ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବାଜି ଜିତି ବାହା

ଭୋଜରାଜା ଜୁଆଇଁଙ୍କ କଥାରେ ରାଜିହୋଇ କୁଜାକୁଜୀ ଦିହିଁଙ୍କୁ ଯଉତୁକ ରୂପେ ଦେଲେ । ଆହୁରି ଅନେକ ଘରକରଣା ଦରବ ହୀରା ଠାରୁ ଜୀରାଯାଏଁ, ଗୋଟି ଗୋଟି କରି ମନେ ପକାଇ ଝିଅ ସାଙ୍ଗରେ ଚାରିପୁଞ୍ଜା ଶଗଡ ଗାଡିରେ ବୋଝେଇ କଲେ । ରାଜା ବିକ୍ରମାଦିତ୍ୟ ଶଶୁରଙ୍କୁ ଯଥାବିଧି ମାନ୍ୟକରି ବାହୁଡା ପଟୁଆରରେ ନିଜ ରାଇଜକୁ ବାହାରିଲେ । ଉଆସ ପୋଇଲୀ ପରିବାରୀ, ମୁଦୁସୁଲୀମାନେ ଜେମାଙ୍କୁ ଧରି ଖୁବ୍ ବାହୁନିଲେ, ଗୋଟିଏ ଝିଅ ବୋଲି ରାଣୀ ବି କାନ୍ଦି କାନ୍ଦି ଶେଷରେ ମୁରୁଛା ଗଲେ । ଭୋଜରାଜାଙ୍କ ଆଖିବି ଲୁହରେ ଛଳଛଳ ହୋଇଗଲା ।

ମହାରାଜା ବିକ୍ରମାଦିତ୍ୟ ଚତୁରଙ୍ଗବଳ, ବାଜାବାଲା, ରୋଷଣୀବାଲା, ହାତୀ, ଘୋଡା, ପାରିଷଦଗଣ ଯେମିତି ଆସିଥିଲେ, ତାହା ଠାରୁ ମଧ୍ୟ ଆହୁରି ଉଲ୍ଲାସରେ ବାଟ ସାରା ମଉଜ ମଜଲିସ୍ କରି ଖୁବ୍ ଆନନ୍ଦରେ ନିଜ ଘରକୁ ଫେରିଲେ । କେତେ ଦିନକେ ଯାଇ ବିକ୍ରମାଦିତ୍ୟ ତାଙ୍କ ରାଇଜରେ ପହଁଚିଲେ । ନଗରବାଲା ପରଜାଏଁ ଯେ ଯାହାର ଦୁଆରେ କଦଳୀଗଛ ଆଉ ପୂର୍ଣ୍ଣକୁମ୍ଭର ତୋରଣ ସଜାଇ ରାଜାରାଣୀ ଗଲାବେଳେ ପୁଷ୍ପ ବୃଷ୍ଟି କରି ଶଙ୍ଖ, ଆଉ ହୁଳହୁଳି ଶବ୍ଦରେ ରାଜଦାଣ୍ଡ କମ୍ପାଇଲେ ।

