ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବାଲେଶ୍ୱରୀ ପଙ୍ଗାଲୁଣ

                ପାଢୀ ଲୁଣମାରି ଜମା କଲେ ଜିଲ୍ଲାଦାର ଆସି ଓଜନ ନିଏ ଓ ନିମ୍ନଲିଖିତ ପ୍ରକାର ଫାରମରେ ଅଡଂପେସ୍କାର ନିକଟକୁ ରିପୋର୍ଟ କରେ ।

ଜିଲ୍ଲାପାଳ ଫାରମ

                ନାମ ଅଡଂ ନାମ ଚାଟି ନାମ ଗୁଲିଆ                             କେତେ ଜାଳ             ଲୁଣ ପରିମାଣ

                ଛାନୁଆ     କୁଳିଗାଁ     ହଗ୍ରୁ ମଳିକ                               ତିନି ଜାଳ                  ୮୦ ମହଣ

                ଅଡଂ ପେସ୍କାର ଜିଲ୍ଲାଦାରର ହିସାବ ପ୍ରାପ୍ତ ହୋଇ ଆପଣା ଖାତାରେ ଲୁଣର ପରିମାଣ ପ୍ରଭୃତି ଜମା କରିନିଏ ଓ ସେଥିର ଏକ ପ୍ରସ୍ତ ନକଲ ସଦର କଚେରିକୁ ପଠାଇଲେ ହିସାବ ମହକୁମା ଖାତାରେ ଜମା ହୁଏ ।

ସଦର କଚେରି ମୁନ୍ସିଖାନାରେ ଲୁଣର କିଛି ବି ହିସାବ ରହେ ନାହିଁ, ସବୁପ୍ରକାର ବନ୍ଦୋବସ୍ତର ଲେଖାପଢା ହୁଏ । ଅଡଂର ପେସ୍କାର ଚାଟିରୁ ଲୁଣ ବୁହାଇ ନେଇ ସାଧାରଣ ଗୋଲାରେ ଜମା କରିନିଏ । ପୁନର୍ବାର ଓଜନ କରି ଗୋଲାକାତ ହେଲେ ଅଦଲଦାର ତାହା ଉପରେ ଅଦଲ ମାରିଦିଏ । ସରକାର ନିଯୁକ୍ତ କୟାଳ ଲୁଣ ଓଜନ କରେ ।

ଅଡଂର ଦାରୋଗା ସିରସ୍ତାର କିଛି ବି କାର୍ଯ୍ୟ କରେ ନାହିଁ । କେବଳ ଚାଟିମାନଙ୍କରେ ଭ୍ରମଣ କରି ସେ ଚୁଲିର କାର୍ଯ୍ୟ ତଦନ୍ତ କରେ ଓ ଚୁଲିଆମାନଙ୍କ ହାରିଗୁହାରି ଶୁଣେ । ଦାରୋଗା ପାଲିଙ୍କି ବହିବା ନିମନ୍ତେ ସରକାର ତରଫରୁ ଆଠଜଣ ବେହେରା ନିଯୁକ୍ତ ଥା’ନ୍ତି । ଦାରୋଗାଙ୍କ ଗସ୍ତ ସମୟରେ ତାହାଙ୍କ ପାଲିଙ୍କି ଉପରେ ଗୋଟାଏ ପାଟଛତା ଧରାଯାଏ । ସେଥିସକାଶେ ସ୍ୱତନ୍ତ୍ର ଛତାଧରା ଚାକର ବନ୍ଦୋବସ୍ତ ଥାଏ ।

