ଏହା ଶୁଣି ଲୋକେ ନୀରବ ରହିଲେ । ସେମାନଙ୍କ ମୁଖପାତ୍ର ପୁଣି କହିଲା, “ମହାରାଜ! ଉଗ୍ରାକ୍ଷର ଅନୁଚରମାନେ ମୋ ନିଜ ଛେଳିକୁ ନେଇ ଯାଇଥିବାର ମୁଁ ଦେଖିଛି । ତେବେ, ସତକଥା କହିଲେ, କୌଣସି ମଣିଷକୁ ସେମାନେ ନେବାର ଆମେ କେବେବି ଦେଖିନାହୁଁ । ତେବେ ରାକ୍ଷସ ଛଡା ଆଉ କିଏ ବା ଏ କାମ କରିବ? ଏଥିରୁ ଆପଣ ନିଶ୍ଚିତ ହୁଅନ୍ତୁ ଯେ, ଏହା କେବଳ ତାହାରି କାମ ।”
ଚିତ୍ରସେନ ଏ ଯୁକ୍ତିରେ ସନ୍ତୁଷ୍ଟ ହୋଇ ପାରିଲେ ନାହିଁ । ପାଳିତ ପଶୁଙ୍କୁ ଉଗ୍ରାକ୍ଷ ବା ତା’ ଅନୁଚରମାନେ ନେଇ ଯାଉଥିଲେ ବୋଲି ତାଙ୍କର ବିଶ୍ୱାସ ଦୃଢ ହୋଇଥିଲା, କିନ୍ତୁ ମଣିଷଙ୍କୁ କିଏ ନେଇ ଯାଉଛି, ତାହା ସେ ମୋଟେ ବୁଝିପାରୁ ନଥିଲେ ।
ତେବେ ସେ ନିଜ ସନ୍ଦେହ ପ୍ରକଟ ନ କରି କହିଲେ, “ଆଚ୍ଛା, ଆପଣମାନେ ଆଉ ଚିନ୍ତା କରନ୍ତୁ ନାହିଁ । ଏଥର ଘରକୁ ଯାନ୍ତୁ । ମୁଁ ଯଥାଶୀଘ୍ର ଉଗ୍ରାକ୍ଷ ଓ ତା’ ଅନୁଚରମାନଙ୍କୁ ନିୟନ୍ତ୍ରଣକୁ ଆଣିବାର ଚେଷ୍ଟା କରିବି ।”
ଚିତ୍ରସେନଙ୍କର ଏପ୍ରକାର ଉତ୍ତର ଶୁଣି ତାଙ୍କ ପ୍ରଧାନ ମନ୍ତ୍ରୀ ଜତୀନ୍ଦ୍ର ଗଭୀର ଚିନ୍ତାରେ ପଡିଲେ । ସେ ଚିତ୍ରସେନଙ୍କ ପାଖକୁ ଆସି କହିଲେ, “ମହାରାଜ, ଉଗ୍ରାକ୍ଷ ବଡ ଭୀଷଣ ରାକ୍ଷସ ବୋଲି ମୁଁ ଶୁଣିଛି ।”
ପ୍ରାସାଦ ଆଡକୁ ଗୋଡ ବଢାଇ ଚିତ୍ରସେନ କହିଲେ, “ମନ୍ତ୍ରୀବର! ସେ ଭୟଙ୍କର ରାକ୍ଷସ ହୋଇପାରେ । ତା’ ବୋଲି କ’ଣ ଆମେ ପ୍ରଜାଙ୍କ ଅଭିଯୋଗ ପାଇବା ପରେ ମଧ୍ୟ ତା’ ଅନ୍ୟାୟ ପ୍ରତି ଆଖି ବୁଜି ରହିବା? ସେନାପତି ଶକ୍ତିସିଂହ କାହାଁନ୍ତି?”
ସେନାପତି ତ ପଛେ ପଛେ ଚାଲିଥିଲେ । ରାଜାଜ୍ଞା ପାଇ ଆଗକୁ ଆସି ସେ କହିଲେ, “ମହାରାଜ, ମୋପାଇଁ କ’ଣ ଆଜ୍ଞା?”
ଚିତ୍ରସେନ ପ୍ରଶ୍ନକଲେ “ସେନାପତି! ତୁମ ସୈନ୍ୟଦଳର ଅବସ୍ଥା କିପରି? ସେମାନେ ଯଥେଷ୍ଟ ସାହସୀ ଓ ଯୁଦ୍ଧ-ନିପୁଣ ତ?”
ସେନାପତି ଏ ପ୍ରଶ୍ନରେ ଅଶ୍ୱସ୍ତି ଅନୁଭବ କଲେ । ସେ କହିଲେ, “ମହାରାଜ! ଆମ ସୈନ୍ୟମାନଙ୍କ ବିଷୟରେ ମୁଁ ସେନାପତି ହୋଇ କ’ଣ ବା କହିବି! ଆପଣ ସେମାନଙ୍କୁ ଆଦେଶ ଦେଇ ଦେଖି ପାରନ୍ତି । ଆଦେଶ ପାଇଲେ ସେମାନେ ଏ ପର୍ବତମାଳାକୁ ବି ଚୁର୍ଣ୍ଣ କରିଦେବେ ।”
ଏହା ଶୁଣି ଚିତ୍ରସେନ ହସିଲେ । ତା’ପରେ ସେ କହିଲେ “ସେନାପତି! ପର୍ବତକୁ ଚୁନା କରିବାକୁ ଆରମ୍ଭ କଲେ ପର୍ବତ ତ ଆଉ ବାଧା ଦେବ ନାହିଁ । ସେ କାମ ତ ଯିଏ ହେଲେ ବି କରିପାରିବ । ତୁମ ସୈନ୍ୟମାନେ ରାକ୍ଷସକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି କି?”
“ଆପଣ କ’ଣ ରାକ୍ଷସ ଉଗ୍ରାକ୍ଷ କଥା କହୁଛନ୍ତି? ସେ ରାକ୍ଷସ ତ ବଡ ଭୀଷଣ…” ସେନାପତି ତାଙ୍କ ବାକ୍ୟ ସଂପୂର୍ଣ୍ଣ କରି ପାରିଲେ ନାହିଁ । ସତେ ଅବା ତାଙ୍କ ପାଟିରେ ଜାବ ପଡିଗଲା ।
ଚିତ୍ରସେନ ପୁଣି ହସିଲେ ଓ କହିଲେ, “ଶକ୍ତିସିଂହ, ସେନାପତି ହୋଇ ତମେ ରାକ୍ଷସର ନାମ ପଡିବା ମାତ୍ରେ ଏମିତି ଡରିଗଲେ କ’ଣ ଚଳିବ? ତମେ ଏମିତି ହେଲେ ସୈନ୍ୟମାନେ କେମିତି ହୋଇଥିବେ? ଆଚ୍ଛା, ଆମ ସୈନ୍ୟ ଶିବୀର କେଉଁଠି?”