ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବାଜି ଜିତି ବାହା

ବଗିଚାର ଆଗମୁଣ୍ଡରେ ଦିବ୍ୟସୁନ୍ଦର ଦୋତାଲା କୋଠାଟିଏ । ଜାଲିକାମ ଆଉ ଝରକାରେ ଚାରିପାଖ ଭରପୁର । ପୁଣି ନାଁ ତାହାର ମଳୟ ମହଲ ।

ବଗିଚା ପଛକୁ ଲାଗି ରଜାଙ୍କ ବେଂଟ ପୋଖରୀ । ମଝି ଦୀପଦଣ୍ଡରେ ଗଙ୍ଗା ମାତାଙ୍କର ଛୋଟ ମନ୍ଦିରଟିଏ । ପୋଖରୀ ପାଣି କାଚକେନ୍ଦୁ ପରି ନିରିମଳ । ଚାରିପଟରେ ଶଙ୍ଖ ମଲମଲ ପଥରର ପାହାଚ । ଗାଧୁଆ ତୁଠରେ ବୃନ୍ଦାବତୀଙ୍କ ଚଉରାଟିଏ । ଚାରିଦିଗରେ ପବନ ଖାଇବାକୁ ଚାରିଟା ପଥର ବେଂଚ । ରୋଗୀଟିଏ ହେଲେ ବି ଲୋକର ମନ ହେବ ସେହି ପୋଖରୀରେ ଗାଧୋଇବାକୁ ।

ରାଜା ବିକ୍ରମାଦିତ୍ୟଙ୍କ ପଟୁଆର ସେହି ପରିଯନ୍ତେ ଆସିଗଲାରୁ ଭୋଜରାଜାଙ୍କର ସାନପୁଅ କୁମାର ନାରାୟଣ ମହାରାଜାଙ୍କ ଛାମୁରେ ନମସ୍କାର କରି ଜଣାଇଲା, ମୁଁ ଭୋଜରାଜାଙ୍କ ସାନପୁଅ । ଛାମୁ ଏହିବାଟେ ଆସିବେ ବୋଲି ବାପା ମୋତେ ଏହି ସ୍ଥାନରେ ଜଗାଇ ରଖିଛନ୍ତି । ମହାରାଜାଙ୍କୁ ତ ନିଶ୍ଚେ ଏ ପଥକଷ୍ଟ ବାଧିବଣି । ତେଣୁ ଆସନ୍ତୁ… ଆମର ଏଇ ମଳୟମହଲରେ କିଛିକ୍ଷଣି ବିଶ୍ରାମ କରି ପୁଣି ଯାତ୍ରା କରିବେ । ଛାମୁଙ୍କର ପଟୁଆରରେ ଯେତେ ଲୋକ ଅଛନ୍ତି, ସେମାନେ ସମସ୍ତେ ତା’ ଭିତରେ ରହିଯାଇ ପାରିବେ । ଭିତରକୁ ଭାରି ସୁନ୍ଦର ଫୁଲ ବଗିଚାଟିଏ ଅଛି । ତା’ ଭିତରେ ବି ହଜାର ହଜାର ବସି ପବନ ସେବା କରିପାରିବେ । ବଗିଚା ପଛକୁ ଶଙ୍ଖ ମଲମଲ ପଥର ପାହାଚ ଘେରା ବେଂଟ ପୋଖରୀଟିଏ । ସିନାନ ମାଜଣା ଆଉ ସବୁ ନିତିଦିନିଆ କାମ ସାରିବାକୁ ଏହି ସ୍ଥାନଟି ଖୁବ୍ ସୁନ୍ଦର ହେବ ।”

