ଧବଳଗିରି ରାଜ୍ୟ ନର୍ମଦା ନଦୀ ତୀରରେ ଅବସ୍ଥିତ ଥିଲା । ସେ ଅନେକ ପୁରା କାଳର କଥା । ସେତେବେଳେ ରାଜା ତାରକେଶ୍ୱର ସେ ରାଜ୍ୟ ଶାସନ କରୁଥିଲେ । ତାଙ୍କର ଦୁଇ ପୁଅ ଥିଲେ, ସେମାନେ ହେଲେ – ଶୂରସେନ ଓ ଚିତ୍ରସେନ । ବଡ ଶୂରସେନଙ୍କ ବୟସ ପଚିଶ; ମାତ୍ର ସାନ ଚିତ୍ରସେନଙ୍କ ବୟସ ଅଠର ।
ଦିନେ ସକାଳେ ସେ ଦୁଇ ରାଜପୁତ୍ର ବଣ ଭିତରକୁ ଶୀକାର ପାଇଁ ବାହାରିଗଲେ । ବଣ ଭିତରେ ପଲେ ହରିଣ ସେମାନଙ୍କ ଆଖିରେ ପଡିଲେ । ଘୋଡା ଉପରେ ସବାର୍ ହୋଇ ସେ ଦୁଇ ରାଜପୁତ୍ର ସେ ହରିଣ ଦଳର ଅନୁଧାବନ କଲେ । ସେମାନେ ତୀବ୍ର ଗତିରେ ଏତେ ଆଗକୁ ଚାଲିଗଲେ ଯେ ସେମାନଙ୍କ ଅନୁଚରମାନେ ସେମାନଙ୍କଠାରୁ ଅନେକ ପଛରେ ପଡି ରହିଲେ ।
ହଠାତ୍ ସେମାନେ ଗୋଟାଏ ଭୀଷଣ ଗର୍ଜନ ଶୁଣିଲେ । ଧନୁତୀର ଯୋଖି ସେମାନେ ଆତ୍ମରକ୍ଷା ତଥା ଆକ୍ରମଣ ସକାଶେ ପ୍ରସ୍ତୁତ ହୋଇଗଲେ । ଆଖି ପିଛୁଳାକେ ଦୁଇ ସିଂହ ବୁଦା ଭିତରୁ ବାହାରି ପଡି ସେମାନଙ୍କୁ ଆକ୍ରମଣ କଲେ । ଘୋଡା ଦୁଇଟି ତର୍ କି ଯାଇ ବୁଲି ପଡି ଦୌଡିବାକୁ ଲାଗିଲେ । ସେମାନଙ୍କୁ ଅକ୍ତିଆରରେ ରଖିବା ସହଜ ନଥିଲା ।
ବେଶ୍ କିଛି ଦୂର ସେମିତି ଯିବା ପରେ ରାଜକୁମାର ଚିତ୍ରସେନ ନିଜ ଘୋଡାର ଲଗାମ୍ ଟାଣିଲେ । କିନ୍ତୁ ଘୋଡା ଅଟକିଲା ନାହିଁ । ତୀର ଗତିରେ ଛୁଟିବାକୁ ଲାଗିଲା ।
ଅନେକ ଦୂର ଯାଇ ଗୋଟାଏ ପାହାଡିଆ ସ୍ଥାନରେ ସେ ଅଟକିଲା । ସେତେବେଳେ ତା’ ମୁହଁରୁ ଫେଣ ବାହାରୁଥାଏ । ତଳେ ପଡିଯାଇ ସେ ଶେଷ ନିଶ୍ୱାସ ତ୍ୟାଗ କଲା ।
ଚିତ୍ରସେନ ଭୀଷଣ କ୍ଳାନ୍ତ ହୋଇ ତଳେ ବସି ପଡିଲେ ଓ ଏଣେ ତେଣେ ଅନାଇଲେ । ବଡ ଭାଇକୁ କାହିଁ କେଣେ ଦେଖିଲେ ନାହିଁ । ସେ ବୁଝିପାରିଲେ ଯେ ଶୂରସେନ ଓ ଅନୁଚରମାନଙ୍କଠାରୁ ସେ ବିଚ୍ଛିନ୍ନ ହୋଇ ପଡିଛନ୍ତି ।
ସେ ଅଂଚଳରେ ଘନ ବଣ ଯୋଗୁଁ ସୂର୍ଯ୍ୟ କିରଣ ପ୍ରାୟ ତଳେ ପଡୁ ନଥାଏ । ଗଛ ଡାଳମାନଙ୍କରେ ମାଙ୍କଡପଲ ଡିଆଁଡେଇଁ କରୁଥିଲେ । ଚତୁର୍ଦ୍ଦିଗରୁ ପକ୍ଷୀମାନଙ୍କ କଳରବ ଶୁଭୁଥାଏ । ବଡ ବଡ ସାପ ବି ଏଣେ ତେଣେ ଦେଖିବାକୁ ମିଳୁଥିଲେ ।
ଚିତ୍ରସେନ ଭୟଭୀତ ହୋଇ ଠିଆ ହୋଇ ରହିଥାନ୍ତି । ଖାଲି ଯେ ନିଜ ଲୋକଙ୍କଠୁଁ ସେ ଦୂରେଇ ଆସିଥିଲେ, ତା ନୁହେଁ, ଆଖ ପାଖରେ କୌଣସି ଗାଁ ଗଣ୍ଡା ନାହିଁ ବୋଲି ମଧ୍ୟ ସେ ବୁଝି ପାରିଲେ ।
ଘୋଡା ତ ମରି ଯାଇଥାଏ । ବର୍ତ୍ତମାନ ନିଜ ନଗରକୁ ଚାଲି ଚାଲି ଯିବା ଛଡା ତାଙ୍କ ନିକଟରେ ଆଉ ଅନ୍ୟ ଉପାୟ କିଛି ନାହିଁ । କିନ୍ତୁ ନଗର କେଉଁ ଦିଗରେ, ତାହା ସେ ଠଉରାଇ ପାରୁ ନଥାନ୍ତି ।
ସେ ଅଳ୍ପଦୂର ଯାଇ ଗୋଟିଏ ପାହାଡ ଦେଖିଲେ । ପାହାଡ ଉପରୁ ଗୋଟିଏ ଛୋଟ ପ୍ରପାତ ତଳେ ଆସି ଶବ୍ଦ କରି ପଡୁଥାଏ । ଝରଣାର ସ୍ୱଚ୍ଛ ଜଳ ଦେଖି ସେ ଦୌଡିଗଲେ ଓ ସେ ଶୀତଳ ପାଣି ପିଇ ତୃଷା ମେଂଟାଇଲେ ।