ବଲ୍ଲଭ କହିଲା, “ଏପରି କଥା? ତେବେ ତ ମୋର ଗୋଟିଏ କଥା ଆପଣଙ୍କୁ ଯେମିତି ହେଲେବି ମାନିବାକୁ ପଡିବ । ମୁଁ ମଧ୍ୟ ଏକେଲା ଅଛି । ଆପଣ ମୋ ସହିତ ଆସନ୍ତୁ ଆମରି ଘରେ ରହିବେ ।”
ଶୀତଳ ତାଙ୍କର ଏ ପ୍ରସ୍ତାବରେ ରାଜି ହେଲା । ତା’ପରେ ସେ ଦୁହେଁ ଆସି ଗ୍ରାମରେ ପହଁଚିଲେ । ଦୁଇଜଣ ଖୁସିରେ ଥା’ନ୍ତି । ଖାଇବା କଷ୍ଟ ତ ନାହିଁ । କିନ୍ତୁ ବଲ୍ଲଭ ସେଥିରେ ଆଦୌ ସନ୍ତୁଷ୍ଟ ନୁହେଁ । ସେ ଏକ ବଡ କୋଠାର ମାଲିକ ହେବାକୁ ଚାହେଁ । ତେବେ ଯାଇ ତା’ ଜୀବନ ସାର୍ଥକ ହେବ । ଦିନେ ସେ ଶୀତଳକୁ ତା’ ମନ କଥା ଖୋଲି କହିଲା ।
ତା’ର ସବୁ କଥା ଶୁଣି ଶୀତଳ କହିଲା “ଯାହା କହିଲ ତା ତ ଭଲ କଥା । କିନ୍ତୁ ନିଜେ ପରିଶ୍ରମ କରି ଧନ ଅର୍ଜ୍ଜନ କର । ମୁଁ ମଧ୍ୟ ଏଥିରେ ବହୁତ ଖୁସି ହେବି । କିନ୍ତୁ ଯାଦୁଥଳୀର ଶକ୍ତିକୁ କେବେବି ଭୁଲ୍ ଭାବରେ ଲଗାଇବ ନାହିଁ ।”
ବଲ୍ଲଭ ପଚାରିଲା, “ମୁଁ ଯଦି ସେପରି କରେ ତ କ’ଣ ହେବ?”
ଶୀତଳ ବୁଝାଇଲା, “ତୁମେ ଭୁଲ୍ କାମ କଲେ ତୁମର କିଛି ହେବ ନାହିଁ । ବରଂ ମୁଁ ହିଁ ସେସବୁର ଖରାପ ଫଳ ଭୋଗିବି ।”
ବଲ୍ଲଭ ସେଦିନ ସିନା ଚୁପ୍ ରହିଗଲା, କିନ୍ତୁ ପରେ ସେ ତା’ ନିଜର ଇଚ୍ଛାକୁ ଆଉ ଅଟକେଇ ରଖି ପାରିଲା ନାହିଁ । ଯାଦୁଥଳୀର ସାହାଯ୍ୟରେ ସେ ବଲ୍ଲଭ ନାନା ପ୍ରକାର ଖାଦ୍ୟ ସୃଷ୍ଟି କରି ସେସବୁ ବିକ୍ରି କରି ଅନେକ ପଇସା ରୋଜଗାର କଲା ।
ଏଣିକି ଶୀତଳ ସେହି ଗ୍ରାମରେ ଚାକିରୀ କଲା । ଖାଲି ସେତିକି ନୁହେଁ ସେ ଯାଇ ମାଗଣା ଖଟେ । କାହାରିଠୁ ସେ କୌଣସି ପଇସା ଗ୍ରହଣ କରେନାହିଁ । କେହି ଆଶ୍ଚର୍ଯ୍ୟ ହୋଇ ତାକୁ ପଚାରିଲେ ସେ କହୁଥାଏ “ନିଜର ପାପକୁ ଧୋଇବାକୁ ମୁଁ ଏପରି କରୁଛି । ଯଦି ସେବା ବଦଳରେ ମୁଁ ପଇସା ନିଏ ତ ମୋତେ ନର୍କକୁ ଯିବାକୁ ହେବ ।”
