ଏମିତି ବାରମ୍ବାର ହେବା ଦ୍ୱାରା ନୀଳ ଚଢେଇ ଏମିତି ତରକା ହୋଇଗଲା ଯେ ସେ ଆଉ କୌଣସି ଡାଳରେ ମୁହୂର୍ତ ଟିଏବି ସ୍ଥିର ହୋଇ ବସି ପାରିଲା ନାହିଁ । ହେଲେ ଗୁରୁଙ୍କ ଆଦେଶ ପାଳିବା ପାଇଁ ପିଲାମାନେ କେଉଁ ଚଢେଇଟିକୁ ଛାଡି ପାରୁଛନ୍ତି, ଶେଷରେ ଚଢେଇଟି ଆଉ ପାଖରେ ନବସି ଏଥର ବହୁତ ଦୂରକୁ ଉଡି ଚାଲି ଗଲା । ଏହା ଦେଖି ପିଲାମାନେ ଧୈର୍ଯ୍ୟ ହରା ହୋଇପଡି ଆଉ ନୀଳ ଚଢେଇର ଦକ୍ଷିଣ ପାର୍ସ୍ବ ନଦେଖି ସିଧା ସଳଖ ନିଜର ଗନ୍ତବ୍ୟ ପଥରେ ଚାଲି ଗଲେ ।
ବିଚରା କୃଷ୍ଣ ସୁନ୍ଦର କିନ୍ତୁ ନଛୋଡ ବନ୍ଧା, ସେ ସିଦ୍ଧାନ୍ତ କଲା ଯେ ଯଦି ମୋର ଗନ୍ତବ୍ୟ ସ୍ଥଳକୁ ଯିବାକୁ ହେବ ତାହା ହେଲେ ଗୁରୁଙ୍କର କଥାକୁ ମାନିକରି ହିଁ ଯିବି । ଯଦି ତାହା ସମ୍ଭବ ହୋଇ ନପାରିଲା ତାହା ହେଲେ ନିଜର ଗନ୍ତବ୍ୟ ପଥକୁ ଭୁଲି ନିଜର ଆସିଥିବା ପାଠଶାଳାକୁ ଫେରିଯିବି । ଗୁରୁଙ୍କ ଆଦେଶକୁ ପାଳନ ନକରିବା ତ ମୋ ପାଇଁ ଖୁବ୍ ବଡ ଅପରାଧ ହେବ । ତା’ଛଡା ଯାଉଥିବା କାର୍ଯ୍ୟରେ ବିଫଳତା ନମିଳିବ କାହିଁକି । ସେଥିଲାଗି ବେଳ ବୁଡିବା ପର୍ଯ୍ୟନ୍ତ ସେ ସେହି ନୀଳ ଚଢେଇର ପଛେ ପଛେ ଧାଇଁଲା । ନୀଳ ଚଢେଇ ଯେଉଁ ଦିଗରେ ଉଡି ଉଡି ଗଲା କୃଷ୍ଣ ସୁନ୍ଦର ମଧ୍ୟ ସେହି ଦିଗକୁ ଦୌଡି ଦୌଡି ଗଲା ।
ଏମିତି ଅନେକ ସମୟ ଚାଲିଲା, ଅନ୍ୟ ପିଲାମାନେ କେଉଁଆଡେ ଚାଲିଗଲେ ଯେ ତାହା କୃଷ୍ଣ ସୁନ୍ଦର ଜାଣିବି ପାରିଲା ନାହିଁ । ସଞ୍ଜ ହେଲା । ଅନ୍ଧାର ଆସି ଯିବାରୁ ନୀଳ ଚଢେଇକୁ ଆଉ ରାସ୍ତା ଦେଖା ଗଲା ନାହିଁ । ତା’ ଛଡା ଉଡି ଉଡି ତା’ର ଡେଣାକୁ ମଧ୍ୟ ଥକ୍କା ଲାଗିଲା । ସେ ଆଉ ଆଗକୁ ଉଡି ଗଲା ନାହିଁ । ଏଥର ସେ ଯେଉଁ ଡାଳରେ ବସିଲା ସେହି ଡାଳରେ ବସୁ ବସୁ ଶୋଇ ପଡିଲା ।