ଚିତ୍ରସେନ କହିଲେ “ବଣ ଭିତରେ ଥିବା ଲୋକଙ୍କ ପଶୁମାନଙ୍କୁ ତଥା ମଣିଷଙ୍କୁ ତମ ଅନୁଚରମାନେ ନେଇ ଆସୁଛନ୍ତି । ଏହା ତ ନିହାତି ଅନ୍ୟାୟ କାର୍ଯ୍ୟ ।”
ଉଗ୍ରାକ୍ଷ ଏହା ଶୁଣି ଗମ୍ଭୀର ଭାବରେ ବସି ରହିଲା । ଅଳ୍ପ ସମୟ ନୀରବ ରହି ସେ କହିଲା, “ଶୁଣ ଚିତ୍ରସେନ । ତମ ଧାରଣା ଭୁଲ୍ । ମଣିଷମାନଙ୍କୁ ଯେଉଁମାନେ ଅପହରଣ କରୁଛନ୍ତି, ସେମାନେ ତ ମୋ ଅନୁଚର ନୁହଁନ୍ତି ।”
ଚିତ୍ରସେନ ଉତ୍ତେଜିତ ଭାବରେ ପଚାରିଲେ, “ଉଗ୍ରାକ୍ଷ! ତମେ ତାହେଲେ କ’ଣ କହିବାକୁ ଚାହଁ ତମ ଅନୁଚରମାନେ ନିରୀହ, ସେମାନେ ମଣିଷ ଖା’ନ୍ତି ନାହିଁ?”
“ମୁଁ ସେକଥା ତ କହୁ ନାହିଁ । କେବେ କେବେ ପର୍ବ ବା ଉତ୍ସବରେ ରାକ୍ଷସମାନେ ମଣିଷ ଖାଇ ପକାନ୍ତି । ମଣିଷକୁ ହଇରାଣ ହରକତ ବି କରନ୍ତି । କିନ୍ତୁ ବସ୍ତିରୁ ମଣିଷ ଅପହରଣ କରି ଆଣିବା ଆମର ଅଭ୍ୟାସ ନୁହେଁ । ଯେଉଁମାନେ ସେ କାମ କରୁଛନ୍ତି, ସେମାନେ ଆମଠୁଁ ବି ବଳି କ୍ରୁର ।” ଏହା କହି ଉଗ୍ରାକ୍ଷ ଟିକିଏ ଚୁପ୍ ରହିଲା ।
ଚିତ୍ରସେନ ପଚାରିଲେ “ତେବେ ସେମାନେ କିଏ?”
ଉଗ୍ରାକ୍ଷ ପଚାରିଲା “ଚିତ୍ରସେନ, ତମେ ଅଗ୍ନିଦ୍ୱୀପର ନାମ ଶୁଣିଛ?”
ଚିତ୍ରସେନ କିଛି ନ କହି ଉତ୍ସୁକ ହୋଇ ରାକ୍ଷସ ମୁହଁକୁ ଅନାଇ ରହିଲେ ।
ରାକ୍ଷସ ପୁଣି କହିଲା, “ଚିତ୍ରସେନ, ତମେ ଆଜି ରାତିକ ଏଇଠି ରହିଯାଅ । ଯେଉଁ କ୍ରୁର ଜୀବଙ୍କ କଥା ମୁଁ କହୁଛି, ସେମାନେ ରାତିରେ ଭୀଷଣକାର ପକ୍ଷୀମାନଙ୍କ ଉପରେ ସବାର୍ ହୋଇ ଏ ମୁଲକକୁ ଆସନ୍ତି । ସେ ପକ୍ଷୀଙ୍କୁ ସାମ୍ନା କରିବା ତ ଆମ ପକ୍ଷରେ ବି ସହଜ ନୁହେଁ । ଥରେ ସେମାନଙ୍କ ଭିତରୁ ଗୋଟାକୁ ଆମେ ଧରିଥିଲୁ । କିନ୍ତୁ ସେ ମରିଗଲା । ତା’ କଙ୍କାଳ ଅଛି । ଦେଖିବାକୁ ଚାହଁ?”
ଚିତ୍ରସେନ କହିଲେ “ନା, ଉଗ୍ରାକ୍ଷ । ସେ କଙ୍କାଳ ଦେଖି ଲାଭ ଆଉ କ’ଣ? ତମ ପରାମର୍ଶ ମାନି ଆମେ ବରଂ ରାତିରେ ଏଇଠି ହିଁ ରହିବୁ । ଆମକୁ ସେ ଭୀଷଣ ଆଗନ୍ତୁକମାନଙ୍କୁ ଦେଖାଇ ଦିଅ ।”
ରାଜାଙ୍କ କଥା ଶୁଣି ଉଗ୍ରାକ୍ଷ ତା’ ମୁଣ୍ଡ ହଲାଇ ସମ୍ମତି ଦେଲା ।