ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବାଲେଶ୍ୱରୀ ରାହାଜାନି

                ପାନ୍ଥମାନଙ୍କର ସମସ୍ତ ଅଭାବ ଦୂର ହେଲା । ଶ୍ୱାପଦ ଜନ୍ତୁମାନଙ୍କ ହସ୍ତରୁ ଅନେକ ପରିମାଣରେ ରକ୍ଷା ପାଇଲେ । ମାତ୍ର ନର-ରାକ୍ଷସ ଡକାଏତମାନଙ୍କ ଅତ୍ୟାଚାର ସେମାନଙ୍କୁ ଦୀର୍ଘକାଳ ପର୍ଯ୍ୟନ୍ତ ଭୋଗ କରିବାକୁ ହୋଇଥିଲା । ମେଦିନୀପୁରଠାରୁ ଭଦ୍ରକ ପର୍ଯ୍ୟନ୍ତ ରାଜମାର୍ଗ ଡକାଏତମାନଙ୍କର ଲୀଳାକ୍ଷେତ୍ର । ମାର୍ଗର ପଶ୍ଚିମ ଦିଗ ନିବିଡ ଜଙ୍ଗଲମୟ ଥିବାରୁ ସେମାନେ ମାନବନେତ୍ରାନ୍ତରାଳ ଜଙ୍ଗଲ ମଧ୍ୟରେ ଖଟି ସ୍ଥାପନ କରି ଆପଣାର ନୃଶଂସ ନାରକୀୟ ବ୍ୟବସାୟ ସୁଚାରୁରୂପେ ଚଳାଇବାକୁ କ୍ଷମ ହୋଇଥିଲେ । ସରକାର ବାହାଦୁର ଦୀର୍ଘକାଳ ପର୍ଯ୍ୟନ୍ତ ବିଶେଷ ଚେଷ୍ଟା କରି ମଧ୍ୟ ସେମାନଙ୍କୁ ଶାସନ କରିବାକୁ ସମର୍ଥ ହୋଇ ପାରିନଥିଲେ । ଡକାଏତମାନଙ୍କର ଗୋଟିଏ ପ୍ରଧାନ ଘାଟି ଥିଲା ‘ନାରାୟଣଗଡ’ । ଉକ୍ତ ଗଡର ବାଉଁଶବଣ ମଧ୍ୟରେ ଶତ ଶତ ନିର୍ଦୋଷ ମହାପ୍ରାଣୀଙ୍କ ମସ୍ତକ ବିଲୁଣ୍ଠିତ ହୋଇଥିବାର ଆମ୍ଭେମାନେ ମଧ୍ୟ ଶତସହସ୍ର ଥର ଶୁଣିଅଛୁଁ । ଚାଳିଶ ବରଷ ପୂର୍ବେ ଲେଖକ ଗୋ-ଶକଟରେ କଲିକତା ଗମନାଗମନ ସମୟରେ ଶକଟଚାଳକ ଓ ଅନ୍ୟାନ୍ୟ ପଥିକମାନେ ଅଙ୍ଗୁଳି ନିର୍ଦ୍ଦେଶ କରି ଉକ୍ତ ଭୟଙ୍କର ସ୍ଥାନମାନ ନିର୍ଦ୍ଦେଶ କରାଇ ଦେଉଥା’ନ୍ତି । ସେତେବେଳେ ଦେଶ ମଧ୍ୟରେ ଗୋଟିଏ ଚଳିତ କଥା ବହୁକାଳ ପର୍ଯ୍ୟନ୍ତ ଶୁଣାଯାଉଥିଲା ।

“ହଳଦୀ ମଖାମଖି

ନାରାୟଣଗଡ ପାର ହେଲେ କୁଟୁମ୍ବ ଦେଖାଦେଖି ।”

