ରାଜା ଝିଅ କହିଲା ସେହି କଥା ମୋତେ ଆଗରୁ କହିଲ ନାହିଁ । ମୁଁ ଦାସୀ ହସ୍ତରେ ମଗାଇ ଦେଇ ଥାଆନ୍ତି । ଏବେ ଆଉ କି ଉପାୟ କରିବି । ତା’ଛଡା ଭଣ୍ଡାର ଘର ତ ବନ୍ଦ ହୋଇ ଗଲାଣି ।
କୃଷ୍ଣ ସୁନ୍ଦର କହିଲା ତୁମେ ଯାହା କର ପଛକେ ମୋ ଲାଗି ଆଗ ଖାଇବାର ବନ୍ଦୋବସ୍ତ କର । ନଖାଇଲେ ମୁଁ ଆଉ ସମ୍ଭାଳି ହୋଇ ରହି ପାରିବି ନାହିଁ ।
ରାଜା ଝିଅ ସ୍ୱାମୀଙ୍କ କଥା ଶୁଣି ନାଚାର । ଏବେ ତ କିଛି ଉପାୟ ନାହିଁ । ତେଣୁ ସେ କ’ଣ କଲାନା, ବନ୍ଦାଣ ଥାଳିରେ ଯେଉଁ ଚାଉଳ ଥିଲା ସେହି ଚାଉଳକୁ ଆଣି ଲୁଗାପଟା ଜାଳି ଭାତ ଗଣ୍ଡାକ ଫୁଟାଇ ଦେଲା । ସେହି ଭାତକୁ ଖାଇ କୃଷ୍ଣ ସୁନ୍ଦର ଟିକେ ଶାନ୍ତିରେ ନିଃଶ୍ୱାସ ମାରିଲା । ତା’ପରେ ଦୁହିଁଙ୍କ ମଧ୍ୟରେ ପ୍ରେମା ଳାପ ଜମିଲା ।
ଏହିପରି ଭାବରେ ମଧୁଶଯ୍ୟା ଘରେ କୃଷ୍ଣ ସୁନ୍ଦର ରାତିଟି ବିତାଇ ତା’ପରେ ସକାଳ ହେବାରୁ ମଧୁଶଯ୍ୟା ଘର ଛାଡି ପଳାଇ ଆସିଲା । ତା’ପରେ ବରର ବାପ ଠାରୁ ସୁବର୍ଣ୍ଣ ମୋହରଟି ନେଇ ପାନ୍ଥଶାଳା ଆଡେ ପଳାଇ ଗଲା ।
କୃଷ୍ଣ ସୁନ୍ଦର ସେ ସ୍ଥାନ ଛାଡି ଦେଇ ଚାଲିଯିବା ପରେ ବରର ବାପ ଏବେ ଗୋଟାଏ ଗୋଳା ଉଠାଇ କହିଲା ମୋ ପୁଅର ଆଖିଟା କାହିଁକି ଖରାପ ହୋଇଗଲା ।
ବରର ବାପ ଯେତେ ବେଳେ ଏକଥା କହିଲା ସେ କଥା ଶୁଣି ସମସ୍ତେ ତଟସ୍ଥ ହୋଇଗଲେ । ଏକଥା ଶୁଣି ଶାଶୁ ଶଶୁରଙ୍କର ମନ ଖୁବ୍ ଦୁଃଖ ହେଲା ।