ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବାଲେଶ୍ୱରୀ ପଙ୍ଗାଲୁଣ

ବାଲେଶ୍ୱରବାସୀମାନଙ୍କର ଦୁଇଗୋଟି ବସ୍ତୁ ପ୍ରଧାନ ଉପଜୀବ୍ୟ- ଲବଣ ଓ ଧାନ୍ୟ । ଜିଲ୍ଲାର ପ୍ରାୟ ଏକ-ତୃତୀୟାଂଶ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଲବଣ ବ୍ୟବସାୟରେ ନିଯୁକ୍ତ ଥିଲେ । ବାଲେଶ୍ୱର ଉପକଣ୍ଠସ୍ଥ ବୁଢାବଳଙ୍ଗ ନଦୀ ଜାହାଜ ଓ ନଦୀକୂଳ ଜନତାରେ ପରିପୂର୍ଣ୍ଣ ଥିଲା । ବର୍ତ୍ତମାନ ସେହି ସବୁସ୍ଥାନ ଶ୍ମଶାନକ୍ଷେତ୍ରବତ୍ ପଡିରହିଅଛି । ବାଲେଶ୍ୱରୀ ଜାହାଜର ଚିହ୍ନ ମାତ୍ର ନାହିଁ । ଯେଉଁମାନେ ଜାହାଜ ଚାଳନ ଓ ନିର୍ମାଣ କାର୍ଯ୍ୟରେ ପୁରୁଷାନୁକ୍ରମରେ ନିଯୁକ୍ତ ଥିଲେ (ଅନ୍ୟାନ୍ୟ କାର୍ଯ୍ୟରେ ଅନଭ୍ୟସ୍ତ), ସେ ବଂଶ ଆଉ କାହାନ୍ତି? ଗତ ନ’ଅଙ୍କ ଦୁର୍ଭିକ୍ଷ ଅନୁଗ୍ରହ କରି ସେ ସମସ୍ତ ଲୋକଙ୍କୁ ସବଂଶରେ ଶାନ୍ତିନିକେତନକୁ ଘେନି ଯାଇଅଛି । ଅନ୍ୟଥା ସେଗୁଡିକ କି କଲବଲ ହୋଇଥାନ୍ତେ ।

୧୮୬୧ ଖ୍ରୀଷ୍ଟାବ୍ଦରେ ସରକାରୀ ପୋକ୍ତାନ-କାର୍ଯ୍ୟ ବନ୍ଦ ହୋଇଗଲା । ତହିଁଉତାରେ କେତେ ବର୍ଷ ବାଲେଶ୍ୱରବାସୀ କେତେଜଣ ମହାଜନ ଯୌଥରୂପେ ବାଲେଶ୍ୱର ବ୍ୟୟ ସକାଶେ ସରକାର ଅନୁମତି ଅନୁସାରେ ପୋକ୍ତାନ କାର୍ଯ୍ୟ ଚଳାଇଥିଲେ । କି କାରଣ ଆମ୍ଭମାନଙ୍କୁ ତାହା ଅଗୋଚର, ଭୟଙ୍କର ରୂପେ କ୍ଷତିଗ୍ରସ୍ତ ହୋଇ ଛାଡି ଦେଇଅଛନ୍ତି । କେତେଜଣ ମହାଜନ ସର୍ବସ୍ୱାନ୍ତ ମଧ୍ୟ ହୋଇଅଛନ୍ତି ।

ଲାଭ ନ ହେବାରୁ କି ସରକାର ପୋକ୍ତାନ କାର୍ଯ୍ୟରେ ରହିତ କରାଇଦେଲେ? ସରକାର ଚୁଲିଆମାନଙ୍କ ନିକଟରୁ ପ୍ରତି ମହଣ ପାଂଚଶା ହିସାବରେ ଗ୍ରହଣ କରୁଥିଲେ, ବିକ୍ରି ମହଣକୁ ଦୁଇଟଙ୍କା । ଫି ମହଣରେ ଟଙ୍କାଏ ଏଗାର ଅଣା ଲାଭ । କେବଳ ବାଲେଶ୍ୱର ଜିଲ୍ଲାର ନ’ଲକ୍ଷ ମହଣ ଲାଭ ହିସାବ କରିନିଅ । କଟକ ପୁରୀ ଜିଲ୍ଲା କଥା ଥାଉ ।

