ତା’ପରେ ଈଶ୍ୱର ତାଙ୍କ ଅଦ୍ଭୁତ ରଙ୍ଗବାକ୍ସକୁ ଚାହିଁଲେ । ଦେଖିଲେ ତାହା ସମ୍ପୂର୍ଣ୍ଣ ଖାଲି । ପ୍ରତିଟି ରଙ୍ଗ ସରିଯାଇଛି । ତୂଳିଗୁଡିକ ଗୋଟେ କଡକୁ ରହିଚି । ମାତ୍ର ଗୋଟିଏ ତୂଳୀ ମୁଣ୍ଡରେ ଟୋପାଏ ସୁନେଲି ରଙ୍ଗ ଲାଗିଚି, କୁନି ଚଢେଇଟି ମଧ୍ୟ ଚାହିଁଚି ତା ଭିତରକୁ । ଏସବୁ ଦେଖି ଦୁଃଖରେ ସେ ପକ୍ଷୀର ଛାତି କୋହଭର୍ତ୍ତି ହୋଇଗଲା । ସେ ଉଡିଯିବାକୁ ବାହାରୁଚି, ଈଶ୍ୱର ତାକୁ କହିଲେ – “ତୁ ମୋ ହାତ ଉପରେ ଏଇଠି ବସି ତୋ ଥଂଟ ମେଲା କର ତ ଦେଖିବା ।” ଚଢେଇଟି ଯେମିତି ଥଂଟ ମେଲେଇଚି, ଈଶ୍ୱର ସେ ତୂଳିଟି ଆଣି ସେ ସୁନେଲି ରଙ୍ଗ ଠୋପାକ ତା ଜିଭରେ ଛୁଆଁଇଦେଲେ । ଆଃ, ତାତିଗଲା, ପୋଡିଗଲା ତା ଜିଭ । ସେ ଫୁର୍ କିନା ଉଡିଗଲା ବଣର ଗଛ ଗହଳିକୁ । ତା’ପରେ ଶୁଭିଲା ଏକ ଅଦ୍ଭୁତ ସ୍ୱର ସେ ଜଙ୍ଗଲ ଭିତରୁ । କୁଉ… କୁଉ… କୁଉ… ସେ ସ୍ୱର ଏତେ ମଧୁର ଯେ, ଆଗରୁ କେହି କେବେ ବି ଏତେ ମଧୁର ସ୍ୱରର ଗୀତ ଶୁଣି ନ ଥିବେ । ସେ ସେମିତି ଗାଉଥାଏ, ଈଶ୍ୱର ଶୁଣିଲେ ସେ ଗୀତ ଅନେକ ସମୟ ଧରି । ତା’ପରେ ଫେରିଲେ ଓ ଦୂତଙ୍କୁ କହିଲେ – “ଶୁଣିଲ ତ, ନାମ ତା’ର କୋକିଳ – ଏ ଋତୁରାଜ ବସନ୍ତର ଆଗମନର ବାର୍ତ୍ତାବହ । ଏଇ ସ୍ୱର ଶୁଣିଲେ ମଣିଷଜାତି ଜାଣିବ, ଋତୁରାଜ ବସନ୍ତ ଆସିଗଲେଣି ଧରାପୃଷ୍ଠକୁ । ଏଥର ଚାଲ ଯିବା ଆମେ ।”
ସେ ସ୍ୱର ସେମିତି ବଣ-ପାହାଡ-ନଈରେ ପ୍ରତିଧ୍ୱନିତ ହୋଇ କାନରେ ଅମୃତ ବର୍ଷା କରୁଥାଏ – ସେ ଯେ ବସନ୍ତର ବାର୍ତ୍ତାବହ ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍।