“ମହାରାଜ! ଆପଣଙ୍କ କଥା ଉପରେ ଭରସା ରଖି ମୁଁ ତଳକୁ ଆସୁଛି ।” ଏହା କହି ସେ ଲୋକଟି ତୁରନ୍ତ ତଳକୁ ଚାଲି ଆସିଲା ।
ଚିତ୍ରସେନ ନିର୍ଦ୍ଧେଶ ଦେଲେ “ତମର ଭୟଭୀତ ହେବାର କୌଣସି କାରଣ ନାହିଁ । ନିଜ ତରବାରୀଟି ଆମ ସେନାପତିଙ୍କୁ ଦେଇଦିଅ ।” ଲୋକଟି ଚିତ୍ରସେନଙ୍କ ସେନାପତିଙ୍କ ହାତକୁ ତରବାରୀ ବଢାଇ ଦେଲା ।
ଉଗ୍ରାକ୍ଷ ଚୁପ୍ ଚୁପ୍ ଚିତ୍ରସେନଙ୍କୁ କହିଲା “ଚିତ୍ରସେନ, ଏହାକୁ ଯନ୍ତ୍ରଣା ଦେଇ କଥା କୁହାଇବା ବୋଧହୁଏ ଦରକାର ହେବ ନାହିଁ । ମନେ ହୁଏ ଲୋକଟି ଆପଣାଛାଏଁ ସବୁ କହିଦେବ ।” ଲୋକଟି ସେକଥା ବୁଝିପାରି କହିଲା, “ହଁ, ହଁ, ମୁଁ ଯାହା ଜାଣେ ସବୁ କହିଦେବି । ଅଗ୍ନିଦ୍ୱୀପର ସେ ଦୁଷ୍ଟଲୋକେ ମୋତେ ବନ୍ଧୁ ଭଳି ବ୍ୟବହାର ଦେଖାଇ ଏଠାକୁ ନେଇ ଆସିଲେ, କିନ୍ତୁ ବିପଦବେଳେ ମୋତେ ଛାଡି ପଳାଇଲେ । ବର୍ତ୍ତମାନ ସେମାନେ ପୂର୍ବ ସାଗରରେ ସ୍ଥିତ ଅଗ୍ନିଦ୍ୱୀପରେ ପହଁଚି ଯିବେଣି ।”
ଚିତ୍ରସେନ ପଚାରିଲେ “ତମେ ନିଜେ କ’ଣ ଅଗ୍ନିଦ୍ୱୀପର ବାସିନ୍ଦା ନୁହଁ?”
ଲୋକଟି ଉତ୍ତର ଦେଲା “ଆଜ୍ଞା, ଅଗ୍ନିଦ୍ୱୀପର ଲୋକ ହୋଇଥିଲେ କି ମୋର ଆଜି ଏପରି ଦୁର୍ଦ୍ଦଶା ହୁଅନ୍ତା? ମୁଁ କପିଳପୁରର ରାଜା ନାଗବର୍ମାଙ୍କ ସୈନ୍ୟବାହିନୀର ଲୋକ । ମୋ ନାମ ଅମରପାଳ ।”
ଚିତ୍ରସେନ ଆଶ୍ଚର୍ଯ୍ୟ ହୋଇ ପଚାରିଲେ “ନାଗବର୍ମା? ନାଗବର୍ମା ତ କପିଳପୁରର ସେନାପତି ଥିଲା । ସେ କେବେ ରାଜା ହେଲା? ରାଜା ବୀରସିଂହ ଗଲେ କୁଆଡେ?”
