ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବହ୍ନି ଦ୍ୱୀପ

ତତ୍କ୍ଷଣାତ୍ ଏକ ଭୀଷଣ ଶବ୍ଦ ହେଲା । ସାରା ପର୍ବତ ସେଥିରେ କମ୍ପି ଉଠିଲା । ସେ ଗୁମ୍ଫା ଗୋଟିଏ ବିଷ୍ଫୋରଣରେ ଧୂଳିସାତ ହୋଇଗଲା ।

ଚିତ୍ରସେନ ଆଶ୍ଚର୍ଯ୍ୟ ହୋଇ ଅନାଇ ଦେଖିଲେ, ଗୁମ୍ଫାର କୌଣସି ଅସ୍ତିତ୍ୱ ଆଉ ସେଠାରେ ନାହିଁ । ସେ କିଛି ସମୟ ଠିଆ ହୋଇ ରହି ତା’ପରେ ପୁଣି ବାଟଚଲା ଆରମ୍ଭ କଲେ । ସେ ପ୍ରବାହ ପାରି ହୋଇ ବଣ ଭିତର ଦେଇ ଅଗ୍ରସର ହେଲେ । ପଥ ଦୁର୍ଗମ । ଯେଉଁଠି ଗଛଲତା କମ୍ ସେ ସେହି ବାଟଦେଇ ଆଗକୁ ଚାଲିଲେ । ଥରେ ଥରେ କଂଟା ବୁଦା ଓ ସାପମାନଙ୍କୁ ଏଡାଇ ହାତେ ଦୁଇହାତ ଆଗକୁ ଯିବାବି କାଠିକର ହେଉଥାଏ ।

ସୂର୍ଯ୍ୟ ଡୁବିବାକୁ ଆଉ ବେଶି ବିଳମ୍ବ ନଥାଏ । ଚିତ୍ରସେନଙ୍କୁ ଭୋଖ ବି ଲାଗୁଥାଏ ।

ସେ ଆହୁରି କିଛି ଦୂର ଅଗ୍ରସର ହୋଇ ଦେଖିଲେ ଗୋଟିଏ ପଡିଆ ଭଳି ସ୍ଥାନ ଅଛି । ସେଠି ବେଶି ଗଛଲତା ନାହିଁ । ହଠାତ୍ ସେ ହାତରେ ଧରିଥିବା ସେ ପେଟି ଭିତରେ କ’ଣ ଅଛି ତାହା ଜାଣିବାକୁ ତାଙ୍କ ଆଗ୍ରହ ପ୍ରବଳ ହେଲା । ସେ ସନ୍ନ୍ୟାସୀ ଦେଇଥିବା ସତର୍କବାଣୀ ପୁରାପୁରି ଭୁଲି ଯାଇଥାନ୍ତି ।

ସେ ଯେମିତି ପେଟି ଖୋଲି ତହିଁ ଭିତରକୁ ଅନାଇଛନ୍ତି, ତାଙ୍କ ଆଖି ଆଗରେ କିଛି ଏପରି ଭାବରେ ଝଲସି ଉଠିଲା ଯେ ସେ ଆଖି ବନ୍ଦ କଲେ । ମୁହୂର୍ତ୍ତକ ପରେ ଆଖି ଖୋଲି ସେ ଯାହା ଦେଖିଲେ, ସେଥିରେ ତାଙ୍କ ବିସ୍ମୟର ସୀମା ରହିଲା ନାହିଁ ।

