ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବସନ୍ତର ବାର୍ତ୍ତାବହ

                ଦୂତ ମନକୁ ବୁଝେଇଲେ । ହଁ, ନିଶ୍ଚେ ସମସ୍ତେ ପହଁଚିବେ । ଈଶ୍ୱର ପହଁଚିଲେ । ଗୋଟେ ବଡ ବ୍ୟାଗ୍ରେ ଗୁଡାଏ ଥଂଟ, ତାଙ୍କ ରଙ୍ଗବାକ୍ସ, ତୂଳି – ଏମିତି କେତେ ଜିନିଷ ।

                ଚଢେଇମାନେ ଆନନ୍ଦରେ ଚିତ୍କାର କରି ଉଠିଲେ । ତାଙ୍କୁ କୁହାଗଲା – “ଧୀରସ୍ଥିର ହୋଇ ବସ । ଯାହାର ଯୋଉ ରଙ୍ଗରେ ମନ, ସେ ସେଇ ରଙ୍ଗ ହେବ । ତୁମ ରଙ୍ଗ ତୁମେ ବାଛିବ । ଆଉ ପୁଣି ବାଛିବ ମଧ୍ୟ ତୁମ ଥଂଟ ।”

                ଏହା ଶୁଣି କିଏ ଗୋଟେ କହିଲା – “ଏ ରଙ୍ଗ ରହିଲେ ହେଲା ।”

                ତହୁଁ ଈଶ୍ୱର ବୁଝେଇଲେ – “ଏ ଚିରନ୍ତନ ରଙ୍ଗ, କେବେବି ଲିଭିବନି ।”

ଈଶ୍ୱର ଡାକିଲେ ପ୍ରଥମ ଚଢେଇକୁ । ତା ମାଗିବା ରଙ୍ଗରେ ରଙ୍ଗେଇଲେ ତାକୁ । ତାଙ୍କୁ ହସ ମାଡିଲାଣି ସେତେବେଳକୁ – ବିଚିତ୍ରବର୍ଣ୍ଣା ହୋଇଗଲାଣି କୋଚିଲାଖାଇ ସେତେବେଳକୁ । ତଥାପି ସେ ମାଗୁଥାଏ ଆଉ ଟିକେ ନାଲି ଓ ନୀଳରଙ୍ଗ ତା ପୁଚ୍ଛ ପାଇଁ । ପୁଣି ଥଂଟଟିଏ ଖୋଜିଲା ଯେ ବଙ୍କା ଟାଣୁଆ । ଯେମିତି ଭାଙ୍ଗିପାରିବ ଶୁଖିଲା କୋଚିଲା ଫଳକୁ । ତା କାମ ସରିଚି କି ନାହିଁ ସେ ଉଡି ଚାଲିଗଲା ସବୁଜ ପାହାଡ ଡେଇଁ ବଣ ଗହଳିକୁ ।

                ତା’ପରେ ଆସିଲା କଜଳପାତି । ସେ କହିଲା ତା’ର ଭିନ୍ନ ରଙ୍ଗ ଦରକାର ନାହିଁ । ତା’ର କଳାରଙ୍ଗ ଖାଲି ଉଜ୍ଜ୍ୱଳ ହେବା ଦରକାର । ଆଉ ଦରକାର ହଳଦିଆ ଥଂଟଟିଏ । କି ଖୁସି ସେ ସେତକ ପାଇଗଲା ପରେ! ସମସ୍ତେ କହିଲେ ତା ଥଂଟ ଖୁବ୍ ମାନୁଚି କଳାରଙ୍ଗକୁ । ସେ ଟୁଇକ୍ ଟୁଇକ୍ କରି ଗୀତ ବୋଲି, ଲାଞ୍ଜ ହଲାଇ, ଈଶ୍ୱରଙ୍କୁ ଧନ୍ୟବାଦ୍ ଜଣେଇ ଉଡି ଚାଲିଗଲା ସବୁଜ ପାହାଡ ଡେଇଁ ବଣ ଗହଳିକୁ ।

                ୟା ପରେ ଆସିଗଲେ ଜଣକ ପରେ ଜଣେ ଓ ବିଚିତ୍ର ରଙ୍ଗରେ ରଙ୍ଗେଇ ହୋଇ ମନ ମୁତାବକ ଥଂଟ ନେଇ ଉଡିଗଲେ । କିଏ କିଏ ବେକ ଟେକି ଟୋପି ଟୋପି ଟିପା ଲଗେଇ ହେଲେ ବେକ ତଳକୁ । ମୟୂରକୁ ରଙ୍ଗ କରି ସନ୍ତୁଷ୍ଟ କରିବାକୁ ଈଶ୍ୱରଙ୍କୁ ଲାଗିଗଲା ଗୁଡାଏ ସମୟ । ଗୋଟାଏ ବଡ ଥଂଟ ପଛକୁ ରହିଗଲା ତାଙ୍କ ବ୍ୟାଗ୍ରେ । ଈଶ୍ୱର ଭାବିଲେ, ଏଇଟା ଅବାଗ ଦିଶୁଚି, ଫୋପାଡିଦେଲେ ଭଲ । ହେଲେ ସେ କଥା ଚିନ୍ତା କରିଛନ୍ତି କି ନାହିଁ, ପେଲିକନ୍ ଆସି ସେଠାରେ ପହଁଚିଗଲା ଓ ପାଖରେ ଠିଆ ହୋଇଯାଇ ମାଗିଲା – “ପ୍ରଭୁ ! ସେଇଟା ମତେ ମିଳୁ ।” ବାସ୍, ସେ କାମ ମଧ୍ୟ ସରିଲା ।

                ସଂନ୍ଧ୍ୟା ତ ହୋଇ ଆସିଲାଣି । ଆଉ ଅଳ୍ପ ଚଢେଇ ଅଛନ୍ତି, ରଙ୍ଗ ମଧ୍ୟ ସରି ଆସିଲାଣି । ଈଶ୍ୱର ଡାକିଲେ – “ଆସରେ, ୟାକୁ ସବୁ ଶେଷ କର ।” ଆସିଗଲେ ମାଛରଙ୍କା, କାଠହଣା, ଭଦଭଦଳିଆ, କୁମ୍ଭାଟୁଆ, ଶଙ୍ଖଚିଲ, ଚୂଳିଆ, ବୁଲ୍ବୁଲ୍, ମହୁପିଆ, ନାଲିମୁଣ୍ଡିଆ ଶୁଆ – ଆହୁରି କେତେ କେତେ, ଈଶ୍ୱରଙ୍କ କଥା ମାନି ବିଭିନ୍ନ ରଙ୍ଗରେ ରଙ୍ଗେଇ ପକେଇଛନ୍ତି ନିଜକୁ । ନାଲି, ନୀଳ, ହଳଦିଆ, ସବୁଜ ରଙ୍ଗରେ ସେମାନେ ଚମତ୍କାର ଦିଶିଲେ । କାହାର କାହାର ବେକରେ ନାଲିଆ ପଟି । ଏଥର ଉଡିଗଲେ ସମସ୍ତେ ।

                ଦିନସାରାର କାମ ସାରି ଈଶ୍ୱର ଏଥର ଓହ୍ଲେଇଲେ ସେ ପାହାଡ ଉପରୁ ସବୁଜ ପ୍ରାନ୍ତରକୁ । ସେତେବେଳକୁ ଅନ୍ଧାର ତ ହୋଇ ଆସିଲାଣି । ଗଛମାନଙ୍କ ଉପରୁ ଶୁଭୁଚି ଚଢେଇମାନଙ୍କ କାକଳି – “ଧନ୍ୟବାଦ୍, ଧନ୍ୟବାଦ୍, ପ୍ରଭୁ, ଅଶେଷ ଧନ୍ୟବାଦ୍ ।”

                ଏହି ସମୟରେ ହଠାତ୍ ଶୁଭିଗଲା ବଣ ଭିତରୁ ପତ୍ରର ଖସ୍ଖସ୍ ଶବ୍ଦ । କିଏ ଗୋଟାଏ ଧଇଁସଇଁ ହୋଇ ଧାଇଁଚି ଟିକେ ଡେଣା ଫଡଫଡ କରିଦଉଚି ତ ପୁଣି ଦି’ ପାଦ ଚାଲିଆସୁଚି । ଈଶ୍ୱର ଦୂତଙ୍କୁ ରହିବାକୁ କହିଲେ । ହଠାତ୍ ଶୁଭିଲା ଏକ ଧଇଁସଇଁ ସ୍ୱର – “ପ୍ରଭୁ! ଏଇଲେ ଶୁଣିଲି ତୁମେ ଡାକୁଚ । ଡାକୁଚ ସମସ୍ତଙ୍କୁ ରଙ୍ଗ ଲଗେଇବା ପାଇଁ । ମୁଁ ତ ବଣ ଭିତରେ ଦୂରରେ ରୁହେ ।” ପ୍ରଭୁ ହାତ ଲମ୍ବେଇଦେଲେ – ଚଢେଇଟି ଯାଇ ବସିପଡିଲା ତାଙ୍କ ହାତ ଉପରେ । କଳା କୁଚୁକୁଚୁ ଦେହ – କହିଲା – “ମୋର କ’ଣ ବହୁତ ଡେରି ହୋଇଗଲା ପ୍ରଭୁ, ବହୁତ ଡେରି?”


ଗପ ସାରଣୀ

ତାଲିକାଭୁକ୍ତ ଗପ