ଦିନେ ରାଜା ଘରର ବାରିକକୁ ଗୋପାଳ କହିଲା – ବଡ ବେଶୀ ରୁଢ ହୋଇ ଗଲାଣି, ଆଜି ଭାଇ ମୋତେ ଖିଅର କରି ଦେବୁ । କିନ୍ତୁ ବାରିକ ତ ଧୂର୍ତ, ସେ ଜାଣେ ଯେ, ଗୋପାଳ ଭାଣ୍ଡ ପଇସା ଟିଏ ତ ମୋତେ ଦେବ ନାହିଁ, ସେ ତାକୁ କହିଲା କାଲି ଖିଅର କରି ଦେବି ।
ପର ଦିନ ଗୋପାଳ ପୁଣି ଖିଅର କରିବା କଥା କହିବାରୁ ସେ କହିଲା କାଲି କ’ଣ ହେଲାଣି କି? ଏପରି କହିବାରୁ ଗୋପାଳ ଜାଣିଲା ଏ ମୋତେ ଠକିଲା, ମୁଁ ପଇସା ନ ଦେଇ ଖିଅର ହୋଇ ଯିବାକୁ ମନେ କରି ଥିଲି, କିନ୍ତୁ ଏ ଚତୁର ହୋଇ ମୋତେ ଠକି ଦେଲା । ଆଚ୍ଛା ଏହାର ପ୍ରତିଶୋଧ ମୁଁ ଅବଶ୍ୟ ଦିନେ ନେବି । ଏହା ଭାବି ଗୋପାଳ ଦୁଇ ଚାରି ଦିନ ପରେ ପିଚାରେ କାଦୁଅ ଦେଇ ଏକ କୃତ୍ରିମ ବଥ କରି ଅସ୍ତବ୍ୟସ୍ତ ହୋଇ ରାଜାଙ୍କ ନିକଟରେ ପହଁଚିଲା ।
ରାଜା ଗୋପାଳର ବ୍ୟସ୍ତ ଦେଖି ଭଣ୍ଡାରିକି କହିଲେ, ବଥଟିକି ଫୋଡିଦେ ।
ବାରିକ ନହୁରୁଣି ଘେନି ତଳେ ବସିଲା, ଗୋପାଳ ନଇଁ ପଡି ଲୁଗା ଖୋଲି ଦେଲା ।
ବାରିକ ବଥ ଦେଖିବା ସମୟରେ ଗୋପାଳ ତା ମୁହଁରେ ଝାଡା ଫେରି ଦେଇ କହିଲା – “ପାଇଲ” ଏହା କହି ଚାଲି ଗଲା । ବାରିକ ଲଜ୍ଜିତ ହେଇ ପଳାଇ ଗଲା ।