କୃଷ୍ଣ ସୁନ୍ଦର ବରର ପିତାଠାରୁ ସବୁ ଶୁଣି ସାରି କହିଲା କୁହନ୍ତୁ ଏଥି ଲାଗି ମୋତେ ପୁଣି କ’ଣ କରିବାକୁ ହେବ । ସେତକ ଉପକାର କରି ଦେଇ ସକାଳୁ ସକାଳୁ ମୋତେ ଏ ଗ୍ରାମ ଛାଡି ଆର ଗ୍ରାମକୁ ଯିବାକୁ ହେବ ।
ବରର ପିତା କହିଲେ – ସେତେ ବଡ କଥା ନୁହଁ ପୁଅ । ଖୁବ୍ ଛୋଟିଆ କାର୍ଯ୍ୟ ଗୋଟିଏ । ପୁଅ ମୋର ବର ବେଶ ହୋଇ ଆସିଛି । ତୁ କେବଳ ତା’ର ବର ପୋଷାକ ପିନ୍ଧି ପାଲିଙ୍କିରେ ବସି ବାହା ହେବା ଲାଗି ଦି’ ଘଂଟା ଲାଗି କନ୍ୟା ଘରକୁ ଯିବୁ । କନ୍ୟା ସହିତ ତୋର ବାହାଘର ହୋଇଯିବା ପରେ କଥା ସରିଲା । ତେଣିକି ମୁଁ ବୋହୂକୁ ନେଇ ଆସିଲେ ପୁଣି ଏଇଠି ତୁ ତୋର ପୋଷାକ ପିନ୍ଧି ତୋ କାର୍ଯ୍ୟରେ ଯିବୁ; ଆଉ ପୁଅ ମୋର ତା’ର ବର ପୋଷାକ ପିନ୍ଧି ମୋ ଗ୍ରାମକୁ ବାହୁଡି ଯିବ । କଥା ଦେଇଥିଲା ଯେତେ ବେଳେ କୃଷ୍ଣ ସୁନ୍ଦର ରାଜି ହୋଇ ବର ବେଶ ହୋଇ ପାଲିଙ୍କିରେ ବସି ବାହା ହେବାକୁ ଗଲା ।
ବର ରାଜ ନଅରରେ ପହଁଚିବା ବେଳକୁ ବହୁତ ଲୋକ ବର ରୂପ ଦେଖିବା ଲାଗି ବର ପାଖକୁ ଲମ୍ବା ଲାଇନ୍ ଲଗାଇ ଥିଲେ । ସମସ୍ତେ ବରର ରୂପ ଦେଖି ଖୁସ୍ । ସମସ୍ତଙ୍କ ମୁଖରେ ସେହି ଗୋଟିଏ କଥା ରାଜା ଝିଅ ପାଇଁ ବର ରୂପ ଖୁବ୍ ସୁନ୍ଦର ହୋଇଛି । ହଁ, ବିଧାତା ନିର୍ମାଣ, ଯାହାର ଯାହା ଘରେ ଚାଉଳ ପଡିଛି ବିଧାତା ତାହାହିଁ ଯୁଟାଇ ଦିଅନ୍ତି । ଉଆସ ଲୋକେ ଯେଉଁ ମାନେ ବରକୁ ଦେଖିଲେ ସେମାନେବି ବରର ରୂପ ଦେଖି ଖୁବ୍ ଆନନ୍ଦ ହେଲେ ।
ବିଭାଘର ସରିଲା – ତା’ପରେ ଝିଅ ଜ୍ୱାଇଁ ମଧୁଶଯ୍ୟା ଘରକୁ ଗଲେ । ହେଲେ କ’ଣ ହେବ ଦିନ ସାରା ଉପାସରେ ଥିଲା କୃଷ୍ଣ ସୁନ୍ଦର । ସାମାନ୍ୟ କ’ଣ ଜଳଖିଆ ଖାଇ ବର ବେଶ ହୋଇ ପାଲିଙ୍କିରେ ବସିଲା । ଏବେ ରାତି ପାହିବାକୁ କେତେ ବା ବେଳ ଅଛି । କ୍ଷୁଧାରେ ସେ ଛଟ ପଟ ହେଲାଣି । ଏଥିରେ ସେ ମଧୁଶଯ୍ୟା କରିବାକୁ ଶକ୍ତି ପାଉଛି କେଉଁଠି । ସେ ଆଉ କ୍ଷୁଧା ସମ୍ଭାଳି ନପାରି ରାଜା ଝିଅକୁ କହିଲା, ମୋତେ ଖୁବ୍ ଭୋକ ହେଉଛି ।