“କ୍ଷୀରାବ୍ଧିତନୟା ରମା ।” ଲକ୍ଷ୍ମୀଙ୍କର ପିତୃଭବନ ସମୁଦ୍ରକୂଳରେ ଅବସ୍ଥିତ ଥିବାରୁ ଚିରଦିନ ଲକ୍ଷ୍ମୀ ଏହି ଜିଲ୍ଲାରେ ବିରାଜିତା ଥିଲେ । ସମୁଦ୍ର କୂଳବର୍ତ୍ତୀ ବାଣିଜ୍ୟସ୍ଥାନର ନାମ ବନ୍ଦର, ଏଥିପାଇଁ ଏହାର ନାମ ବନ୍ଦର ବାଲେଶ୍ୱର । ତିନିଶତ ବର୍ଷ ପୂର୍ବେ ବଙ୍ଗଦେଶକୁ ଯିବା ପୂର୍ବେ ଓଲନ୍ଦାଜ, ଫରାସୀ, ଦିନେମାର ଓ ଇଂରେଜୀ ବଣିକମାନେ ଏଠାରେ ଦୋକାନ ମେଲିଥିଲେ ।

ବାଲେଶ୍ୱର ଯେପରି ଲକ୍ଷ୍ମୀବନ୍ତ ସ୍ଥାନ, ଦୁଇ ଚାରି ବର୍ଷ ଅକାଳ ପଡିଲେ ମଧ୍ୟ ସମ୍ଭାଳି ଯିବାର କଥା; ମାତ୍ର ଏହି ଦୁର୍ଭିକ୍ଷ ସମୟରେ ସମ୍ପୂର୍ଣ୍ଣ ରୂପେ ଶସ୍ୟ ଜନ୍ମିଥିଲେ ମଧ୍ୟ ସହରବାସୀ ସାଧାରଣ ଲୋକ ମଧ୍ୟରେ ଦଶପଣ ଲୋକଙ୍କ ଘରେ ଦୁଇଓଳି ଚୁଲି ଜଳେ କି ନା ତାହା ବି ସନ୍ଦେହ । ମଧ୍ୟବିତ ଲୋକଙ୍କ ଅବସ୍ଥା ପ୍ରାୟ ତଥୈବଚ । ଏକମାତ୍ର କାରଣ- ଅର୍ଥାଭାବ । କେବଳ ଲବଣ ପୋକ୍ତାନ ଉଠିଯିବାରୁ ସମସ୍ତ ଯାଇଅଛି, କାରିଗର ବଂଶ ତ ନିର୍ମୂଳ ହୋଇଅଛନ୍ତି । ବାଣିଜ୍ୟ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ମହାଜନ ଜଣେ ମଧ୍ୟ ନାହିଁ । ବିଦେଶୀୟ ମାରୁଆଡୀ, କଚ୍ଛୀ, ଭାଟିଆ, ନାଖୋଦାମାନେ ମାଡି ବସିଲେଣି । ହାତରେ ଅର୍ଥ କାହିଁ ଯେ, ଧନବନ୍ତ ବିଦେଶୀ ମହାଜନଙ୍କ ସହିତ କେହି ଟକ୍କର ଦେଇପାରିବେ ।

ଏହି କ୍ଷୁଦ୍ର ଜିଲ୍ଲାରୁ ପ୍ରତିବର୍ଷ ପ୍ରାୟ କୋଟି ସଂଖ୍ୟକ ଟଙ୍କାର ଧାନ-ଚାଉଳ ବିଦେଶକୁ ରପ୍ତାନୀ ହୁଏ । ଏଠାକାର ରେଳଷ୍ଟେସନ ଚାଉଳବସ୍ତାରେ ପରିପୂର୍ଣ୍ଣ । ସଡକମାନଙ୍କରେ ଦିବାରାତ୍ର ଚାଉଳ ଶଗଡ ଚାଲିଅଛି, ଅଥଚ ସହରବାସୀ ଅଧିକାଂଶ ଲୋକ କାତର ନୟନରେ, ଖାଲି ପେଟରେ ଭକଭକ କରି ଚାହିଁ ବସିଅଛନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