ସେ ଦେଖିଲେ ତାଙ୍କ ଆଗରେ ଗୋଟିଏ ସୁରମ୍ୟ ଅଟ୍ଟାଳିକା ଠିଆ ହୋଇଛି! ସେ ନିର୍ନିମେଷ ନୟନରେ ଅନେକ ସମୟ ଯାଏଁ ତା’ଆଡେ ଅନାଇ ରହିଲେ । ତା’ପରେ ସନ୍ନ୍ୟାସୀଙ୍କ ଚେତାବନୀ ବିଷୟ ତାଙ୍କର ମନେ ପଡିଲା । “ବାସ୍ତବିକ, ଏ ସୁରମ୍ୟ ଅଟ୍ଟାଳିକା ଏ ଜନହୀନ ଅଂଚଳରେ ଥାଇ କ’ଣ ବା ଲାଭ? ମୁଁ ସିନା ଧବଳଗିରି ନଗରରେ ପହଁଚି ଏ ପେଟି ଖୋଲିଥାନ୍ତି! ସେଠାରେ ଏ ଅଟ୍ଟାଳିକା କେଡେ ଶୋଭା ପାଇଥାନ୍ତା! ମୋ ଧୈର୍ଯ୍ୟହୀନତା ଓ ବୋକାମୀ ଯୋଗୁଁ ସନ୍ନ୍ୟାସୀଙ୍କ ପାଖରୁ ପାଇଥିବା ଅପୂର୍ବ ସିଦ୍ଧି ଯାହା ନଷ୍ଟ କରିଦେଲି!”

ଚିତ୍ରସେନ ଏହିସବୁ କଥା ଭାବୁଛନ୍ତି, ହଠାତ୍ ହୁ ହୁ ଶବ୍ଦ ଶୁଭିଲା । ଗଛଲତା ସବୁ ଦୋହଲିବାକୁ ଲାଗିଲା । ଲାଗିଲା ସତେ ଅବା ତୋଫାନ୍ ଆସିଛି । ତା’ପରେ ସେ ଦେଖିଲେ, ଗଛଲତା ଗହଳରୁ ଗୋଟାଏ ରାକ୍ଷସ ବାହାରି ଆସିଲା । ଚିତ୍ରସେନ ତରବାରୀ ବାହାର କରି ତାକୁ ସାମ୍ନା କରିବା ନିମନ୍ତେ ପ୍ରସ୍ତୁତ ହୋଇ ରହିଲେ ।

ରାକ୍ଷସ ଅଟ୍ଟହାସ୍ୟ କରୁ କରୁ ତାଙ୍କ ଆଗକୁ ଆସି କହିଲା, “ଦୁଃସାହସ ତ କମ୍ ନୁହେଁ! ମୋତେ ଦେଖି ଲୋକେ ଛାଟିପିଟି ହୋଇ ପଳାନ୍ତି; ଆଉ ତୁ ତରବାରୀ ବାହାର କରୁଛୁ! ଆଜିଯାଏଁ ମୁଁ ଏଭଳି ମଣିଷଟାଏ କେବେବି ଦେଖି ନଥିଲି ।”

ଏହା କହି ରାକ୍ଷସ ପଛକୁ ବୁଲିପଡି ଦେଖିଲା ଓ ପଚାରିଲା, “କହ, ଏ ମହଲ୍ ତୁ ବନାଇଛୁ?”

ଚିତ୍ରସେନ ଅବିଚଳିତ କଣ୍ଠରେ ଉତ୍ତର ଦେଲେ “ହଁ । ମୁଁ ବନାଇଛି ।”

ରାକ୍ଷସ ପୁଣି ଅଟ୍ଟହାସ୍ୟ କଲା । ଏଥର ତା’ ହସ ସହିତ କ୍ରୋଧବି ମିଶିଥାଏ । “ହଇରେ ଟୋକା! ଏ ବଣ କ’ଣ ତୋ ବାପା ଜେଜେବାପା ବସାଇଥିଲେ ଯେ ତୁ ଏଠି ଘର ତୋଳି ପକାଇଲୁ? ଏ ସ୍ଥାନ ମୋର – ରାକ୍ଷସ ଉଗ୍ରାକ୍ଷର । ମୋ ବିନା ଅନୁମତିରେ ମହଲ ବନାଇବାକୁ ତୁ କିଏ? ଏହିକ୍ଷଣି ତୋତେ ଓ ତୋ ଘରକୁ ଉଠାଇ ଢେଲା ଭଳି ପାହାଡ ସେପାରିକୁ ଫୋପାଡି ଦେଇ ପାରେ ବୋଲି ଜାଣିଛୁ?” ଏହା କହି ରାକ୍ଷସ ଚିତ୍ରସେନଙ୍କୁ ଉଠାଇ ନେବା ନିମନ୍ତେ ଅଗ୍ରସର ହେଲା ।