                ପୂର୍ବେ ନିତାନ୍ତପକ୍ଷେ ଯାତ୍ରୀମାନେ ନାରାୟଣଗଡ ସୀମା ମଧ୍ୟରେ ସୂର୍ଯ୍ୟାସ୍ତ ଉତାରେ (ଦିବା ଭାଗରେ ମଧ୍ୟ) ଦଳବଦ୍ଧ ନ ହୋଇ ଗତାୟାତ କରୁ ନ ଥିଲେ । ଅଜଣା ଯାତ୍ରୀମାନଙ୍କର ରକ୍ଷା ଆଦୌ ନ ଥିଲା । ପୂର୍ବେ ଅବସ୍ଥାପନ୍ନ ଯାତ୍ରୀମାନେ ଗୋ-ଶକଟରେ ଗତାୟାତ କରୁଥିଲେ । ଭାଗ୍ୟବନ୍ତ ଲୋକମାନଙ୍କ ସକାଶେ ପାଲିଙ୍କିଡାକର ବନ୍ଦୋବସ୍ତ ଥିଲା । କଟକ, ପଦ୍ମପୁର ପ୍ରଭୃତି ଅଂଚଳର ସହସ୍ର ସହସ୍ର ଗୋ-ଶକଟ ଯାତ୍ରୀ ତଥା ବାଣିଜ୍ୟ ଦ୍ରବ୍ୟ ବହନରେ ନିଯୁକ୍ତ ଥିଲେ । ରେଳ ଓ ଷ୍ଟିମର ପ୍ରଭାବରୁ ସେ ହତଭାଗ୍ୟମାନଙ୍କ ଦାନାପାଣି ଉଠିଯାଇଅଛି ।

                ଈଶ୍ୱରଙ୍କ ପବିତ୍ର ରାଜ୍ୟରେ ପାପୀ ଦଳର ପତନ ଅନିବାର୍ଯ୍ୟ । ଡକାୟତମାନେ ଖୁବ୍ ସତର୍କତା ସହିତ ବ୍ୟବସାୟ ଚଳାଇ ଆସୁଥିଲେ ମଧ୍ୟ ଏତେଦିନ ଉତାରେ ସେମାନଙ୍କ ବିନାଶର କାରଣ ଉପସ୍ଥିତ ହେଲା ।

