ଧାନଚାଉଳ ବିକ୍ରିରେ ମଫସଲବାସୀ ଚାଷୀମାନଙ୍କର ଦୁଇଟଙ୍କା ହାତପୈଠ ହେଉଅଛି ସତ୍ୟ; ମାତ୍ର ଖୋଜନ୍ତୁ, ଘରଶୂନ୍ୟ ଦେଖିବେ । ଟଙ୍କା ହାତପୈଠ ହେବା ମାତ୍ରକେ ଲୋଭ ସମ୍ଭାଳି ନ ପାରି ଜର୍ମାନୀ ଝୁଟାରେ ରେପାର ଛତା ପ୍ରଭୃତି କିଣିନେଇ ଘରେ ପୂରାଉଅଛନ୍ତି । ବରଷେ ଅକାଳ ପଡୁ, ଦେଖିବେ; ଲୋକଗୁଡାକ ଲମ୍ବ ଲମ୍ବ ଧଣ୍ଡପରି ଶୋଇଯିବେ ।
ଆଗେ ଦେଶବାସୀ ସମୁଦ୍ରକୂଳ ମାଟି ବିକ୍ରି କରି ଟଙ୍କା ପାଉଥିଲେ, ବର୍ତ୍ତମାନ ଚାଉଳ ବିକ୍ରିକରି ଜର୍ମାନୀ ମାଟି କିଣୁଅଛନ୍ତି । ରେପାର ଫେପାରଗୁଡିକୁ ଆମ୍ଭମାନେ ମାଟି ବୋଲୁଅଛୁ । ଆମ୍ଭେମାନେ ବୋଲୁଅଛୁଁ, ପୂର୍ବେ ବାଲେଶ୍ୱର ଜିଲ୍ଲାରେ ପ୍ରତିବର୍ଷ ନଅ ଲକ୍ଷ ମହଣ ଲୁଣ ପୋକ୍ତାନ ହେଉଥିଲା । ଆଜିଯାଏଁ ସେହି କାର୍ଯ୍ୟ ଚଳୁଥିଲେ ବ୍ୟବସାୟ ଉନ୍ନତି ଲାଭ କରି ପ୍ରତି ବର୍ଷରେ ଅତି ନିକୁଚ୍ଛରେ କୋଡିଏ ଲକ୍ଷ ମହଣ ପୋକ୍ତାନ ହେଉଥାନ୍ତା । ସୁତରାଂ, ଅଭାବପକ୍ଷେ ଦଶ ଲକ୍ଷ ଟଙ୍କା ଦେଶରେ ପଶୁଥାନ୍ତା । ହଜାର ବର୍ଷ ପୂର୍ବେ ସମୁଦ୍ରଗାମୀ ନୌଚାଳକ, ସମୁଦ୍ରକୂଳବାସୀ କୈବର୍ତ ବଂଶ ଆଜି ବିଜ୍ଞାନଚର୍ଚ୍ଚା ସମୟରେ କେଡେ ଉନ୍ନତି ଲାଭ କରିଥାନ୍ତେ ।
ଆଜିକାଲି ବାଲେଶ୍ୱରର ଯାହାକିଛି ବି ଚାକଚକ୍ୟ ବିଦେଶୀମାନଙ୍କ ସକାଶେ । ମହାଜନ ବିଦେଶୀ, କଚେରିର ବଡ ବଡ ଚାକର ପ୍ରାୟ ବିଦେଶୀ । ରେଳଷ୍ଟେସନରେ କର୍ମ ପାଇବା ଓଡିଆଙ୍କ କପାଳରେ ଲେଖା ନାହିଁ । ଜମିଦାରଗୁଡାକ ତ ହାତବାନ୍ଧି ରହିଲେଣି । ଏବେ ଚାଷ ଏକମାତ୍ର ଅବଲମ୍ବନ । ହେଲେ ସେଥିଲାଗି ଜମି କାହିଁ?
ହେ ଭଗବାନ! ଆମ୍ଭମାନଙ୍କ ଦୟାଳୁ ଗଭର୍ଣ୍ଣମେଂଟଙ୍କ କଣ୍ଠରେ ବିରାଜିତ ହୁଅନ୍ତୁ । ବାଲେଶ୍ୱର ଜିଲ୍ଲାର ପୂର୍ବବତ୍ ଲୁଣ ପୋକ୍ତାନ କାର୍ଯ୍ୟ ଆରମ୍ଭ ହେଉ ।
ଗାଳ୍ପିକ – ଫକୀରମୋହନ ସେନାପତି