ତାଙ୍କ କଥା ଶୁଣି ରାକ୍ଷସମାନେ ହସିଲେ । ଜଣେ କହିଲା, “କାହିଁକି? ସବୁ ମଣିଷଙ୍କ ମାଂସ କ’ଣ ଏକା ପ୍ରକାର ନୁହେଁ? ତମ ମାଂସ କ’ଣ ଏଡେ ସୁସ୍ୱାଦୁ ଯେ ଆମ ରାଜା ତାକୁ ଖାଇବେ? ତମେ ତ ବହୁତ ସୁନ୍ଦର ପୋଷାକ ପିନ୍ଧିଛ! ତମେ ଆଉ କୌଣସି ରାଜା ନୁହଁ ତ?”
ପ୍ରତ୍ୟୁତ୍ତର ଆସିଲା “ହଁ, ମୁଁ ରାଜା ଚିତ୍ରସେନ । ଏଠାରୁ ପାଂଚ କୋଶ ଦୂରରେ ମୋର ବିଶାଳ ପ୍ରାସାଦ ଅଛି । ଦେଖିନାହଁ କି? ବର୍ତ୍ତମାନ ସେସବୁ ବାଜେ କଥା ବନ୍ଦ କରି ରାକ୍ଷସରାଜ ଉଗ୍ରାକ୍ଷକୁ ଖବର ଦିଅ । ନହେଲେ ମଜା ଦେଖାଇବି ।”
ଚିତ୍ରସେନଙ୍କର ଏଭଳି ଦମ୍ଭପୂର୍ଣ୍ଣ କଥା ଶୁଣି ରାକ୍ଷସମାନେ ହସ ବନ୍ଦ କଲେ । ଜଣେ କହିଲା, “ଓଃ, ଆପଣ ତାହେଲେ ରଜା! ଆମେ ଜାଣି ନଥିଲୁ । ଆମ ରାଜା ଉଗ୍ରାକ୍ଷ ଆପଣଙ୍କ ବିଷୟରେ ଆମକୁ ସବୁ କହିଛନ୍ତି । ଆପଣ ଆମକୁ ଭାବି ନେତା ଯୋଗାଇ ଦେବେ, ସେକଥା ବି ଆମେ ଜାଣିଛୁ । ବସନ୍ତୁ । ଆମେ ଖବର ଦେଉଛୁ ।”
ଏହାପରେ ସେମାନେ ତାଙ୍କୁ ବାଟ କଢାଇ ନେଇଗଲେ । ଅଳ୍ପ ଦୂରରେ ଗୋଟିଏ ପାହାଡ ଖୋଦାଇ କରି ଉଗ୍ରାକ୍ଷର ପ୍ରାସାଦ ନିର୍ମିତ ହୋଇଥାଏ । ତାହାର ନିର୍ମାଣ ଓ ଅବସ୍ଥିତି ଏପରି ଯେ କୌଣସି ସୈନ୍ୟବାହିନୀ ଯୁଦ୍ଧ କରି ତାକୁ ଅଧିକାର କରିବା ମୋଟେ ସମ୍ଭବପର ନୁହେଁ । ଅନ୍ୟ କୌଣସି ରାକ୍ଷସବାହିନୀ ମଧ୍ୟ ତାକୁ ଅଧିକାର କରି ପାରିବେ କି ନାହିଁ, ତାହା ତ ସନ୍ଦେହର କଥା ।
ଚିତ୍ରସେନ ବିସ୍ମିତ ଭାବରେ ସେ ଦୁର୍ଗ ନିରୀକ୍ଷଣ କରି ଅଗ୍ରସର ହେଲେ । ମୁଖ୍ୟ ଦ୍ୱାର ଅତିକ୍ରମ କରିବା ମାତ୍ରେ ଗୋଟାଏ ପ୍ରଚଣ୍ଡ ଅଟ୍ଟହାସ୍ୟ ସେ ଶୁଣିଲେ । ଆଗକୁ ବଢିଯାଇ ସେ ଦେଖିଲେ, ଉଗ୍ରାକ୍ଷ ଗୋଟିଏ ଉଚ୍ଚ ଶିଳା ଉପରେ ବସିଛି ।
“ଚିତ୍ରସେନ! କ’ଣ, ତମ ଜୈଷ୍ଠ ପୁତ୍ରକୁ ନେଇ ଆସିଛ?” ଏହା ପଚାରି ସେ ଚିତ୍ରସେନଙ୍କ ଆଡକୁ ଓ ତା’ପରେ ତାଙ୍କ ପଛରେ ଥିବା ଲୋକଙ୍କ ଆଡକୁ କଟମଟ କରି ଅନାଇଲା ।
ଚିତ୍ରସେନ ପ୍ରଶ୍ନ କଲେ “ଉଗ୍ରାକ୍ଷ! ତମର କ’ଣ ମତିଭ୍ରମ ହେଲାଣି କି? ମାତ୍ର ଦୁଇଦିନ ତଳେ ତମ ସହ ମୋର ପରା କଥା ହୋଇଥିଲା । ଏହା ଭିତରେ କ’ଣ ଅଠର ବର୍ଷ ବିତିଗଲାଣି ବୋଲି ତମର ଧାରଣା?”
ଉଗ୍ରାକ୍ଷ ପୁଣି ଅଟ୍ଟହାସ୍ୟ କଲା ଓ କହିଲା, “ଚିତ୍ରସେନ! ରାକ୍ଷସର ମତି ଠିକ୍ ଥିବା ଅବସ୍ଥାରେ ବି ସେ ମଣିଷ ପ୍ରତି କେଡେ ଯେ ଭୟଙ୍କର ହୋଇ ପାରେ, ସେକଥା ତ ସମସ୍ତେ ଜାଣନ୍ତି । ତେବେ ଭାବ ତା’ର ମତିଭ୍ରମ ହେଲେ ସେ କେଡେ କ୍ଷତି ନ କରିବ?”
ଚିତ୍ରସେନ ଆକ୍ଷେପ କରି କହିଲେ “ଉଗ୍ରାକ୍ଷ! ମୁଁ ସେହି ବିଷୟରେ ହିଁ ତୁମ ସହ କଥା ହେବାକୁ ଆସିଛି । ତମ ଅନୁଚରମାନେ ମୋ ପ୍ରଜାଙ୍କୁ ଧ୍ୱଂସ କରୁଛନ୍ତି!”
ରାଜାଙ୍କ କଥା ଶୁଣି ଉଗ୍ରାକ୍ଷ ଟିକିଏ ଆଶ୍ଚର୍ଯ୍ୟ ହେଲା ଭଳି କହିଲା “ତମ ପ୍ରଜା?” ତା’ପରେ ସେ ପୁଣି କହିଲା, “ଅବଶ୍ୟ । ତମେ ସେପରି କହିପାର । ହଁ, କ’ଣ ହେଲାଟି?”