                ବାଲେଶ୍ୱର ଜିଲ୍ଲାର ଆସିଷ୍ଟାଂଟ ମେଜେଷ୍ଟର (ପରେ ହାଇକୋର୍ଟରେ ଜଜ୍) ମିଷ୍ଟର ରେମ୍ପିନି ସାହେବ ପାଲିଙ୍କି-ଡାକରେ ବାଲେଶ୍ୱରରୁ କଲିକତା ଯାଉଥିଲେ । ବସ୍ତା ଓ ହଳଦୀପଦ ଚଟି ମଧ୍ୟବର୍ତ୍ତୀ ସ୍ଥାନରେ ଡକାଏତ ପଡି ତାହାଙ୍କ ପାଲିଙ୍କି ଲୁଟିନେଲେ । ଡକାଏତମାନେ ପାରତପକ୍ଷେ ଇଂରେଜଙ୍କ ଉପରେ ଡକାଏତି କରନ୍ତି ନାହିଁ । କାହିଁକିନା ସେମାନେ ଜାଣନ୍ତି, ଦେଶୀୟ ରାଜାମହାରାଜାଙ୍କୁ ହତ୍ୟା କଲେ କାଳେ ରକ୍ଷା ପାଇପାରିବେ; ମାତ୍ର ପବିତ୍ର ଶ୍ୱେତଚର୍ମ ସ୍ପର୍ଶ କଲେ ଆଉ ସେମାନଙ୍କର ରକ୍ଷା ନାହିଁ । ଡକାଏତମାନେ ଭ୍ରମରେ ପଡି ରେମ୍ପିନି ସାହେବଙ୍କ ପାଲିଙ୍କି ଲୁଣ୍ଠନ କରିଥିଲେ । ସେହି ସମୟରେ ବାଲେଶ୍ୱରରେ ଜଣେ ତୈଲଙ୍ଗ ମହାଜନ ଥିଲେ । ନାମ ତାଙ୍କର ନାରିକେଳି ମେଳି ଯୋଗେୟା । ଏ ଜଣେ ସାମାନ୍ୟ ଅବସ୍ଥାର ଲୋକ । ପ୍ରଥମେ ଲବଣର କଂଟ୍ରାକ୍ଟରୀ କରି ବିପୁଳ ଅର୍ଥ ସେ ଉପାର୍ଜନ କରିଥିଲେ । ଯୋଗେୟାବାବୁଙ୍କର ଡାକ ବସିଥିବାର ଡକାୟତମାନେ ସନ୍ଧାନ ପାଇଲେ । ଦୈବଗତ୍ୟା ତାହାଙ୍କ ଯିବା ରହିତ ହେବାରୁ ସେହି ଡାକରେ ରେମ୍ପିନି ସାହେବ କଲିକତା ଯାଉଥିଲେ । ସାହେବ ଉପରେ ପୁଣି ଡକାଏତି ଏହା ତୁଚ୍ଛ କଥା ନୁହେଁ! ହାକିମ ମହଲରେ ଚହଳ ପଡିଗଲା । ପୋଲିସ ଦଳ ଯାଇ ବସ୍ତା ଥାନା ଇଲାକାଟା ଓଲଟପାଲଟ କରି ପକାଇଲେ । କେତେ ବଣଜଙ୍ଗଲ ଖୋଜାଗଲା, ସରକାରୀ ଖରଚରେ କେତେ ପୋଖରୀ ପାଣି ବୁହାଗଲା, କେତେ ନିର୍ଦୋଷ ଲୋକ ଟଣାଘୋଷରାରେ ପଡିଲେ, ହେଲେ କାହିଁରେ କିଛି ବି ହେଲା ନାହିଁ । ଡକାଏତଗୁଡାକ ଯେମନ୍ତ ଆକାଶରୁ ଆସିଥିଲେ, ମାଲଗୁଡାକ ପବନରେ ମିଶିଯାଇଛି । ଏହି ଡକାଏତୀ ତଦନ୍ତ ରହିତ ହେବା ମାତ୍ରକେ ଉପର୍ଯ୍ୟୁପରି ଆହୁରି ତିନି ଚାରିଟା ଡକାଏତି ହୋଇଗଲା । ବାଲେଶ୍ୱରନିବାସୀ ଜମିଦାରବାବୁ ମଦନମୋହନ ଦାସଙ୍କ ବସ୍ତା ଥାନା ଇଲାକାରେ ଖଣ୍ଡେ ତାଲୁକ ଅଛି । ନାଟବନ୍ଦି ଖଜଣା ଅସୁଲ ହୋଇ କଚେରି ଘରେ ପ୍ରାୟ ବାରଶ’ ଟଙ୍କା ଜମା ଥିଲା, ଡକାଏତ ପଡି ତାକୁ ବି ଘେନିଗଲେ । ସେହି ସମୟରେ ଯେଉଁ ସମସ୍ତ ଡକାୟତି ହୋଇଥିଲା, ଗୋଟିଏ ଡକାଏତି ଉଲ୍ଲେଖଯୋଗ୍ୟ । ବସ୍ତା ଥାନାଠାରୁ ପ୍ରାୟ ଚାରିକ୍ରୋଶ ଦୂର ଚାରିଗାଁ ନାମକ ଗ୍ରାମରେ ଜଣେ ସଙ୍ଗତିସମ୍ପନ୍ନ ଲୋକର ବାସ, ନାମ ତାର ବାଆନ ଭୂୟାଁ । ଡକାଏତ ଦଳ ଥରେ ଏହା ଘରେ ଭୟଙ୍କର ଅତ୍ୟାଚାର କରିଥିଲେ । ତାହାର ଦୁଇ ସ୍ତ୍ରୀ, ଗୋଟିଏ ସ୍ତ୍ରୀ ପୂର୍ଣ୍ଣଗର୍ଭା । ନିଷ୍ଠୁର ଡକାଏତମାନଙ୍କର ଦାରୁଣ ପ୍ରହାରରେ ତାହାର ଗର୍ଭପାତ ଏବଂ ଚାରିଦିନ ଉତାରେ ତା’ର ଜୀବନପାତ ମଧ୍ୟ ହୋଇଥିଲା । ଦ୍ୱିତୀୟ ସ୍ତ୍ରୀ ପଳାୟନ ଦ୍ୱାରା ସେ ଆତ୍ମରକ୍ଷା କଲା । ବାଆନ ଭୂୟାଁକୁ ଡକାଏତମାନେ ଅନେକ ପ୍ରହାର କରି ତାହାର ବେକ ମୋଡି ଦେଇ ଯାଇଥିଲେ । ଫଳରେ ତାହାର ମୁଖ ପୃଷ୍ଠଦିଗକୁ ବୁଲିଯାଇଥିଲା । ବାଆନ ଭୂୟାଁ ମଧ୍ୟ ସେ ଡକାଏତମାନଙ୍କୁ ସହଜରେ ଛାଡିଦେଇ ନାହିଁ । ଦୁଇ ତିନିଜଣଙ୍କୁ ଅସ୍ତ୍ରାଘାତ ଓ ଜଣେ ଡକାଏତକୁ ହତ୍ୟା କରିଥିଲା । ତା’ପରେ ସଙ୍ଗୀ ଡକାଏତମାନେ ହତ ଡକାଏତର ଶବ ଘେନି ସେଠାରୁ ପଳାଇ ଯାଇଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