ଅମରପାଳ କହିଲା “ମହାରାଜା ବୀରସିଂହ ଅଗ୍ନିଦ୍ୱୀପର କୌଣସି କାରାଗାରରେ ବନ୍ଦୀ ଥିବେ । ନାଗବର୍ମା ତାଙ୍କ ରାଜ୍ୟ ଅପହରଣ କରି ତାଙ୍କୁ ଅଗ୍ନିଦ୍ୱୀପକୁ ପଠାଇ ଦେଇଛି । ଖାଲି ସେତିକି ନୁହେଁ, ତାଙ୍କର ଏକମାତ୍ର କନ୍ୟା ରାଜକୁମାରୀ କାନ୍ତିମତିଙ୍କୁ ସେ ବିବାହ କରିବ ବୋଲି ଜିଦ୍ ଧରିଛି । ଅଗ୍ନିଦ୍ୱୀପର କ୍ରୁର ଲୋକଙ୍କ ସାହାଯ୍ୟରେ ସେ ଆଖପାଖର ରାଜ୍ୟ ସବୁକୁ ନିଜ ଅଧୀନକୁ ଆଣି ନିଜକୁ ସେ ରାଜଚକ୍ରବର୍ତ୍ତୀ ବୋଲାଇବାକୁ ଚାହେଁ ।”
ଚିତ୍ରସେନ ତ ଆଖପାଖର ରାଜ୍ୟ ସବୁ ବିଷୟରେ ବିଶେଷ କିଛି ଜାଣି ନଥିଲେ । ଅମରପାଳର କଥା କେତେଦୂର ସତ୍ୟ, ତାହା ସେ ଠଉରାଇବାକୁ ଚେଷ୍ଟା କରୁଥିଲେ ।
ସେତିକିବେଳେ ଅଳ୍ପ ଦୂରରୁ ଘୋଡାର ଟାପୁ ଶବ୍ଦ ଶୁଭିଲା । ଚିତ୍ରସେନ ଦେଖିଲେ, “ତାଙ୍କ ମନ୍ତ୍ରୀ ଜ୍ୟୋତୀନ୍ଦ୍ର ଚାରିଜଣ ସୈନିକ ସାଥିରେ ଧରି ଆସୁଛନ୍ତି । ଜ୍ୟୋତୀନ୍ଦ୍ର ଘୋଡାରୁ ଓହ୍ଲାଇ ଚିତ୍ରସେନଙ୍କୁ ଅଭିବାଦନ କରି କହିଲେ, “ମହାରାଜ, ଆପଣଙ୍କ ପିତାଙ୍କ ପାଖରୁ କିଛି ଜରୁରୀ ଖବର ଆସିଛି । ତାଙ୍କ ରାଜ୍ୟ ଧବଳଗିରି ଉପରେ ନାଗବର୍ମା ନାମକ କୌଣସି ଦୁଷ୍ଟ ଚଢଉ କରିଛି । ଆପଣଙ୍କ ସୈନ୍ୟଦଳ ଧରି ଆପଣ ଧବଳଗିରିର ସହାୟତା ପାଇଁ ଯାଆନ୍ତୁ ।”
ଚିତ୍ରସେନ ସଙ୍ଗେ ସଙ୍ଗେ ତାଙ୍କ ସେନାପତିଙ୍କୁ କହିଲେ, “ତମେ ଆଉ କାଳ ବିଳମ୍ବ ନକରି ଆମ ସୈନ୍ୟଦଳରୁ ଅର୍ଦ୍ଧେକ ଧରି ଧବଳଗିରି ଯାତ୍ରା କର । ଏଠାକାର ଅବସ୍ଥା ମୁଁ ସମ୍ଭାଳିବି ।”
“ଯେ ଆଜ୍ଞା ମହାରାଜ!” ଏହା କହି ସେନାପତି ସେଠାରୁ ଚାଲିଗଲେ ।
ଉଗ୍ରାକ୍ଷ ଅମରପାଳକୁ ପଚାରିଲା, “ନାଗବର୍ମା ସହିତ କ’ଣ ସେ ଭୟଙ୍କର ପକ୍ଷୀ ଉପରେ ସବାର୍ ହେବା ଅଗ୍ନିଦ୍ୱୀପର ଲୋକେ ଅଛନ୍ତି?”
ଅମରପାଳ କିଛି କହିବାକୁ ଯାଉଥିଲା, କିନ୍ତୁ ସେ ଅଟକିଗଲା । ସେ ସମସ୍ତଙ୍କ ମୁହଁକୁ ଓ ପରେ ଥରେ ଆକାଶ ଆଡକୁ ଅନାଇଲା ।