(ସତ୍ୟ ଘଟନା)
ରେଳ ତ କାଲିକା କଥା, କଲିକତାରୁ ପୁରୀ ପର୍ଯ୍ୟନ୍ତ ଯେଉଁ ଉପଯୁକ୍ତ ବହୁଳ ଶଙ୍ଖବିଶିଷ୍ଟ ସମତଳ, ପରିଷ୍କୃତ ସଡକଦାଣ୍ଡ ବିସ୍ତୃତ ଅଛି, ପୂର୍ବକାଳରେ ସେଥିର ଚିହ୍ନ ସୁଦ୍ଧା ବି ବିଦ୍ୟମାନ ନ ଥିଲା । ସେ ସମୟରେ ବଙ୍ଗଦେଶୀୟ ବା ଉତ୍ତର-ପଶ୍ଚିମାଂଚଳସ୍ଥ ଜଗନ୍ନାଥଦର୍ଶନାର୍ଥୀ ଯାତ୍ରୀମାନେ ଭୁଜଙ୍ଗଗତିବତ୍ କୁଟିଳ, ଶ୍ୱାପଦସଙ୍କୁଳ, ଅରଣ୍ୟମୟ, ବନ୍ଧୁର, କଦାଚିତ୍ ପ୍ରାନ୍ତର ମଧ୍ୟଗତ ଅପ୍ରସ୍ତୁତ ସଂକୀର୍ଣ୍ଣ ମାର୍ଗରେ ଗତାୟାତ କରୁଥିଲେ । ବର୍ଷାକାଳରେ ଅସଂଖ୍ୟ ନଦୀନାଳ – ଜଳବହୁଳତା ପ୍ରଯୁକ୍ତ ଉକ୍ତ ମାର୍ଗମାନ ଜନଶୂନ୍ୟ ଅବସ୍ଥାରେ ପଡିଥାଏ । ଚୈତନ୍ୟଦେବଙ୍କ ସମୟରେ ନବଦ୍ୱୀପବାସୀ ଯାତ୍ରୀମାନଙ୍କୁ ପୁରୀରେ ଉପସ୍ଥିତ ହେବା ସକାଶେ ତିନିମାସ କାଳ ଲାଗୁଥିଲା । କିନ୍ତୁ ବର୍ତ୍ତମାନ ଅଷ୍ଟପ୍ରହରରୁ ମୋଟେ ଅଧିକ ନୁହେଁ ।
ଇଷ୍ଟଇଣ୍ଡିଆ –କମ୍ପାନୀ କଲିକତାବାସୀ ରାଜା ସୁଖମୟଙ୍କଠାରୁ କେତେ ଲକ୍ଷ ଟଙ୍କା ଋଣ ଗ୍ରହଣ କରିଥିଲେ । କୋମ୍ପାନୀ ଋଣ ପରିଶୋଧ କରିବାରୁ ରାଜା ମହୋଦୟ ତାହା ଗ୍ରହଣ ନ କରି କଲିକତାଠାରୁ ଶ୍ରୀକ୍ଷେତ୍ରଧାମ ପର୍ଯ୍ୟନ୍ତ ଗୋଟିଏ ମାର୍ଗ ପ୍ରସ୍ତୁତ କରିବା ସକାଶେ କୋମ୍ପାନୀ ହସ୍ତରେ ତାହା ପ୍ରତ୍ୟର୍ପଣ କଲେ । ସେହି ଟଙ୍କା ବଳରେ ବର୍ତ୍ତମାନ ସଡକ ନିର୍ମାଣର ସୂତ୍ରପାତ ହୋଇଥିଲା । ସଡକ ଉପରେ ଅନେକ ପ୍ରସ୍ତରମୟ ସେତୁ ନିର୍ମିତ ହୋଇଥିଲା । କାଳକ୍ରମେ ସରକାର ବାହାଦୁର ସେହି ସମସ୍ତ ସେତୁ ଭଗ୍ନ କରି ତାହା ବଦଳରେ ବୃହଦାକାର ଇଷ୍ଟକମୟ ସେତୁ ନିର୍ମାଣ କରି ଦେଇଅଛନ୍ତି । ବର୍ତ୍ତମାନ ମଧ୍ୟ ଅନେକ ସ୍ଥାନରେ ପୁରାତନ କ୍ଷୁଦ୍ର କ୍ଷୁଦ୍ର ସେତୁ ସେଠାରେ ବିଦ୍ୟମାନ ଅଛି । ସୋର ସମୀପବର୍ତ୍ତୀ କାଂଶବାଂଶ କ୍ଷୁଦ୍ର ନଦୀ ଉପରେ ନିର୍ମିତ ବୃହଦାକାର ସେତୁର ପ୍ରସ୍ତରାଂଶ ‘ସୁଖମୟୀ’ ଅଟେ । କଲିକତାଠାରୁ ପୁରୀ ପର୍ଯ୍ୟନ୍ତ ନବନିର୍ମିତ ମାର୍ଗ ପାଶ୍ୱର୍ରେ ପ୍ରତ୍ୟେକ ଦଶକ୍ରୋଶ ଅନ୍ତର ଇଷ୍ଟକମୟ ଖିଲାଣଯୁକ୍ତ, ପ୍ରାୟ ଚାରିଶତ ଲୋକଙ୍କ ବାସୋପଯୋଗୀ ଦୁଇ ସାହାଲା ପାନ୍ଥନିବାସ (ଧର୍ମଶାଳା) ନିର୍ମିତ ହୋଇଥିଲା । ଉକ୍ତ ଧର୍ମଶାଳା ନିକଟରେ ଦୁଇଗୋଟି କରି ସୁଗଭୀର କୂପ ମଧ୍ୟ ଖେଳାହୋଇଥିଲା । କାଳକ୍ରମରେ ସେହି ସମସ୍ତ ପାନ୍ଥନିବାସ ଜୀର୍ଣ୍ଣ ଓ ଅନାବଶ୍ୟକ ବୋଧ ହେବାରୁ ସରକାର ବାହଦୁର ସେ ସମସ୍ତ ଭଗ୍ନକରି ଇଷ୍ଟକରାଶି ସଡକରେ ପକାଇଅଛନ୍ତି । ଭଦ୍ରକ, ବସ୍ତା, ବ୍ରାହ୍ମଣୀକୂଳ ଓ କଟକରେ ସେହି ସମସ୍ତ ଧର୍ମଶାଳା ଅଦ୍ୟାବଧି ମଧ୍ୟ ବିଦ୍ୟମାନ ଅଛି ।
ରାସ୍ତା ପ୍ରସ୍ତୁତ, କେତେକ ପରିମାଣରେ ପାନ୍ଥନିବାସର ଅଭାବ ମଧ୍ୟ ଦୂରୀଭୂତ ହେଲା; ମାତ୍ର ଯାତ୍ରୀମାନଙ୍କର ଖାଦ୍ୟାଦି ସଂଗ୍ରହ କରିବାର କୌଣସି ବି ଉପାୟ ନାହିଁ । ଜନ୍ ବିଚର ନାମକ ଜଣେ ସାହେବ ସରକାର ବାହାଦୁରଙ୍କଠାରୁ କେତେକ ଭୂମି ନିଷ୍କର ରୂପେ ଗ୍ରହଣ କରି ବାଲେଶ୍ୱରରେ ବିଚରଗଞ୍ଜ, ବସ୍ତାରେ ମୂଳିଦା, ବାଲଗାଁ, ମାର୍କଣା, ଟାଙ୍ଗୀ, କଟକ ପ୍ରଭୃତି ସ୍ଥାନରେ ସରେଇ ଘର ନିର୍ମାଣ କଲେ ଓ ସେଠାରେ କିଛି ଦୋକାନ ବି ବସେଇଦେଲେ । ସୁଖମୟୀ ଧର୍ମଶାଳାରେ ସର୍ବଜାତୀୟ ଲୋକ ବାସ କରୁଥିବାରୁ ହିନ୍ଦୁ ଧର୍ମାବଲମ୍ବୀ ତୀର୍ଥଯାତ୍ରୀମାନେ ସେ ସ୍ଥାନରେ ପାକାଦି କରିବାକୁ ଅସମ୍ମତ ହୋଇ ବିଚର ସାହେବଙ୍କ ସରେଇ ଘରେ ବାସ କରିବାକୁ ଲାଗିଲେ । ସ୍ଥାନୀୟ ଲୋକମାନେ ମଧ୍ୟ ଆବଶ୍ୟକ ସ୍ଥାନମାନଙ୍କରେ ଚଟିଘର ନିର୍ମାଣ ଓ ଦୋକାନ ବସାଇ ସମସ୍ତ ଅଭାବ ଦୂର କଲେ । ରେଳମାର୍ଗ ଫିଟିବାରୁ ସେ ସମସ୍ତ ଚଟିଘର ଉଠିଗଲାଣି । ଜନ୍ ବିଚର ସାହେବ ସରକାର ବାହାଦୁରଙ୍କାରୁ ଯେଉଁ ନିଷ୍କର ଭୂମି ଗ୍ରହଣ କରିଥିଲେ, ତାହା ବିଲାତବାସୀ ଉତରାଧିକାରୀଠାରୁ ସେଥିର ସ୍ୱତାଧିକାର କ୍ରୟ କରି ଭଦ୍ରକନିବାସୀ ବାବୁ ବ୍ରଜଗୁପ୍ତ ଭୋଗ ଦଖଲ କରୁଅଛନ୍ତି ।