ବିକ୍ରମାଦିତ୍ୟ ତା’ ମୁହଁକୁ ଅନାଇ ଅନାଇ ହସ ହସ ହୋଇ କ’ଣ କହିବାକୁ ଯାଉଥିଲେ । ଠିକ୍ ଏତିକିବେଳେ ବେତାଳ ଦିହେଁ ତା’ଙ୍କ କାନ ପାଖରେ କହିଲେ – “ରାଜା, ଆଗରେ ଯାହାସବୁ ବି ଦେଖୁଛ, ସେଗୁଡାକ ତୁଚ୍ଛା ଭେଳିକି ମାୟା । ତୁମର ପଟୁଆର ଲୋକେ ସେହି କୋଠାଘର ଭିତରେ ପଶିଲେ ତା’ ଛାତ ନିଶ୍ଚୟ ଭାଙ୍ଗିପଡିବ । ସେ ବଗିଚାରେ ପଶିଲା ମାତ୍ରେ ବିରୁଡି ଆଉ ମହୁମାଛିମାନେ ଡଂସି ପକାଇବେ । ସେହି ପୋଖରୀ ଭିତରେ ପଶିଗଲେ ତ ଆଉ ରକ୍ଷା ନାହିଁ । ଅଷ୍ଟାଙ୍ଗ ଶରୀରରେ ଲମ୍ବ ଲମ୍ବ ଜୋକସବୁ ଓହଳି ପଡିବେ । ତେଣୁ ଖବରଦାର, କେହି ଯେମିତି ସେଠିକି ଯିବେ ନାହିଁ । ଆଉ ସେହି ଭୋଜବିଦ୍ୟାକୁ ମାରାକରି ଜିତିବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି, ତୁମେ ବାହାରୁ ଢାଳେ ପାଣି ନେଇଯାଅ, ସେହି ମଳୟ ମହଲର ଦୁଆର ମୁହଁରେ ବସି ଭଲରୂପେ ଝାଡା ପରିସ୍ରା କରିଆସ । ଆଉ ସୈନ୍ୟ, ସାମନ୍ତ, ପଟୁଆର ଲୋକମାନଙ୍କୁ ବି କହିଦିଅ, ସମସ୍ତେ ଯାଇ ସେହି ମଳୟମହଲ କୋଠାର ବାରଣ୍ଡା ଗୋଟାକ ମଳମୂତ୍ରରେ ଭର୍ତ୍ତି କରିଦେଇ ଆସିବେ । ଆଉ ତା’ପରେ ଦେଖିବ, ସାଙ୍ଗେ ସାଙ୍ଗେ ସେ କୋଠା, ବାଡି, ଫୁଲବଗିଚା ଆଉ ପୋଖରୀ କୁଆଡେ ଉଭାଇଯିବ ।” ରାଜା ବିକ୍ରମାଦିତ୍ୟ ତ ବେତାଳଙ୍କ କଥାକୁ କାଟିପାରିବେ ନାହିଁ । ତେଣୁ ସେ ଆଗ ଢାଳ ଘେନିଯିବାକୁ ଚାକରକୁ ବରାଦ ଦେଇ ସେହି ବଗିଚା କୋଠାଆଡେ ଶୂଳେଇ ବିଜେ କଲେ । ତା’ପରେ ପାତ୍ର, ମନ୍ତ୍ରୀ, କଟୁଆଳଙ୍କ ଠାରୁ ଆରମ୍ଭ କରି ପଦାତିକ ପର୍ଯ୍ୟନ୍ତ ସେ ପଟୁଆରର ପ୍ରାୟ ସବୁ ଲୋକେ ଗୋଟି ଗୋଟି ହୋଇ ସେହି କୋଠା ବାରଣ୍ଡା ଆଡେ ପୋଖରୀପାଣି ବସିବାକୁ ଛୁଟିଲେ । ଚାହୁଁ ଚାହୁଁ ସେହି ମଳୟମହଲ କୋଠା ବାରଣ୍ଡା ଗୋଟାକ ମଳ ମୂତ୍ରରେ ପୂରିଗଲା । ରାଜାଙ୍କ ଆଜ୍ଞାକୁ ପୁଣି କିଏ ବା ଲଙ୍ଘନ କରିବ । ତେଣେ ସେ ଭୋଜରାଜାଙ୍କ ସାନ କୁମାର ଏହି ସବୁ କାଣ୍ଡ ଦେଖି ଲାଜରେ ସେଠାରୁ ଲୁଚି ଲୁଚି ତାଙ୍କର ଉଆସକୁ ପଳାଇଲା । ଭୋଜରାଜା ପୁଅକୁ ଦେଖି ପଚାରିଲେ – “କିରେ ବାପ, ଏଥର ଆମର ଜୟ ହୋଇଛି ତ?” ତହୁଁ ସେ ସାନ ପୁଅ ମୁହଁ ଶୁଖାଇ କହିଲା – “ନାହିଁ ବାପା, ଏଥର ବି ମୁଁ ହାରିଗଲି ।” ଭୋଜରାଜା ନିଶ ମୋଡି କହିଲେ – “ହଉ… ହଉ… କିଛି ପରବାୟ କରନାହିଁ । ସେ ଦି’ ବାଜି ଜିତିଛି ତ । ତେବେ ବି ଆଉ ବାଜିଏ ଆମ ହାତରେ ଅଛି । ଏହି ବାଜିକରେ ମୋର କୁହୁକବିଦ୍ୟା ଦେଖିବ । କେମିତି ମଜାରେ ମୁଁ ସେ ରାଜାକୁ ବାଉଳା କରି ଦେବି ଯେ ତା’ ଅକଲ ଘରେ କୋଲପ ପଡିଯିବ । ତା’ପରେ ସେ ରାଜାପୁଅ ବୋକା ପରି ବାଉଳା ହୋଇ ବସି ପାଟି ପାକୁପାକୁ କରୁଥିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