ଦିନେ ବୁଢାବାପ ଓ ତାର ପୁଅ ତାଙ୍କ ଗଧକୁ ସାଙ୍ଗରେ ନେଇ ବଜାରକୁ ଗଲେ । ଗଧ ଚାଲିଥାଏ, ବାପ, ପୁଅ ଦୁଇଜଣ ବି ଚାଲିଥାନ୍ତି । କିଛି ଦୂର ଗଲାପରେ ବାଟରେ ଗୋଟିଏ ଲୋକ ହସି ହସି କହିଲା “ଏ ବୁଢା କେଡେ ବୋକା, ଗଧଟା ତ ଖାଲିରେ ଚାଲିକିରି ଯାଉଚି, ପୁଅକୁ ସେ ଗଧ ଉପରେ ବସାଇ କାହିଁକି ନେଉନାହିଁ”?
ବୁଢା ଏହା ଶୁଣି ତା’ପୁଅକୁ ସେ ଗଧ ଉପରେ ବସାଇ ତାଙ୍କ ସାଙ୍ଗରେ ଚାଲିଲା । କିଛି ବାଟ ଚାଲିଲା ପରେ ଆଉ ଜଣେ ଲୋକ ସାଙ୍ଗରେ ସେ ବୁଢାର ଦେଖାହେଲା । ସେ ଲୋକଟି କହିଲା- “କି ଯୁଗ ହେଲା, ବୁଢାଟା ଚାଲୁଛି, ହେଲେ ଏ ପୁଅ ଅତି ଆରାମ୍ରେ ଗଧ ଉପରେ ବସିଛି” । ଏହା ଶୁଣି ସେ ପୁଅ ଗଧ ଉପରୁ ତୁରନ୍ତ ଓହ୍ଲାଇ ପଡିଲା ଏବଂ ବୁଢା ଗଧ ଉପରେ ବସିଲା । କିଛି ବାଟ ଗଲାପରେ ଆଉ ଜଣେ ଲୋକ କହିଲା “ଏ ତ ବଡ ଅଦ୍ଭୁତ ବୁଢା, ଛୁଆଟାକୁ ଚଲେଇ ଚଲେଇ ନେଉଛି, ତାକୁ ବି ତ ସେହି ଗଧ ଉପରେ ବସାଇ ନେଲେ କିଛି ବି ଅସୁବିଧା ହୁଅନ୍ତା ନାହିଁ । ଏହାଶୁଣି ସେ ବାପ ପୁଅ ଦୁଇଜଣ ଗଧ ଉପରେ ବସି ପଡିଲେ ।
ଯେମିତି ଆସି ସେମାନେ ବଜାର ପାଖରେ ପହଁଚିଲେ, ସେଠି ତାଙ୍କୁ ଜଣେ ଲୋକ ଦେଖି ଖୁବ୍ ବ୍ୟସ୍ତ ହୋଇ କହିଲା “ଆରେ ଏ ଗଧଟାକୁ ମାରିବ ନା କ’ଣ? ଗଧ ଉପରେ ଦୟା କରିବା କଥା । ତୁମେ ଦୁଇଜଣ ଏ ଦୁର୍ବଳ ଗଧକୁ ସିନା କାନ୍ଧେଇ କରି ନିଅନ୍ତ ।” ଏ ଲୋକର କଥା ଶୁଣି ବୁଢା ଓ ତାର ପୁଅ ସେ ଗଧକୁ କାନ୍ଧେଇ କରି ଚାଲିଲେ, ମାତ୍ର ସେ ଗଧ ଏଥିରେ ବ୍ୟସ୍ତ ହୋଇ ଡେଇଁ ପଡିବାରୁ ନଈରେ ପଡି ସେ ମରିଗଲା । ଶେଷରେ ବୁଢା ଓ ତାର ପୁଅ ଖୁବ୍ ମନ ଦୁଃଖରେ ଘରକୁ ଫେରିଲେ ।
“ସମସ୍ତଙ୍କୁ ଖୁସି କରିବା ପାଇଁ ଚାହିଁଲେ, କାହାକୁ ବି ଆଦୌ ଖୁସି କରି ପାରିବ ନାହିଁ ।”