କୃଷ୍ଣ ସୁନ୍ଦର କହିଲେ – ତୁମେ କ’ଣ ଶୁଣି ନାହଁ । କାଶୀ ନଗରର ପଡିଶା ଗ୍ରାମରେ ଜଣେ ଧନୀକ ଲୋକ ସୁବର୍ଣ୍ଣ ମୋହର ଦାନ କରୁଛନ୍ତି । ମୁଁ ସେହି ସୁବର୍ଣ୍ଣ ମୋହର ପାଇବା ଆଶାରେ ଯାଉଥିଲି ଯେ ରାତ୍ରି ତଥା ଅନ୍ଧାର ହୋଇଯିବା କାରଣରୁ ମୁଁ ଏହି ଦୋକାନ ପିଣ୍ଢାରେ ରାତିକ ଲାଗି ବିଶ୍ରାମ ନେଇଛି । ଖୁବ୍ କ୍ଷୁଧା ହେଉଥିଲେ ମଧ୍ୟ ମୁଁ ନିରୁପାୟ । ଏ ଗ୍ରାମ ତ ନିଃଶୁନ୍, ସମସ୍ତେ ଯେ ଯୁଆଡେ ଶୋଇ ଗଲେଣି । କାହାକୁ ଯାଇ ଉଠାଇବି କିଏ ମୋତେ ଗଣ୍ଡେ ଖାଇବାକୁ ଦେବ । ଦେଖା ଯାଉ ସକାଳ ହେଲେ ତେଣିକି ଉପାୟ ଦେଖିବି ।
କୃଷ୍ଣ ସୁନ୍ଦରଙ୍କ ଠାରୁ ଏକଥା ଶୁଣି ବରର ପିତାଙ୍କ ମନରେ ବୁଦ୍ଧି ଆସିଲା । ହଜିଲା ବଳଦ ଖୋଜିଲା ଠେଇଁ । ଏ ପିଲାଟି ଜଣା ଯାଉଛି ଖୁବ୍ ଗରିବ । ସୁବର୍ଣ୍ଣ ମୋହର ପାଇବା ଆଶାରେ ଯାଉଛି । ତେଣୁ ତାହାର ଧନ ବ୍ୟତୀତ ଆଉ କିଛି ଦରକାର ନାହିଁ । ସେ ଯଦି ମୋ ଠାରୁ କିଛି ଧନ ନେଇ ସନ୍ତୁଷ୍ଟ ହୋଇଯିବ । ଦୁଇ ଚାରି ଘଂଟା ଲାଗି ସେ ଯଦି ବର ହୋଇଯିବ, ମୁଁ ଏହି ବିପଦରୁ ରକ୍ଷା ପାଇଯିବି । ପିଲାଟି ମଧ୍ୟ ସୁବର୍ଣ୍ଣ ମୋହର ପାଇ ଖୁସିରେ ଘରକୁ ଫେରିବ ।
ଏପରି କଥା ଚିନ୍ତା କରି ବରର ପିତା କୃଷ୍ଣ ସୁନ୍ଦରଙ୍କୁ କହିଲେ – ବାପ ତୋର ନାଁଟା କ’ଣ?
କୃଷ୍ଣ ସୁନ୍ଦର ତା’ର ନାମଟି କହି ଦେଲା ।