ପୋକ୍ତାନ ଲୁଣ ପରିମାଣ ଲିହାଜରେ ଚୁଲିଆମାନେ ଦ୍ୱିତୀୟ କିସ୍ତି ଦାଦନ ବୈଶାଖମାସରେ ପ୍ରାପ୍ତ ହୁଅନ୍ତି । ଏହି ଦାଦନ ଟଙ୍କା ଅଡଂ ମୁକାମରେ ଦିଆଯାଏ । ବର୍ଷାକାଳ ଆରମ୍ଭ ହେଲାକ୍ଷଣି ପୋକ୍ତାନ କାର୍ଯ୍ୟ ବନ୍ଦ ହୋଇଯାଏ, ଚୁଲିଆ ପ୍ରଭୃତି କର୍ମଚାରୀମାନେ ଚାଟି ଛାଡି ଆପଣା ଆପଣା ଘରକୁ ଚାଲିଯା’ନ୍ତି । ଏଥିଉତାରେ ସେପ୍ଟେମ୍ବର ମାସରେ ସଦର କଚେରିରେ ହିସାବନିକାଶ ହେଲେ ଚୁଲିଆମାନେ ଅବଶିଷ୍ଟ ମୂଲ୍ୟ ପ୍ରାପ୍ତ ହୁଅନ୍ତି । କେହି କେହି ଚୁଲିଆ ସରଫ ବେଶି ବାବଦରେ ମଧ୍ୟ କିଛି କିଛି ପ୍ରାପ୍ତ ହୁଅନ୍ତି । ସରଫ ବେଶି ଅର୍ଥ, ଚୁଲିଆମାନଙ୍କଠାରୁ ଚାଟରୁ ଲୁଣ ଓଜନ ନେବା ସମୟରେ କଂଚା ଲୁଣ ଓଜନରେ କିଛି କିଛି ମାଲ ବେଶି ନିଆଯାଇଥାଏ । ଅଡଂ ଗୋଳା ନିକାଶି ସମୟରେ ସେହି ମାଲ ବଳକା ହୋଇପଡେ, ସେହି ବଳକା ଲୁଣର ଅର୍ଥ ସରିଫ ବେଶି । ଏହା କିଛି ଊଣା ନୁହେଁ, ପାଂଚ ଦଶହଜାର ମହଣ ପର୍ଯ୍ୟନ୍ତ ମାଲ ବେଶି ହୋଇପଡେ । ଏହି ଲବଣର ମୂଲ୍ୟ ଅଡଂର ସମସ୍ତ ଚୁଳିଆଙ୍କୁ ବିଛାଣି କରି ଦିଆଯାଏ; ମାତ୍ର ପ୍ରତ୍ୟେକ ଅଡଂରେ ସରଫ ବେଶି ହେଲେ ମଧ୍ୟ ଦାରୋଗା, ପେସ୍କାର, ପ୍ରହରୀ, ପୋଲିସ, ଅମଲା ପ୍ରଭୃତି କର୍ମଚାରୀମାନେ ଚୋରାଇ ଭାବରେ ଶସ୍ତାଦରରେ ବିକ୍ରି କରି ମୂଲ୍ୟ ବାଂଟି ନିଅନ୍ତି । ଏହି ଚୋରାଇ ଲୁଣ ନୀଳଗିରି ଓ ମୟୂରଭଞ୍ଜ ଗଡଜାତକୁ ଚାଲିଯାଏ ।