ଗ୍ରାମଲୋକମାନେ ବଲ୍ଲଭକୁ କହିଲେ, “ବଲ୍ଲଭ, ତୁମେ ତ ବହୁତ ପଇସା ରୋଜଗାର କରୁଛ? ଶୀତଳ ବୁଢା ହେବାକୁ ଗଲାଣି । ଏ ବୟସରେ ସେ ଆଉ କାହିଁକି ଚାକିରୀ କରୁଛି । ଏବେ ତାକୁ ତମେ ଘରେ ଯତ୍ନରେ ରଖ ।”
ଏତେ କଥା ଶୁଣି ଦିନେ ବଲ୍ଲଭ ଶୀତଳକୁ ପଚାରିଲା, “ଦେଖ ତୁମ ଯୋଗୁଁ ମୋର ବହୁତ ବଦନାମ ହେଉଛି । ତେଣୁ କାମ କରିବା ତମେ ଛାଡିଦିଅ ।”
ଶୀତଳ ଏଥିରେ ଅଳ୍ପ ହସି କହିଲେ, “ବଲ୍ଲଭ, ଯାଦୁଥଳୀଟି ମୋର ପୁଣ୍ୟର ପ୍ରତୀକ । ଯେତେଦିନ ପର୍ଯ୍ୟନ୍ତ ମୋର ପୁଣ୍ୟ ଥିବ ସେତେଦିନ ପର୍ଯ୍ୟନ୍ତ ଏହି ଥଳୀ କାମ କରିବ । ମୁଁ ଠିକ୍ ଜାଣେ ତମେ ସେହି ଥଳୀର ବହୁତ ଦୁରୂପଯୋଗ କରୁଛ ।”
ଏବେ ବଲ୍ଲଭ ଜାଣିପାରିଲା ଯେ ଶୀତଳର ପୁଣ୍ୟ କି ଭାବରେ ତା’ର ସହାୟତ କରୁଛି । ସେ ନୀରବ ରହିଲା । ବର୍ଷକ ମଧ୍ୟରେ ସେ ଗୋଟାଏ ବିରାଟ କୋଠା ବନାଇଲା । ଜଣେ ଧନୀ ଘରର ଝିଅକୁ ସେ ବିବାହ କଲା ।
କିଛିଦିନ ପରେ ହଠାତ୍ ସେ ବଲ୍ଲଭକୁ ଏକ ଅଚିହ୍ନା ବ୍ୟାଧି ଧରିଲା । ବହୁ ବୈଦ୍ୟ ଆସିଲେ ସତ, କିନ୍ତୁ କେହି ମଧ୍ୟ ସେ ରୋଗ କ’ଣ ବା ତା’ର ନିରାକରଣ ବିଷୟରେ କିଛିବି କହିପାରିଲେ ନାହିଁ । ଜଣେ ବୈଦ୍ୟ କହିଲେ, “ଏବେ ଆମର ସବୁ ବିଦ୍ୟା ଶେଷ । ଆମେ ଆଉ କିଛି କରିପାରିବୁ ନାହିଁ । ତମେ ଜଣେ ଯୋଗୀଙ୍କ ପାଖକୁ ଯାଅ । ହୁଏତ ଆରଜନ୍ମର କର୍ମଫଳ ଯୋଗୁଁ କିଛି ହୋଇଥାଇ ପାରେ, ସେ କହିଦେବେ ଓ ତାହାର ଉପଶମ ପାଇଁ କିଛି ଉପାୟ ମଧ୍ୟ ବତାଇ ଦେବେ ।”
ଦିନେ ବଲ୍ଲଭର ପତ୍ନୀ ତାକୁ ନେଇ ଜଣେ ବଡ ଯୋଗୀଙ୍କ ପାଖକୁ ଗଲା । ସେଠାରେ ପହଁଚି ଯୋଗୀଙ୍କୁ ସେ ସବୁକଥା କହିଲା । ବଲ୍ଲଭକୁ ଦେଖି ଯୋଗୀ କହିଲେ, “ତୁମେ ବିନା ପରିଶ୍ରମରେ ଧନ ଅର୍ଜ୍ଜନ କଲ । ଏବେ ତୁମେ ଅସୁସ୍ଥ ହୋଇଛ ଧନ ଉପାର୍ଜ୍ଜନ ପାଇଁ ତୁମର ସୁସ୍ଥ ରହିବା କ’ଣ ଦରକାର?”
