ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବହ୍ନି ଦ୍ୱୀପ

ପାଣି ପିଇସାରି ସେ ବିଶ୍ରାମ କଲେ ଓ ନିଜର କର୍ତ୍ତବ୍ୟ କ’ଣ, ସେ ବିଷୟରେ ଚିନ୍ତା କଲେ । ସେ ଆଶା କରୁଥିଲେ କି ତାଙ୍କ ବଡ ଭାଇ ମଧ୍ୟ ସିଂହ କବଳରୁ ଖସିଯାଇଛନ୍ତି । ସେ ବି ହୁଏତ ଏହି ବଣ ଭିତରେ ଆସି ବାଟ ନପାଇ ଏଣେ ତେଣେ ବୁଲୁଥିବେ । ଅନ୍ତତଃ ଦୁଇ ଭାଇ ଏକାଠି ହେଲେ ଦୁହିଁଙ୍କର ମନୋବଳ ଫେରି ଆସିବ ଓ ଦୁହେଁ ବିପଦ ସମୟରେ ଦୁହିଁଙ୍କୁ ରକ୍ଷା କରିବେ ।

ଏକଥା ମନକୁ ଆସିବା ମାତ୍ରେ ସେ ଉଠି ଠିଆ ହେଲେ ଓ ପାଟି କରି ଡାକିଲେ, “ଭାଇ ଶୁରସେନ! ଭାଇ ଶୂରସେନ! ତୁମେ କେଉଁଠି ଅଛ? ମୁଁ ତୁମ ସାନଭାଇ ଚିତ୍ରସେନ ତୁମକୁ ଡାକୁଛି ।” ଏହିପରି ସେ ବାରମ୍ବାର ସବୁ ଦିଗକୁ ମୁହଁ କରି ଚିତ୍କାର କରି ଡାକିଲେ ।

କିନ୍ତୁ ତାଙ୍କ ଡାକ ପାହାଡ ଗାତ୍ରରେ ବାରମ୍ବାର ପ୍ରତିଧ୍ୱନିତ ହେଲା ସିନା ହେଲେ ଆଉ କିଛି ଫଳ ହେଲା ନାହିଁ । ସଙ୍ଗେ ସଙ୍ଗେ ଜଳ ପ୍ରବାହର ଅନ୍ୟ ଦିଗରେ ଥିବା ଗୋଟିଏ ଗୁମ୍ଫା ଭିତରୁ କେହି କହିଲା, “ତମେ କିଏ? ମୁଁ ଏହା ପୂର୍ବରୁ ଏ ମୂଲକରେ କୌଣସି ମଣିଷର କଣ୍ଠ ଶୁଣି ନାହିଁ । ଆଜି ପ୍ରଥମ କରି ଶୁଣୁଛି । ମନେହୁଏ ତମ ଭାଗ୍ୟ ବହୁତ ଭଲ । ଆସ, ଏଆଡେ ଶବ୍ଦ ବାରି ମୋ ନିକଟକୁ ଆସ ।”

ଚିତ୍ରସେନ ଏକଥା ଶୁଣି ହଠାତ୍ ଚମକି ଉଠିଲେ । ସାହସ ସଂଚୟ କରି ସେ ଉଚ୍ଚ କଣ୍ଠରେ ପଚାରିଲେ, “କିଏ ତମେ? ଖାଂଟି ରାକ୍ଷସ ନା ନରମାଂସ ଭକ୍ଷୀ କୌଣସି କ୍ରୁର ବଣ୍ୟ ନର-ରାକ୍ଷସ? ବାହାରି ଆସ । ମୋ ତରବାରୀ ଅନେକ ସମୟ ହେଲା କାମ କରିନାହିଁ ।”

ଚିତ୍ରସେନଙ୍କ କଥା ଶେଷ ନ ହେଉଣୁ ସେ ଗୁମ୍ଫା ଭିତରୁ ଏକ ବିଚିତ୍ର ମଧୁର ହସ ଶୁଭିଲା । ତା’ପରେ ସେ ଗୁମ୍ଫାବାସୀ ପୁଣି କହିଲା, “ପୁଅ! ତୁ ବେଶ୍ ସାହସୀ । ମୁଁ ମଧ୍ୟ ଏଠାରେ ତୋହରି ଭଳି ଜଣେ ଲୋକର ପ୍ରତୀକ୍ଷାରେ ଥିଲି । ମୁଁ କୌଣସି ରାକ୍ଷସ ନୁହେଁ କି ନର-ରାକ୍ଷସ ନୁହେଁ କି କୌଣସି ସାଧାରଣ ମଣିଷ ବି ନୁହେଁ । ମୁଁ ଜଣେ ସାଧକ ପୁରୁଷ । କଠୋର ତପସ୍ୟା କରି ମୁଁ କିଛିଟା ସିଦ୍ଧି ପାଇଛି । ତୋତେ କିଛି ମୂଲ୍ୟବାନ ଜିନିଷ ଦେବି । ତୋର ସୌଭାଗ୍ୟ ତୁ ଏଠି ଆସି ପହଁଚି ଯାଇଛୁ । ଆ, ମୋଠୁଁ ଆସି ଏ ଜିନିଷ ନେଇ ଯା’ ।”