ପ୍ରତିବର୍ଷ ବାଲେଶ୍ୱର ଜିଲ୍ଲାରେ ନଅଲକ୍ଷ ମହଣ ଲୁଣ ପୋକ୍ତାନ ହେଉଥିଲା । ଏଥିମଧ୍ୟରୁ ନିଜ ବାଲେଶ୍ୱର ଜିଲ୍ଲାରେ ଖରଚ ସକାଶେ ଦେଢଲକ୍ଷ ମହଣ, ନିଜ ବାଲେଶ୍ୱର ଓ ଭଦ୍ରକ ଗୋଲାରେ ଗୋଲାକାଚ କରାଯାଇ ବାକି ସାଢେ ସାତଲକ୍ଷ ମହଣ ଲୁଣ ବଙ୍ଗଦେଶରେ ବ୍ୟବହାର ନିମନ୍ତେ କଲିକତା ନିକଟବର୍ତ୍ତୀ ଗଙ୍ଗାନଦୀ ପଶ୍ଚିମକୂଳସ୍ଥ ସାଲିକା ନାମକ ଗୋଲାକୁ ଚଲାଣ ଦିଆଯାଏ । ଅଡଂ ଗୋଲାରୁ ସାଲିକା ଗୋଲାକୁ ଲୁଣ ଚଲାଣ ନେବା ନିମନ୍ତେ ପ୍ରାୟ ତିନି ଶତ ବାଲେଶ୍ୱରୀ ଜାହାଜ ନିଯୁକ୍ତ ଥିଲା । ଦୁଇ ଡୁଲିଆ ବଡ ଜାହାଜର ନାମ ଗୋରାପ, ଏକ ଡୁଲିଆ ସାନ ଜାହାଜର ନାମ ଶ୍ଲୋପା । ଖଣ୍ଡେ ଖଣ୍ଡେ ଗୋରାପ ଆଠ ଦଶହଜାର ମହଣ ପର୍ଯ୍ୟନ୍ତ ମାଲ ବୋଝାଇ ନିଏ । ଖଣ୍ଡିଏ ଖଣ୍ଡିଏ ଜାହାଜ ଚଳାଇବା ନିମନ୍ତେ ଦଶ କୋଡିଏ ଜଣ କର୍ମଚାରୀ ନିଯୁକ୍ତ ଥିଲେ । ଜାହାଜ ଚାଳକର ଉପାଧି ମାଝି, ତାହାର ସହକାରୀ ତଣ୍ଡେଲ, ଅନ୍ୟାନ୍ୟ କର୍ମଚାରୀଙ୍କ ଉପାଧି ଖଲାସୀ । ଯଦି ପ୍ରତ୍ୟେକ ଜାହାଜରେ ହାରାହାରି ପନ୍ଦର ଜଣ କର୍ମଚାରୀ ଧରାଯାଏ, ତେବେ ସେମାନଙ୍କ ସଂଖ୍ୟା ପ୍ରାୟ ସାଢେ ଚାରିହଜାର । ଏହାଛଡା ଜାହାଜ ନିର୍ମାଣକାରୀ ବଢେଇ, କମାର, କଳାପିଠିଆ, ସଡସିଲାଇ, ଦରଜି ଓ ଅନ୍ୟାନ୍ୟ ଚାକର ସଂଖ୍ୟା ପ୍ରାୟ ପାଂଚହଜାର । ସମସ୍ତେ ବାଲେଶ୍ୱର ଜିଲ୍ଲା ନିବାସୀ । ଜାହାଜର ଅଧିକାରୀ ଜାହାଜନମାନେ ମଧ୍ୟ ବାଲେଶ୍ୱରୀ । କେବଳ ଲବଣ ବହିବାରେ ଯେ ଜାହାଜ ସବୁ ନିଯୁକ୍ତ ଥିଲା ତାହା ନୁହେଁ । ସେ ସମୟରେ କି ଅନ୍ତର୍ବାଣିଜ୍ୟ କି ବହିର୍ବାଣିଜ୍ୟ, ସମସ୍ତ ବାଲେଶ୍ୱରବାସୀମାନଙ୍କ ହସ୍ତରେ ଥିଲା । ବାଣିଜ୍ୟ ଉପଲକ୍ଷରେ ବାଲେଶ୍ୱରୀ ଜାହାଜ ସବୁ ଗୋପାଳପୁର, ବିଶାଖାପଟ୍ଟନ, ମାନ୍ଦ୍ରାଜ, ରେଙ୍ଗୁନ ଓ ଅନ୍ୟାନ୍ୟ ଦ୍ୱୀପକୁ ଗତାୟାତ କରୁଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