ସେନାପତି ଚିତ୍ରସେନଙ୍କୁ ନେଇ ପ୍ରାସାଦର ପଶ୍ଚିମ ଭାଗର ଛାତ ଉପରକୁ ଉଠିଲେ । ତା’ପରେ ଆଗରେ ଗୋଟିଏ ପଥୁରିଆ ପଡିଆ ଆଡକୁ ହାତ ଦେଖାଇ ସେ କହିଲେ, “ମହାରାଜ! ସେଇଠି ଶିବୀର ନିର୍ମାଣ ସକାଶେ କାମ ଚାଲିଛି । ସ୍ଥାନକୁ ସମତଳ କରାଯାଉଛି ।”
ପ୍ରାୟ ଦୁଇ ହଜାର ସରିକି ଲୋକ ବଣ ବୁଦା ପରିଷ୍କାର କରି ଓ ପଥର ତାଡି ସ୍ଥାନଟି ଶିବୀର ପାଇଁ ପ୍ରସ୍ତୁତ କରିବାରେ ଲାଗିଥିଲେ । ଖାଲି ପ୍ରାସାଦ ଓ ଧନଧାନ୍ୟ ନୁହେଁ, ତାଙ୍କର ବିରାଟ ସେନାଦଳ ଅଛନ୍ତି, ଏହା ବୁଝି ଚିତ୍ରସେନ ବେଶ୍ ଗର୍ବ ଅନୁଭବ କଲେ । ଯେଉଁ ସିଦ୍ଧ ସାଧକଙ୍କ ଦୟାରୁ ସେ ହଠାତ୍ ଏ ସୌଭାଗ୍ୟର ଅଧିକାରୀ ହୋଇଥିଲେ, ତାଙ୍କ ଉଦ୍ଧେଶ୍ୟରେ ସେ ମନେ ମନେ କୃତଜ୍ଞତା ଜଣାଇଲେ ।
ସେନାପତି ଧୀର କଣ୍ଠରେ କହିଲେ “ମହାରାଜ, ରାକ୍ଷସ ଉଗ୍ରାକ୍ଷ ବିରୁଦ୍ଧରେ ଅଭିଯାନ କରିବା ପୂର୍ବରୁ ଆମକୁ କେତୋଟି ବିଷୟରେ ଚିନ୍ତା କରିବାକୁ ହେବ ।”
ଚିତ୍ରସେନ ପଚାରିଲେ “ସେନାପତି! ଉଗ୍ରାକ୍ଷ ବିରୁଦ୍ଧରେ ସୈନ୍ୟ ପ୍ରୟୋଗ କରିବାର ଉଦ୍ଧେଶ୍ୟ ମୋର ନାହିଁ । ମୁଁ ନିଜେ ଯାଇ ତା’ ସହ କଥାବାର୍ତ୍ତା ହେବାକୁ ଚାହେଁ । ସେ କେଉଁଠାରେ ରହେ, ତମେ ତାହା ଜାଣିଛ କି?”
ତହୁଁ ସେନାପତି କହିଲେ “ମହାରାଜ, ମୁଁ ଗୁପ୍ତଚର ଲଗାଇ ତା’ର ନିବାସର ସନ୍ଧାନ ଆଣିଦେଇ ପାରିବି । କିନ୍ତୁ ଆପଣ କ’ଣ ଏକା ତା’ ପାଖକୁ ଯିବେ?”
ରାଜା କହିଲେ “ସେନାପତି! ମୁଁ ମୋ ସାଥିରେ କେତେଜଣ ସୈନିକ ନେଇଯିବି । ଚାହିଁଲେ ତମେ ନିଜେ ବି ମୋ ସହ ଆସିପାର ।”
ରାଜାଙ୍କ କଥା ଶୁଣି ସେନାପତି ଶକ୍ତିସିଂହ କହିଲେ, “ଆପଣଙ୍କର ଯେପରି ଇଚ୍ଛା! ଖାଲି ମୁଁ କାହିଁକି, ଆମର ସମୁଦାୟ ସୈନ୍ୟ ଆପଣଙ୍କ ପାଇଁ ପ୍ରାଣପାତ କରିବାକୁ ବି କେବେବି ପଛେଇବେ ନାହିଁ ।”
ସେ ରାକ୍ଷସର ଠିକଣା ଜଣାଥିବା ଗୁପ୍ତଚର ପାଖରେହିଁ ଥିଲେ । ତା’ପରେ ଠିକଣା ବୁଝି ସେନାପତି ଓ କେତେଜଣ ସୈନିକ ଧରି ଚିତ୍ରସେନ ରାକ୍ଷସର ନିବାସ ଆଡେ ଚାଲିଲେ । ସେମାନେ ସେ ଅଂଚଳରେ ପହଁଚିବା ବେଳକୁ ଦୁଇପହର ହୋଇ ଯାଇଥାଏ । ସେତେବେଳେ ଉଗ୍ରାକ୍ଷର ଅନୁଚରମାନେ କେହି କେହି ଶୋଇଥିଲେ, କେହି କେହି ଦିବା ନିଦ୍ରା ପରେ ଉଠି ବସିଥିଲେ । ଚିତ୍ରସେନଙ୍କ ଦଳ ଉପରେ ଆଖି ପଡିବାରୁ ସେମାନେ ପ୍ରଥମେ ଆଶ୍ଚର୍ଯ୍ୟ ହେଲେ ଓ ପରେ ଅଟ୍ଟହାସ୍ୟ କଲେ । ଜଣେ ଆଉ ଜଣଙ୍କୁ କହିଲା, “ଏମାନେ ବହୁତ ବିବେକୀ! ତେଣୁ ଆମ ଆହାର ହେବା ନିମନ୍ତେ ବଳେ ବଳେ ସେମାନେ ଆସି ଏଠି ପହଁଚି ଯାଇଛନ୍ତି ।”
ସେମାନଙ୍କୁ ଅନାଇ ଚିତ୍ରସେନ ଦୃଢକଣ୍ଠରେ କହିଲେ, “ଶୁଣ । ମୋ ନାମ ଚିତ୍ରସେନ । ତମ ରାଜାଙ୍କୁ ଖବର ଦିଅ । ମୁଁ ତାଙ୍କ ସହ ଦେଖା କରିବାକୁ ଚାହେଁ ।”