ଉଗ୍ରାକ୍ଷର ଉତ୍ସାହର ସୀମା ନଥାଏ । ସେ ବେଗରେ ଅଗ୍ରସର ହେଲା ଓ କାନ୍ଧରେ ବସିଥିବା ରାଜକୁମାରକୁ କହିଲା, “ପୁଅ, ତୁ ଆଜିଠାରୁ ମୋ ପୁଅ । ତୋ ସେବାରେ ଶହେ ରାକ୍ଷସ ନିଯୁକ୍ତ ରହିବେ । ତୁ ଯାହା କହିବୁ, ତାହା ହିଁ ହେବ ।”
ଉଗ୍ରାକ୍ଷର ଦୁର୍ଗ ଆଗରେ କେତେ ରାକ୍ଷସ ରାକ୍ଷସୀ ଠିଆ ହୋଇଥିଲେ । ଉଗ୍ରାକ୍ଷ ରାଜକୁମାରକୁ ଧରି ଫେରିବାର ଦେଖି ସେମାନେ ଜୟଧ୍ୱନି କଲେ । ଉଗ୍ରାକ୍ଷ ସେମାନଙ୍କୁ କହି ରଖିଥିଲା କି ଦିନେ ସେ ସେମାନଙ୍କ ଭାବି ରାଜାଙ୍କୁ ଆଣି ସେମାନଙ୍କୁ ଦେଖାଇବ ।
“ଶୁଣ ସମସ୍ତେ । ଏ ବାଳକକୁ ମୋ ପୁତ୍ର ଜ୍ଞାନ କରିବ । ଏହାର ନାମ ହେଲା ଉଗ୍ରଦତ । ଇଏ ହେଲା ତୁମର ଭାବି ନେତା ଓ ରାଜା ।”
ଏହା ଘୋଷଣା କରି ଉଗ୍ରାକ୍ଷ ବାଳକକୁ ନେଇ ନିଜ ପ୍ରାସାଦର ସବୁଠାରୁ ସୁନ୍ଦର ସଜ୍ଜିତ ଘର ଭିତରେ ରଖିଲା । ତା’ର ସବୁ ପ୍ରକାର ସ୍ୱାଚ୍ଛନ୍ଦ୍ୟର ବ୍ୟବସ୍ଥା କରିଦେଲା ।
ତା’ପରେ ସେ ତା’ର ଦୁଇଜଣ ବିଶ୍ୱସ୍ତ ଅନୁଚରଙ୍କୁ ଡାକି କହିଲେ, “ଉଗ୍ରଦତର ସମବୟସ୍କ ଯୋଡିଏ ମଣିଷ ପିଲା ସଂଗ୍ରହ କର । ଅତି ସାବଧାନରେ ଏ କାମ କରିବାକୁ ହେବ । ରାଜା ଚିତ୍ରସେନ ଯେପରି ନ ଜାଣନ୍ତି ଯେ ଆମେ ରାକ୍ଷସମାନେ ମଣିଷ ପିଲା ଚୋରି କରୁଛୁ । ଯେଉଁଠାରୁ ପିଲାଟିଏ ଆଣିବ, ସେଠାରେ ସ୍ୱର୍ଣ୍ଣମୁଦ୍ରା ଭର୍ତ୍ତି ଏ ଥଳିଟିଏ ଥୋଇଦେବ ।” ଏହା କହି ଉଗ୍ରାକ୍ଷ ଅନୁଚର ଦୁଇଜଣଙ୍କ ଆଡେ ଦୁଇଟି ଥଳି ଫୋପାଡି ଦେଲା ।
ଦିନକ ପରେ ସକାଳେ ଉଗ୍ରାକ୍ଷ ରାଜକୁମାରଙ୍କୁ ଖେଳାଉଛି, ଠିକ୍ ସେହି ସମୟରେ ସେ ଦୁଇ ଅନୁଚର ଦୁଇ ବାଳକଙ୍କୁ ଧରି ଆସି ପହଁଚିଲେ । ସେତେବେଳେ ସେ ବାଳକ ଦୁଇଟି କାନ୍ଦୁଥିଲେ ।