ଏଥର ସମସ୍ତ ଚେଷ୍ଟାରୁ ବିଫଳ ହୋଇ କୃଷ୍ଣ ସୁନ୍ଦର ଗ୍ରାମ ନିକଟରେ ଦେଖିଲା ଗୋଟିଏ ଦୋକାନ ଅଛି । ଦୋକାନଟି ବନ୍ଦ ଥାଏ । ହେଲେ ଦୋକାନର ପିଣ୍ଢାଟି ଖୁବ୍ ପରିଷ୍କାର ଯେପରି ଲମ୍ବା ଓସାରରେ ବି ସେହିପରି ବଡ, ସବୁ ଦିଗରୁ ନୈରାଶ୍ୟ ହେବା ପରେ କୃଷ୍ଣ ସୁନ୍ଦର ଟିକିଏ ବିଶ୍ରାମ ନେବା ନିମନ୍ତେ ସେହି ଦୋକାନ ପିଣ୍ଢାରେ ଗାମୁଛା ପାରି ଦେଲା ଓ ଗାମୁଛା ଉପରେ ଶୋଇ ପଡିଲା ।
ଯୋଗକୁ ଦେଖି ସେହି ଦିନ ସେହି ଦେଶ ରାଜାଙ୍କର କନ୍ୟାର ବିଭାଘର । ବର ଖୁବ୍ ସୁନ୍ଦର ବେଶରେ ଘୋଡା ପିଠିରେ ବସିଛି । ନାନା ପ୍ରକାରର ବାଜା ବାଜୁଛି, ତୋପ ଆତସ ବାଜିରେ ରାସ୍ତା ଦୁଲୁକୁଛି । ବର ଆସୁଛି ଆସୁଛି ବୋଲି ଚହଳ ପଡୁଛି । ହେଲେ ଏତେ ସପନକୁ ରାତି ବା କାହିଁ । ବର ସହିତ ଯାଉଥିବା ଯାତ୍ରୀମାନେ ସୁନ୍ଦର । ଫୁଲ ଗଛ ଗୁଡିକ ସୁନ୍ଦର, ଆଲୋକ ସଜ୍ଜା ସୁନ୍ଦର, ବାଣ ଆତସବାଜି ସୁନ୍ଦର, ହେଲେ ଏଇ ସୁନ୍ଦର ମଧ୍ୟରେ ବରର ବାପାଙ୍କର ମନରେ ସରାଗ ନାହିଁ । ସୁଖ ନାହିଁ । କାରଣ ହେଲା ବରଟି ଥିଲା କଣା, କଣା ବରକୁ ପୁଣି ଝିଅ ବା କିଏ ଦେବ? ସେଥିଲାଗି ବରର ବାପ ସେତେ ବେଳକୁ ଖୁବ୍ ବ୍ୟସ୍ତତାର ସହିତ ଏମିତି ଗୋଟିଏ ସୁନ୍ଦର ରୂପ ଗଠନ ଓ ଆଖିକୁ ଦିଶୁଥିବା ପିଲାର ଅନୁସନ୍ଧାନରେ ଥାଆନ୍ତି । ବର ଯାଇ ରାଜାଙ୍କ ଘରେ ପହଁଚିବା ଆଗରୁ ବର ବଦଳ ହୋଇଯିବା ନିତାନ୍ତ ଦରକାର ।