ଚିତ୍ରସେନ ପଛକୁ ହଟିଗଲେ ଓ କହିଲେ, “ଉଗ୍ରାକ୍ଷ, କାହିଁକି ଏତେ ଅଧୈର୍ଯ୍ୟ ହେଉଛ? ମୁଁ ଏ ମହଲ୍ ବନାଇବା ଦ୍ୱାରା ତମର କ’ଣ ଏମିତି କ୍ଷତି ହେଲା? ଯଦି କହିବ, ତେବେ ମୁଁ ଏ ମହଲ୍ ଛାଡି ଅନ୍ୟତ୍ର ଚାଲିଯିବି । ଏଥିରେ ଏତେ ମାତ୍ରାରେ ରାଗିବାର କ’ଣ ଅଛି?”

ଉଗ୍ରାକ୍ଷ କହିଲା “ତୁ ଟୋକା ଭାରି ଧୂର୍ତ୍ତ, ନା? ମୋ ବଣରେ ମୋତେ ଖାତିର୍ ନକରି ତୋର ଯାହା ଇଚ୍ଛା ତୁ ତାହା କରିବୁ, ଆଉ ମୁଁ ତୋତେ ନ ମାରି ଛାଡି ଦେବି? ଆଚ୍ଛା, ଯଦି ମୋର ଗୋଟାଏ ସର୍ତ୍ତ ମାନିବୁ, ତେବେ ମୁଁ ତୋତେ ଛାଡିଦେବି ।”

ଚିତ୍ରସେନ ପଚାରିଲା “କି ସର୍ତ୍ତ?”

“ତୁ ଏ ମହଲରେ ସୁଖରେ ରହ । ମୁଁ ତୋତେ ସେଥିରେ ଆଦୌ ବାଧା ଦେବି ନାହିଁ । କିନ୍ତୁ ତୋ ବଡ ପୁଅକୁ ଯେତେବେଳେ ଅଠର ବର୍ଷ ବୟସ ଆସି ହେବ, ତୁ ତାକୁ ମୋତେ ଦେଇଦେବୁ । ଏହାହିଁ ମୋର ସର୍ତ୍ତ । କ’ଣ ଏଥିରେ ରାଜି ତ?”

ରାକ୍ଷସର ଏ ସର୍ତ୍ତ ଚିତ୍ରସେନକୁ ବଡ ବିଚିତ୍ର ଲାଗିଲା । କାହିଁକିନା ଏବେ ସୁଦ୍ଧା ତ ତାଙ୍କର ବିବାହ ହୋଇ ନାହିଁ । ପୁଣି ପୁଅକୁ ଅଠର ବର୍ଷ ହେବା ଯାଏଁ ରାକ୍ଷସ କ’ଣ ଏ ସର୍ତ୍ତ ମନେ ରଖିବ? ସେ ଯାହା ହେଉ, ଆପାତତଃ ବିପଦରୁ ମୁକୁଳିଯିବା ସୁବିଧାଜନକ ହେବ ବୋଲି ରାକ୍ଷସର ସର୍ତ୍ତ ସେ ମାନିନେବାକୁ ଠିକ୍ କଲେ ।

ଚିତ୍ରସେନ କହିଲେ “ରାକ୍ଷସ ଉଗ୍ରାକ୍ଷ! ତମ ସର୍ତ୍ତ ମୁଁ ମାନିନେଲି । ମୋ ଜ୍ୟେଷ୍ଠ ପୁତ୍ରକୁ ଅଠର ବର୍ଷ ବୟସ ହେଲେ ମୁଁ ତାକୁ ତୁମକୁ ସମର୍ପି ଦେବି । ତମେ ମୋତେ ବିଶ୍ୱାସ କର ।”

ରାକ୍ଷସ ଖୁସି ହେଲା । “ବେଶ୍ । ତମକୁ ପ୍ରାଣଦାନ ଦେଲି । ସାବଧାନ୍! ପ୍ରତିଶୃତି ରକ୍ଷା କରିବାକୁ ହେବ!” ରାକ୍ଷସ ଏହା କହି ସେଠାରୁ ଚାଲିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