ଉଆସରେ ଆନନ୍ଦର ଲହରୀ ଭାଙ୍ଗୁଥାଏ । ସିଂହଦୁଆର ପୂରି ହଜାର ହଜାର ଲୋକ ନୂଆ ରାଣୀଙ୍କୁ ଦେଖିବେ ବୋଲି ଭିଡ କରି ଥାଆନ୍ତି । ରାଜଉଆସ ଗୋଟାକ ଯାକର ସାଜସଜ୍ଜା ଦେଖିଲେ ଯେମିତି ଆଖି ଝଲସିଯାଉଛି । କେତେ ଜାତିର କେତେ ରଙ୍ଗର ଆଲୋକମାଳାରେ ସେ ନଅରସାରା ହାଲୋଳମୟ ଦିଶୁଛି । ରାଜା ରାଣୀ ହାତୀରୁ ଓହ୍ଲାଇ ଉଆସକୁ ଯିବେ ବୋଲି ଉପରେ ମଖମଲର ଚାନ୍ଦୁଆ ଟଣା ହୋଇଛି । ସେଥିରେ ସବୁ ହୀରା, ନୀଳା, ମୋତି, ମାଣିକର ଝାଲର ଝୁଲୁଛି । ଦି’ପାଖରେ କଦଳୀ ବଗିଚା ପରି କଦଳୀଗଛ ଧାଡି ଧାଡି ହୋଇ ପୋତା ହୋଇଛି । କଡେ କଡେ ଆମ୍ବ ପତ୍ରର ମାଳ ଲମ୍ବିଯାଇଛି ସିଂହଦୁଆର ପରିଯନ୍ତେ । ତଳେ ବି ଠିକ୍ ସେମିତି ଚାମୁଚାମୁନିଆ ଗାଲିଚା ଲମ୍ବହୋଇ ପଡିଛି ଉଆସ ଭିତରଯାଏଁ । ଉଆସର ଭୁଆସୁଣୀଏ ହୁଳହୁଳି ପକାଇ ସାତ ଦୀପରେ ବନ୍ଦାପନା କରି ବରକନ୍ୟାଙ୍କୁ ଉଆସକୁ ନେଲେ । ଶଙ୍ଖ, କାହାଳୀ, ତେଲେଙ୍ଗି ବାଜାରେ ପୁର କମ୍ପି ଉଠିଲା । ଦି’କଡରୁ ଫୁଲ ତୋଡା, ଗଜରା ଆଉ ଝରାଫୁଲରେ ବାଟ ପୋତିହୋଇ ପଡିଲା । ନୂଆ ରାଣୀ ଭାନୁମତୀଙ୍କୁ ସାଙ୍ଗରେ ଧରି ମହାରାଜା ବିକ୍ରମାଦିତ୍ୟ ଉଆସରେ ପଶିଲେ । ସାଙ୍ଗେ ସାଙ୍ଗେ ଆଲଟ, ଚାମର, ଆଡେଣୀ, ତରାସ, ଛତ୍ରୀ ଘେନି ଛାମୁ ଗହଣର ଖଟଣିଆମାନେ ଗୋଡାଇଥିଲେ । ହରିବୋଲ, ହୁଳହୁଳି, ରାଜାଙ୍କ ଜୟନାଦରେ ଆକାଶ, ପବନ ଫାଟିପଡିଲା ।

ତା’ପରେ କୁଟୁମ୍ବ ଚର୍ଚ୍ଚା, ବନ୍ଧୁ ନିମନ୍ତ୍ରଣ, ମଉଜ, ମଉଛବ, ଭୋଜି, ଦାନ ଧର୍ମ, ବଧାଇ, ଅନ୍ନଛତ୍ର, ହରିଲୁଟ, ଯାନିଯାତରା ଲାଗିଲା ଅନେକଦିନ ଯାଏଁ ।

ବାହାଘରରେ ବିତି ଗଲା କେତେ ମାସ ହେବ ମହାରାଜା ବିକ୍ରମାଦିତ୍ୟ ସଭାମଣ୍ଡପକୁ ବିଜେ କରି ନଥିଲେ । ଲୋକେ କାଳେ କିଛି କହିବେ, ନୂଆ ରାଣୀଙ୍କୁ ପାଇଲା ଦିନୁ ରାଜା ତାଙ୍କ ଅନ୍ତଃପୁରରୁ ଆଉ ବାହାରୁ ନାହାଁନ୍ତି, ଏହି ଅପବାଦକୁ ଭାବି ସେ ରାଜା ଖୁବ୍ ଲଜ୍ଜିତ ହେଲେ । ଏବେ ରାଜା ସଭାମଣ୍ଡପରେ ବସି ନିଜର ସଭାସଦ୍ ଆଉ ନବରତ୍ନ ବିଦ୍ୱାନମାନଙ୍କୁ ମିଠା ମିଠା କଥା କହି ବୋଧଶୋଧ କଲେ । ସେ ତ ଗୁଣଚିହ୍ନରା ରାଜା । ସମସ୍ତଙ୍କ ମନନେଇ ସମସ୍ତଙ୍କୁ ଖୁସିରଖି ସେ ତାଙ୍କ ରାଇଜ ସମ୍ଭାଳିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