୍ୟମାନେ ମଧ୍ୟ ଖରାପ ଭାବି ପାରନ୍ତି ।”

                ମୁଁ କହିଲି, “ସଲୀମ୍, ଗୋଟାଏ କାମ କର । ତମେ ଚୁପ୍ଚାପ୍ ଚାଲିଯାଅ । ବର୍ଷା ଛାଡି ଗଲାଣି । ଯଦି କେହି ଦେଖେ ତେବେ ମୁଁ ‘ଚୋର ଚୋର’ ବୋଲି ପାଟି କରିବି । ତମେ ଯଦି ଧରା ନ ପଡିବ ତ ଭଲ । ଯଦି ଧରା ପଡିବ ତେବେ କୌଣସି ମତେ ନିଶ୍ଚୟ ଖସି ଚାଲିଯାଇ ପାରିବ ।”

                ସଲୀମ ଅତି ସନ୍ତର୍ପଣରେ ଘରୁ ବାହାରି ଯିବା ବେଳେ ଆମର ଜଣେ ଚାକର ତାକୁ ଦେଖି “ଚୋର, ଚୋର” ବୋଲି ଚିତ୍କାର କଲା ଓ ଅନ୍ୟମାନଙ୍କ ସହାୟତାରେ ତାକୁ ଧରି ନେଲା । ମୋ ମା’ ବାପା ସଲୀମ୍କୁ ଚିହ୍ନିଥିଲେ ମଧ୍ୟ ଧନୀ ସମୁଧି କାଳେ କିଛି ଭାବିବେ ବା ମୋ ଚରିତ୍ରରେ ସନ୍ଦେହ କରିବେ ସେଥିପାଇଁ ସେମାନେ କିଛିବି କହିଲେ ନାହିଁ ।”

                ନଗମାର କାହାଣୀ ଶୁଣି ଅମୀରଙ୍କ ଆଖିରେ ମଧ୍ୟ ଲୁହ ଭରି ଉଠିଲା । ସେ ନିଜର ଆଖି ପୋଛୁ ପୋଛୁ ସମବେତ ଦର୍ଶକଙ୍କୁ ସମ୍ବୋଧନ କରି କହିଲେ, “ସଲୀମ୍ ନାମକ ଏ ଯୁବକ ଅତ୍ୟନ୍ତ ସାହସୀ ଓ ବିବେକୀ । ଏକ ନିର୍ଦୋଷ ଯୁବତୀର ଚରିତ୍ରରେ କୌଣସି କଳଙ୍କ ଲାଗିଯିବ ବୋଲି ଭାବି, ସେ ନିଜର ଦୁଇ ହାତକୁ ଉତ୍ସର୍ଗ କରିବା ପାଇଁ ମଧ୍ୟ ପଶ୍ଚାତ୍ପଦ ହୋଇ ନାହାଁନ୍ତି । ଏହାହିଁ ତ ପ୍ରକୃତ ତ୍ୟାଗ । ମୋର ଯଦି ଝିଅ ଥା’ନ୍ତା ତେବେ ମୁଁ ନିଶ୍ଚୟ ଏହି ଯୁବକ ସହିତ ତା’ର ବିବାହ ଦେଇ ଗୌରବାନ୍ୱିତ ହୋଇଥା’ନ୍ତି ।”

                ତା’ପରେ ନଗ୍ମାର ବାପା ଭିଡ ମଧ୍ୟରୁ ଦୌଡି ଆସି ସେଠାରେ ପହଁଚିଲେ ଓ ଅମୀରଙ୍କୁ ସଲାମ୍ କରି କହିଲେ, “ହଜୁର୍, ଆପଣ ମୋ ଝିଅ ନଗ୍ମାକୁ ସଲୀମ ସହିତ ବିବାହ ଦିଅନ୍ତୁ । ମୁଁ ଏହି ମୂଲ୍ୟବାନ ହୀରାର ମୂଲ୍ୟ ବୁଝି ନଥିଲି । ସେଥିପାଇଁ ମୁଁ ଲଜ୍ଜିତ ଓ ଆପଣଙ୍କ ପାଖରେ କ୍ଷମା ଚାହୁଁଛି ।”

                ସବୁ ଶୁଣି ଅମୀର ଖୁସି ହେଲେ । ସମବେତ ଜନତା ମଧ୍ୟ କରତାଳି ଧ୍ୱନିରେ ଏ କଥାକୁ ସମର୍ଥନ କଲେ । ସେହିଦିନହିଁ ଅମୀରଙ୍କ ତତ୍ୱାବଧାନରେ ନଗ୍ମା ଓ ସଲୀମଙ୍କର ଶୁଭବିବାହ ସମ୍ପନ୍ନ ହେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