ଚିତ୍ରସେନ ଭାବିଲେ, “ଗୁମ୍ଫା ଭିତରେ ଯଦି ସତରେ ରାକ୍ଷସ ଥିବ, ତେବେ ତା’କୁ ଏଡାଇ ପଳାଇବା ମୋଟେ ସହଜ ହେବ ନାହିଁ । ଯେମିତି ହେଲେ ବି ମୋତେ ତା’ ସହ ଲଢେଇ କରିବାକୁ ହେବ । ଆଉ ଯଦି ସତରେ ସେ ଲୋକଟି କୌଣସି ସିଦ୍ଧ ପୁରୁଷ ହୋଇଥିବ, ତେବେ ତ ମୋର ଉପକାରହିଁ ହେବ । ଅତଏବ ବୀର ଭଳି ମୁଁ ତାକୁ ସାମ୍ନା ନ କରିବି କାହିଁକି?”

ଚିତ୍ରସେନ ତରବାରୀ ବାହାର କରି ଧରିଲେ ଓ ଧୀରେ ଧୀରେ ପାଣି ଭିତର ଦେଇ ଯାଇ ଅନ୍ୟ ତୀରରେ ପହଁଚିଲେ । ସେ ପଟେ ଅନେକ ଗୁଡିଏ ଗୁମ୍ଫା । ସେ ଗୋଟାଏ ପରେ ଗୋଟାଏ ଗୁମ୍ଫା ଭିତରକୁ ଉଙ୍କିମାରି ଦେଖୁଥାନ୍ତି । କିନ୍ତୁ ଆଉ ବେଶି ସମୟ ଖୋଜାଖୋଜି କରିବାକୁ ପଡିଲା ନାହିଁ । ଗୋଟାଏ ଗୁମ୍ଫା ଭିତରୁ ସେ ଡାକରା ପାଇଲେ, “ଯୁବକ! ଭୟ କର ନାହିଁ, ମୋ ପାଖକୁ ତୁ ସିଧା ଚାଲି ଆ ।”

ସେ ଅପରିଚିତ କଣ୍ଠସ୍ୱର ଆସୁଥିବା ଗୁମ୍ଫା ପାଖରେ ଚିତ୍ରସେନ ଯାଇ ଯଥାଶୀଘ୍ର ପହଁଚିଗଲେ ଓ ତା’ ଭିତରକୁ ଦୃଷ୍ଟିପାତ କଲେ । ଦେଖିଲେ ଭିତରେ ଜଣେ ସନ୍ନ୍ୟାସୀ ବସିଛନ୍ତି । ତାଙ୍କ ଦାଢୀ ଓ ଜଟା ପୁରା ଧଳା । ସେତେବେଳେ ସେ ଖଣ୍ଡିଏ ପଥର ଉପରେ ବସିଥିଲେ ।

ସେହି ଗୁମ୍ଫା ଉପରେ କେଉଁଠି ଗୋଟିଏ ଛିଦ୍ର ଥିଲା । ତହିଁ ଭିତରଦେଇ ସୂର୍ଯ୍ୟ କିରଣ ଆସି ସେ ଗୁମ୍ଫା ଭିତରର ଅନ୍ଧକାରକୁ ଦୂର କରୁଥାଏ ।

ସେ ତେଜସ୍ୱୀ ସନ୍ନ୍ୟାସୀଙ୍କୁ ଦେଖି ନିଜ ଆଚରଣ ଯୋଗୁଁ ଚିତ୍ରସେନ ବହୁତ ଅନୁତାପ କଲେ । ସେ ତରବାରୀ କୋଷରେ ପୁରାଇ ସନ୍ନ୍ୟାସୀଙ୍କ ପାଖକୁ ଯାଇ ତାଙ୍କୁ ପ୍ରଣାମ କଲେ ଓ ବିନୟ ପୂର୍ବକ କହିଲେ, “ମହାଶୟ, ମୋ ଧୃଷ୍ଟତା ମାର୍ଜନା କରନ୍ତୁ ।”

