ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବାଜି ଜିତି ବାହା

                ଭୋଜରାଜାଙ୍କର ଝିଅକୁ ବାହା ଦେବାର ଏହି ପଣ କଥା ରାଜା ବିକ୍ରମାଦିତ୍ୟ ବି ଚିଟାଉ ପଢି ଜାଣିଲେ । ସେ ତ ଆଗରୁ ଶୁଣିଥିଲେ ରାଜକନ୍ୟା ଭାନୁମତୀର ରୂପରେ ଗୁଣରେ କୌଣସି ତୁଳନା ନାହିଁ ।

                ସେ ଅପୂର୍ବ ସୁନ୍ଦରୀ ପଦ୍ମିନୀ ଜାତିର କନିଆ । ତାଙ୍କର ରାଣୀ ହେବା ପାଇଁ ଠିକ୍ ସେମିତିକା ଝିଅଟିଏ ଦରକାର । ବିକ୍ରମାଦିତ୍ୟ ଖୁବ୍ ସାହସୀ ରାଜା । ତାହାଙ୍କ ମନ ଭିତରେ ଯେଉଁ ଝୁଙ୍କ୍ ବା ନିଶା ଧରିଥିବ, ସେଥିରୁ ସେ ଆଦୌ ଓହରିଯିବେ ନାହିଁ । ଯେମିତି ହେଉ, କଳେ ବଳେ କଉଶଳେ ସେହି କାମ ହାସଲ ହେବାଯାଏଁ ଜୋକପରି ସେଇଥିରେ ଲାଗିଥିବେ ସେ ରାଜା ।

                ତହିଁ ଆରଦିନ ବିକ୍ରମାଦିତ୍ୟ ସଭା ଡକାଇଲେ । ସଭାରେ ମହାମହା ବିଦ୍ୱାନମାନଙ୍କୁ ପଚାରନ୍ତେ ଭୋଜବିଦ୍ୟା ବିଷୟରେ ସେମାନେ କିଛି ବି ଜାଣନ୍ତି ନାହିଁ ବୋଲି ସଫାସଫା ମନା କରିଦେଲେ । ତେବେ ବି ରଜାଙ୍କର ଏକା ଜିଦ୍ ଲାଗିଥାଏ ।

ନିରୋଳା ମନ୍ତ୍ରକୋଠିକୁ ଯାଇ ବିକ୍ରମାଦିତ୍ୟ ତାଳ ବେତାଳଙ୍କୁ ଧ୍ୟାନ କଲେ । ତାଳ ବେତାଳ ଦିହେଁ କୋଧମା କୋଧମା ହୋଇ ପାଂଚହାତିଆ ବଳୁଆଭୁତ ଦି’ଜଣ । ସେମାନଙ୍କ ପାଇଁ ଅସାଧ୍ୟ କାମ ଏହି ଦୁନିଆରେ କିଛି ବି ନାହିଁ । ସେମାନେ ତିନିକାଳ କଥା କହିପାରନ୍ତି । ଏପରିକି ସବୁ କଥା ବି ଜାଣିପାରନ୍ତି । ସବୁ କଥା ଶୁଣିପାରନ୍ତି । ସବୁ କଥା ଦେଖିପାରନ୍ତି । ରାଜା ବିକ୍ରମାଦିତ୍ୟ ବହୁତ କଷ୍ଟ ସହି ସାଧନା କରି ସେ ଦୁହିଁଙ୍କୁ ନିଜ ଆୟତରେ ରଖିଥିଲେ । ରାଜା ସେମାନଙ୍କୁ ଧ୍ୟାନ କରନ୍ତେ ସେ ଦିହେଁ ସେହିକ୍ଷଣି ଆସି ହାଜର ହେଲେ । ତା’ପରେ ସେମାନେ ରାଜାଙ୍କୁ କହିଲେ – “ଛାମୁ, ଆମକୁ କାହିଁକି ସୁମରଣା କଲେ?” ରାଜା ଭାନୁମତୀର ରୂପଗୁଣ ବିଷୟରେ ସବୁ କଥା ଟିକିନିଖି କରି ତାଳବେତାଳଙ୍କୁ କହିଲେ । ଆଉ କହିଲେ ଝିଅର ବାପ ଭୋଜରାଜା ଇମିତି ଗୋଟାଏ ଅଖାଡୁଆ ପଣ କରିଛନ୍ତି ଯେ ଯେଉଁ ରଜାପୁଅ ତାହାଙ୍କ କୁହୁକ ବିଦ୍ୟାକୁ ତିନିଥର ଜିତି ପାରିବ, ତାହାକୁ ସେ ନିଜ ଝିଅକୁ ବାହା ଦେବେ । ମୋର ତ କୁହୁକ ବିଦ୍ୟା ବିଷୟରେ ତ ଆଦୌ ଧାରଣା ନାହିଁ । କାଳେ ତାଳବେତାଳ ଦିହେଁ କିଛି ସାହାଯ୍ୟ କରି ମୋତେ ଜିତାଇ ଦେଇ ପାରନ୍ତି, ଏହି ଆଶାରେ ରାଜା ସେ ଦୁହିଁଙ୍କୁ ଡାକିଛନ୍ତି ବୋଲି ରାଜା କହିଲେ ।

ତାଳ ବେତାଳ ଦିହେଁ ରଜାଙ୍କଠୁଁ ସବୁ କଥା ଶୁଣିଲେ । କିଛି ସମୟ ଗୁମ୍ମାରି ରହି ସେମାନେ କହିଲେ – “ଦେଖ ରାଜା, ତୁମକୁ ଗୋଟାଏ ସତ୍ୟ କରିବାକୁ ପଡିବ । ଆମେ ଯେତେବେଳେ ଯାହା କହିବୁ, ତୁମକୁ ତାହା ମାନିବାକୁ ହେବ । ଯେବେ ଏହା କରିପାରିବ ତ ଆମେ ତୁମକୁ ନିଶ୍ଚେ ଜିତାଇ ଦେବୁ ।” ରାଜା ବିକ୍ରମାଦିତ୍ୟ ତ୍ରିବାର ସତ୍ୟ କଲେ । ତା’ପରେ ସେ ବେତାଳ ଦିହେଁ ଖୁସିହୋଇ କହିଲେ “ତେବେ ଆଉ ଉଛର କରୁଛ କିଆଁ? ତୁମର ଦଳବଳ ନେଇ ବର ବେଶ ସାଜି ବାହାରିପଡ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