ବଲ୍ଲଭ ଦୁଃଖିତ ହୋଇ କହିଲା, “ସାଧୁବାବା, ଆପଣ ସେକଥା ଆଦୌ କହନ୍ତୁ ନାହିଁ । ମୁଁ ଯଦି ଅସୁସ୍ଥ ହେବି ତେବେ ସମ୍ପତ୍ତି ଲାଭର ଅର୍ଥ କ’ଣ?”
ସାଧୁ କହିଲେ “କେବଳ ପରିଶ୍ରମ କରୁଥିବା ଲୋକରହିଁ ସୁଖ ପାଇବାର ଅଧିକାର ଅଛି । ମନେହୁଏ ତୁମେ ଅନ୍ୟର ପୁଣ୍ୟ ଯୋଗୁଁ ଧନ ଅର୍ଜ୍ଜନ କରୁଛ; ସେହି ପାପର ଫଳ ବ୍ୟାଧି ରୂପରେ ତୁମ ଦେହରେ ଦେଖା ଦେଇଛି ।”
ବଲ୍ଲଭ କହିଲା, “ମୋର ଯାଦୁ ଥଳୀଟିଏ ଅଛି । ଜଣେ ମହାନ୍ ବ୍ୟକ୍ତି ମୋତେ ସେଇଟି ଦାନ କରିଥିଲେ । ସେ କହିଥିଲେ ମୁଁ ଯଦି ଏହି ଥଳୀର ଖରାପ ଉପଯୋଗ କରିବି ତେବେ ପାପ କେବଳ ତାଙ୍କୁହିଁ ଲାଗିବ, ମୋତେ ତ ନୁହେଁ?”
ସାଧୁ କହିଲେ “ଆରେ ମୂର୍ଖ, ତୁମର ଖୁସି ପାଇଁ ତାକୁ ଶ୍ରମ କରି ପୂଣ୍ୟ ଅର୍ଜ୍ଜନ କରିବାକୁ ପଡୁଛି । ଯଦିଓ ସେ ତୁମକୁ ଭଲ ପାଏ ତଥାପି ତା’ର ପରିଶ୍ରମ ପାପ ରୂପରେ ଜମା ହୋଇ ତୁମକୁ ଗିଳିବାକୁ ବସିଛି । ଏବେ ମଧ୍ୟ ସମୟ ଅଛି । ତୁମେ ନିଜକୁ ସୁଧାରି ନିଅ । ସେହି ଭଲ ମଣିଷର ସେବା କର । ତା’ପରେ ଦେଖିବ ତୁମେ ଧୀରେ ଧୀରେ ସୁସ୍ଥ ହୋଇଯିବ ।”
ଏବେ ବଲ୍ଲଭ ନିଜର ଭୁଲ୍ ବୁଝିପାରିଲା । ଏହାପରେ ସେ ଯୋଗୀଙ୍କୁ ପ୍ରଣାମ କରି ଘରକୁ ଫେରିଲା ।
ଧନ ଅର୍ଜ୍ଜନ ପାଇଁ ଯାଦୁଥଳୀର ଉପଯୋଗ ସେ ବନ୍ଦ କରିଦେଲା । ନିଜେ ପରିଶ୍ରମ କରିବାକୁ ଆରମ୍ଭ କଲା । ଶୀତଳକୁ ସର୍ବଦା ଘରେ ରଖି ତାକୁ ସେ ନିଜର ବାପା ପରି ସେବା କଲା ।
ଧୀରେ ଧୀରେ ବଲ୍ଲଭ ମଧ୍ୟ ସୁସ୍ଥ ହୋଇଗଲା । ତା’ ପାଖରେ ବହୁତ ଧନ ଥିଲା । ତେଣୁ ବ୍ୟବସାୟ କରିବାରେ ତା’ର ବିଶେଷ କିଛି ଅସୁବିଧା ହେଲା ନାହିଁ । ଏବେ ସ୍ୱାସ୍ଥ୍ୟ ସହିତ ତା’ର ସମ୍ପତ୍ତି ମଧ୍ୟ ବୃଦ୍ଧି ପାଇଲା । ସେ ଶୀତଳ ସହିତ ସୁଖ ଶାନ୍ତିରେ ଜୀବନ ବିତାଇଲା ।