ସୁତରାଂ ଉଗ୍ରାକ୍ଷ ଅପେକ୍ଷା କଲା । କିଛି ସମୟ ପରେ ଦାସୀମାନେ ଗୋଟିଏ ପିଲାକୁ ଆଣି ତା’ ଆଗରେ ଠିଆ କରାଇ ଦେଲେ । ଉଗ୍ରାକ୍ଷ ତାକୁ ଭଲ ଭାବରେ ଲକ୍ଷ୍ୟ କରି ତା’ପରେ ସେ ଦାସୀମାନଙ୍କୁ ପଚାରିଲା, “ଏଥର ତମମାନଙ୍କର ଆଉ କିଛି ଭୁଲ୍ ହୋଇ ନାହିଁ ତ? ଯଦି ମୋ ସହ ଖେଳ ଖେଳୁଥିବ, ତେବେ ତା’ର ପରିଣତି କିଛି ବି ଭଲ ହେବ ନାହିଁ, ଏହା ଭଲ ଭାବରେ ଜାଣି ରଖ ।”
ଏପରି କଥା ଶୁଣି ଜଣେ ଦାସୀ କହିଲା, “ତମର ସନ୍ଦେହ ହେଉଥିଲେ ଏ ବାଳକକୁ ପଚାରୁନାହଁ କାହିଁକି?”
ସେତେବେଳେ ତ ରାଜା ଚିତ୍ରସେନ ସେଠାରେ ନଥିଲେ । ଉଗ୍ରାକ୍ଷ ସେ ବାଳକ ପାଖକୁ ଯାଇ ତାକୁ ପଚାରିଲା, “ତୋ’ନାମ କ’ଣ?”
ତହୁଁ ସେ ବାଳକଟି ଉତ୍ତର ଦେଲା, “ମୋ ନାମ ଯୁବରାଜ!”
ଏସବୁ ଶୁଣି ଦାସୀମାନେ ହସିଲେ । ତା’ପରେ ସେମାନେ କହିଲେ, “ରାକ୍ଷସରାଜ, ତମେ ଯେତେହେଲେ ବି ଜଣେ ରାକ୍ଷସ! ମଣିଷ ସମାଜର କଥାବାର୍ତ୍ତାର ଢଙ୍ଗ ତମକୁ ଆଉ କେତେଦୂର ଜଣାଥା’ନ୍ତା? ତମେ ସିନା ସେ ପିଲାକୁ ସିଏ କାହାର ପୁଅ ସେକଥା ପଚାରିଥାନ୍ତ?”
ଉଗ୍ରାକ୍ଷ ଦାସୀମାନଙ୍କ ଆଡକୁ କୌତୁକପୂର୍ଣ୍ଣ ଦୃଷ୍ଟିରେ ଅନାଇ କହିଲା, “ତମେମାନେ ନିଜ ନିଜକୁ ଭାରି ବୁଦ୍ଧିମାନ ଠଉରାଇଛ, ନୁହେଁ? ପିଲା ମୋ ପ୍ରଶ୍ନର ଉତ୍ତର କ’ଣ ଦେବ, ସେକଥା କ’ଣ ତମେମାନେ ତାକୁ ଶିଖାଇ ଦେଇ ନଥିବ? ଠିକ୍ ଅଛି । ଇଏ ରାଜପୁତ୍ର କି ନୁହେଁ, ମୁଁ ବଣ ଭିତରେ ପହଁଚି ଭିନ୍ନ ପ୍ରକାର ପରୀକ୍ଷା ଦ୍ୱାରା ସେକଥା ଧରିନେବି । ଯଦି ତମେମାନେ ପୁଣି ମୋତେ ଦଗା ଦେଇଛ ବୋଲି ମୁଁ ଜାଣିବି, ତେବେ ତମମାନଙ୍କୁ ଧରି ନେଇଯିବି ଓ ମୋ ରାକ୍ଷସ ଅନୁଚରମାନଙ୍କ ସହ ବିଭା କରାଇଦେବି!”
ସେ ରାକ୍ଷସର ଏପ୍ରକାର ଧମକ ଶୁଣି କେହି କେହି ଦାସୀ ହସିଲେ ତ ଆଉ କେହି କେହି ଡରିଗଲେ । ଉଗ୍ରାକ୍ଷ ସେ ସୁକୁମାର ବାଳକଟିକୁ କାନ୍ଧରେ ବସାଇ ଲମ୍ବ ଲମ୍ବ ପାଦ ପକାଇ ଜଙ୍ଗଲ ଆଡେ ଅଗ୍ରସର ହେଲା ।
ଜଙ୍ଗଲ ଭିତରେ କିଛି ଦୂର ଯିବା ପରେ ପୂର୍ବ ପିଲାଟି ଯେଉଁଠାରେ ତାକୁ ଶୁଖିଲା ଡାଙ୍ଗ ଖଣ୍ଡିଏ ମାଗିଥିଲା, ସେ ସେଇଠାରେ ପହଁଚି ଏ ପିଲାର ପରୀକ୍ଷା ନେବାକୁ ମନ କଲା । ସେ ତାକୁ ଡାଙ୍ଗ ଖଣ୍ଡିକ ଦେଖାଇ ପଚାରିଲା, “ଆଚ୍ଛା, ତୋତେ ଯଦି ଏ ଡାଙ୍ଗ ଖଣ୍ଡିକ ଦେବି, ତେବେ ତୁ ତାକୁ ନେଇ କ’ଣ କରିବୁ?”
ତହୁଁ ସେ ପିଲା କହିଲା, “ମୁଁ କିଛି କରିବି ନାହିଁ । ବାପାକୁ ଦେଇଦେବି ।”
ଏବେ ସେ ରାକ୍ଷସ ପୁଣି ପଚାରିଲା, “ବାପା ତାକୁ ନେଇ କରିବ କ’ଣ?”
ତା’ପରେ ସେ ପିଲାଟି ଉତ୍ତର ଦେଲା, “କାହିଁକି? ମୋଠାରୁ କୌଣସି ଗୋରୁ ବାହାରି ପଳାଇଲେ ତା’ ଆଡେ ଲକ୍ଷ୍ୟ କରି ଏହା ଫୋପାଡିବ ନହେଲେ ତାକୁ ଏଥିରେ ବାଡେଇ ପୁଣି ଗୋଠ ଭିତରକୁ ନେଇ ଆସିବ!”