“ଯୁବକ, ତୁ ଜଣେ ଉତ୍ତମ କ୍ଷତ୍ରୀୟ ବୋଲି ମୋର ବିଶ୍ୱାସ । ମୁଁ ଏଠାରେ ଷାଠିଏ ବର୍ଷ କାଳ ତପସ୍ୟା କରିଛି । ବର୍ତ୍ତମାନ ମୋର ମୃତ୍ୟୁ ସମୟ ଆସିଗଲାଣି । ତପସ୍ୟାରୁ ଯେଉଁ ଫଳ ପାଇଛି, ତାହାକୁ ଉପଯୋଗ କଲାଭଳି ବଳ ଆଉ ମୋର ନାହିଁ ।” ଏହା କହି ସନ୍ନ୍ୟାସୀ ନିଜ ପାଖରେ ଥିବା ବାଉଁଶ ପେଡିଟିଏ ଚିତ୍ରସେନଙ୍କୁ ବଢାଇ ଦେଲେ ।

ସେ ପେଡି ଭିତରେ କ’ଣ ଅଛି ବୋଲି ଚିତ୍ରସେନ ଭାରି ଉତ୍ସୁକ ହୋଇ ତାହା ଖୋଲିବାକୁ ଚେଷ୍ଟା କରିବାରୁ ସନ୍ନ୍ୟାସୀ କହିଲେ, “ବାପା, ବ୍ୟସ୍ତ ହୁଅନା । ଏ ସ୍ଥାନରେ ଏହା ଖୋଲିବା ଆଦୌ ଉଚିତ୍ ନୁହେଁ । ତୁ ଯେଉଁଠାରେ ତୋ’ର ସ୍ଥାୟୀ ବାସସ୍ଥାନ ବନାଇବୁ, ସେଇଠାରେହିଁ ଏହାକୁ ଖୋଲିବୁ । ମୋ କଥା ମନେ ରଖିବୁ । ଲୋକେ ଧୈର୍ଯ୍ୟ ଅଭାବରୁ ଅନେକ ସମୟରେ ବିଭିନ୍ନ ପ୍ରକାର ବିପଦରେ ପଡନ୍ତି । ତେଣୁ ସାବଧାନ୍ ।”

ଚିତ୍ରସେନ ସନ୍ନ୍ୟାସୀଙ୍କୁ ପ୍ରଣାମ କରି କହିଲେ, “ମହାତ୍ମା! ଆପଣଙ୍କର ଏ ଦୟା ନିମନ୍ତେ ଆପଣଙ୍କ ନିକଟରେ ମୁଁ ବହୁତ କୃତଜ୍ଞ । ମୋ ଦ୍ୱାରା ଯଦି କୌଣସି ସେବା ହୋଇପାରିବ, ତେବେ ମୋତେ ନିର୍ଦେଶ ଦିଅନ୍ତୁ । ମୁଁ ଅତି ଆନନ୍ଦରେ ତାହା କରିବି ।”

ସନ୍ନ୍ୟାସୀ କହିଲେ “ବାପା! ମୋର ତ ସମୟ ଶେଷ ହୋଇ ଆସିଲାଣି । ଏଣୁ କୌଣସି ପ୍ରକାର ସେବା ଆଉ ମୋର ଲୋଡା ନାହିଁ । ତେବେ ତୁ ମୋର ଗୋଟାଏ ଉପକାର କରି ପାରିବୁ । ଏ ଗୁମ୍ଫାରୁ ବାହାରି ଯିବା ପରେ ଗୁମ୍ଫା ଦ୍ୱାରର ପୂର୍ବ ଦିଗରେ ଗୋଟିଏ ତ୍ରିକୋଣାକୃତି ଶିଳାଖଣ୍ଡ ଦେଖିବୁ । ତାହା ତଳେ ଆଘାତ କରିବୁ । ସେତିକି ମୋର ଯଥେଷ୍ଟ ପ୍ରତ୍ୟୁପକାର ହେବ ।”

ଚିତ୍ରସେନ ଗୁମ୍ଫା ବାହାରକୁ ଆସିଲେ । ସନ୍ନ୍ୟାସୀଙ୍କର ବିବରଣୀ ଅନୁସାରେ ସେ ଗୁମ୍ଫାର ପୂର୍ବ ଦିଗରେ ଗୋଟିଏ ତ୍ରିକୋଣାକୃତି ଶିଳାଖଣ୍ଡ ଦେଖିଲେ । ସେ ତା’ ତଳେ ଖଣ୍ଡିଏ ପଥର ବାଡେଇ ଆଘାତ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