ଅଳ୍ପଦିନ ପୂର୍ବେ ପୁରାତନ ପୋଲିସ୍ ଉଠିଯାଇ ନୂତନ ବେଙ୍ଗଲ ପୋଲିସ ସ୍ଥାପିତ ହୋଇଅଛି । ବାଲେଶ୍ୱର ଜିଲ୍ଲାର ପ୍ରଥମ ପୋଲିସ୍ ଡିଷ୍ଟ୍ରିକ୍ଟ ସୁପରିଂଟେଣ୍ଡେଂଟ ମିଷ୍ଟର ସଟଲ ଓୟାର୍ଥ ସାହେବ ପ୍ରାଣପଣେ ଯତ୍ନ କରି ମଧ୍ୟ ବସ୍ତା ଇଲାକାରୁ ଫେରିଆସିଲେ ଏବଂ ଡକାଏତ ଦଳ ଆବିଷ୍କାର ନିମନ୍ତେ ସବ୍ଇନ୍ସ୍ପେକ୍ଟର ବାବୁ ରାଜକିଶୋର ଚୌଧୁରୀଙ୍କୁ ନିଯୁକ୍ତ କଲେ । ଚୌଧୁରୀ ମହାଶୟ ପୋଲିସ୍ ଇଲାକାରେ ଜଣେ ସୁଯୋଗ୍ୟ କର୍ମଚାରୀ ବୋଲି ସେତେବେଳେ ତାଙ୍କର ଭାରି ଖ୍ୟାତି ଥିଲା । ରାଜଘାଟ ଥାନା ମୁନ୍ସିବାବୁ ଦିଗମ୍ବର ଦାସ, ଜଳେଶ୍ୱର ଥାନା ମୁନ୍ସିବାବୁ କିଶାରାମ ପ୍ରଧାନ ତାଙ୍କୁ ସାହାଯ୍ୟ କରିବାକୁ ଗଲେ?
ଉପରିସ୍ଥ ହାକିମଙ୍କ ଆଦେଶାନୁସାରେ ବାବୁ ରାଜକିଶୋର ଚୌଧୁରୀ ପୋଲିସ ଦଳବଳ ସହିତ ଉକ୍ତ ଡକାଏତି ଉକୁସ୍ଥାନ ଚାରିଗାଁରେ ଯାଇ ବାସ କରିବାକୁ ଲାଗିଲେ । ବହୁ ଦିନ ପର୍ଯ୍ୟନ୍ତ ବୃଥା ପରିଶ୍ରମ କରି ଅକୃତକାର୍ଯ୍ୟତା ବିଷୟ ରିପୋର୍ଟ କରିବାରୁ ସୁପରିଂଟେଣ୍ଡେଂଟ ସାହେବ ତାଙ୍କୁ ଉତ୍ସାହ ଦେଇ ଲେଖିଲେ, “ତୁମ୍ଭର ଅନୁସନ୍ଧାନ ପ୍ରଣାଳୀ ସନ୍ତୋଷଜନକ, ଯେପର୍ଯ୍ୟନ୍ତ ଡକାଏତ ଦଳ ଧରାଯାଇ ନାହାଁନ୍ତି, ସେ ପର୍ଯ୍ୟନ୍ତ ତୁମେ ଚାରିଗାଁ ଆଦୌ ତ୍ୟାଗ କରିବ ନାହିଁ ।” ଏହାହିଁ ଇଂରେଜ ଚରିତ୍ରର ବିଶେଷତ୍ୱ । ଏଥିସକାଶେ ଆମ୍ଭେମାନେ ଜିତ ଓ ଇଂରେଜ ଜାତି ଜେତା । କୌଣସି ବିଷୟରେ ଅକୃତକାର୍ଯ୍ୟ ହେଲେ ଆମ୍ଭେମାନେ ହତୋଦ୍ୟମ ନିରାଶ ହୋଇପଡୁ । ମାତ୍ର ଇଂରେଜ ଜାତିର କାର୍ଯ୍ୟପ୍ରଣାଳୀ ସ୍ୱତନ୍ତ୍ର ପ୍ରକାର ଅଟେ । ପ୍ରକୃତ ସେମାନେ ‘ଆଫଳୋଦୟକର୍ମା’ ଅଟନ୍ତି । ଲୋକେ କଥାରେ ବୋଲନ୍ତି, ‘ଲାଗିଥିବା ଲୋକ କଦାପି ମାଗି ଖାଏ ନାହିଁ ।’ – ଉପସ୍ଥିତ ଘଟନା ସେଥିର ଗୋଟିଏ ଦୃଷ୍ଟାନ୍ତ ସ୍ଥଳ ଅଟେ । ରାଜକିଶୋରବାବୁଙ୍କ ଅନୁସନ୍ଧାନ ପ୍ରଣାଳୀ ଏହିପରି ଥିଲା କି, ସଂନ୍ଧ୍ୟା ଉତାରେ ଦୁଇ ତିନି ଜଣ ପୋଲିସ କର୍ମଚାରୀ ସଙ୍ଗରେ ଘେନି ସେ ଚାରିଗାଁ ଚତୁଃପାଶ୍ୱର୍ସ୍ଥ ତିନି ଚାରି କ୍ରୋଶ ଦୂରବର୍ତ୍ତୀ ଗ୍ରାମମାନଙ୍କରେ ପ୍ରଚ୍ଛନ୍ନ ଭାବରେ ଭ୍ରମଣ କରନ୍ତି । ରାତ୍ରିରେ ଗ୍ରାମବାସୀମାନଙ୍କ କଥୋପକଥନ ଶୁଣିବା ଓ ସେମାନଙ୍କ କାର୍ଯ୍ୟ ଦେଖିବା ତାଙ୍କର ମୂଳ ଉଦ୍ଧେଶ୍ୟ ଅଟେ । ମଫସଲର ପାଣମାନେ ତ ପ୍ରାୟ ଚୋରି କାର୍ଯ୍ୟରେ ହିଁ ଲିପ୍ତ ଥାଆନ୍ତି । ସେଥିସକାଶେ ତାଙ୍କୁ ପାଣ ଗ୍ରାମମାନଙ୍କରେ ଅଧିକାଂଶ ରାତ୍ରି କ୍ଷେପଣ କରିବାକୁ ହୁଏ । ପ୍ରାୟ ପ୍ରତ୍ୟହ ପାଣସାହି ଓଳିରେ ବସି ସେ ଘର ମଧ୍ୟସ୍ଥ କଥୋପକଥନ ସବୁ ଶୁଣନ୍ତି । ଏହା ଭଦ୍ରଲୋକ ପକ୍ଷରେ ଯେ କେତେଦୂର କଷ୍ଟସାଧ୍ୟ କାର୍ଯ୍ୟ, ପାଠକେ ତାହା ଅତି ସହଜରେ ବୁଝିପାରୁଥିବେ । ପାଣମାନଙ୍କ ପଲାଘର ପଛଓଳି ଏତେ ନୁଆଁଣ ଯେ, ବସିଲେ ମଧ୍ୟ ଚାଳ ମୁଣ୍ଡରେ ବାଜେ । ଓଳିତଳ ଅପରିଷ୍କାର, କଦର୍ଯ୍ୟ, ଦୁର୍ଗନ୍ଧମୟ । ସହସ୍ର ସହସ୍ର ମଶକ ବେଢି ଭଣଭଣ କରି ତାଙ୍କୁ ଖାଉଛନ୍ତି, ହେଲେ ସେମାନଙ୍କୁ ଘଉଡିବାର କ୍ଷମତା ନାହିଁ । ସର୍ପ ଭଲ୍ଲୁକର ମଧ୍ୟ ଭୟ ନ ଥିଲା, ଏମନ୍ତ ନୁହେଁ । ପୁଣି ଗ୍ରାମସ୍ଥ ପାଣମାନେ ଜାଣିପାରିଲେ ଭୟଙ୍କର ବିପଦ ଘଟିବାର ସମ୍ଭାବନା । କ’ଣ କରିବେ, ଚାକିରିଖଣ୍ଡ ତ ରକ୍ଷା କରିବାକୁ ଧହ!
ଏକଧଦଜ୍ଞବସ ଅଦ୍ଧଧରଜ୍ଞାତ୍ର ଧମ ରେ ଗୋଟିଏ ପାଣ ଓଳିରେ ବସିଛନ୍ତି, ଘର ମଧ୍ୟରୁ ସେ ଶୁଣିଲେ, ଗୋଟିଏ ଯୁବତୀ ସ୍ତ୍ରୀ କାନ୍ଦି କାନ୍ଦି ତାହାର ମାତାକୁ ଅନୁଯୋଗ କରୁଅଛି-
“ସେ ଯିବାକୁ ରାଜି ନ ଥିଲେ, ବାପା ଜୋର୍କରି ତାଙ୍କୁ ଘେନିଗଲା । ଅକାରଣରେ ପ୍ରାଣଟା ସିନା ଗଲା! ମୁଁ ଏବେ କ’ଣ କରିବି?”
ଆରଦିନ ପ୍ରାତଃକାଳରେ ପୋଲିସ୍ ଦଳଦଳ ସହିତ ସବ୍ଇନ୍ସପେକ୍ଟର ରାଜକିଶୋରବାବୁ ସେ ଗ୍ରାମରେ ଉପସ୍ଥିତ । ତଦନ୍ତରେ ଜଣାଗଲା, କ୍ରନ୍ଦନକାରିଣୀ ସ୍ତ୍ରୀର ସ୍ୱାମୀ ଓ ପିତା ଡକାଏତ । ତାହାର ସ୍ୱାମୀ ଡକାଏତି ସମୟରେ ହତ ଓ ପିତା ଆହତ । ଅନ୍ୟ ଦୁଇଜଣ ଆହତ ଡକାୟତ ମଧ୍ୟ ଧରାଗଲେ । ଡକାୟତି ମାଲ ମଧ୍ୟ ବରାମଦ ହେଲା । ସେସନକୋର୍ଟ ବିଚାରରେ ପ୍ରାୟ ପନ୍ଦର ଜଣ ଡକାୟତ ଗୁରୁତର ଦଣ୍ଡପ୍ରାପ୍ତ ହେଲେ । ବୋଧକରୁଁ, ସେମାନଙ୍କୁ ଆଉ ସ୍ୱ-ଗୃହକୁ ବାହୁଡିବାକୁ ହୋଇ ନ ଥିଲା ।
ଏହି ଡକାଏତ ଦଳ ଦଣ୍ଡପ୍ରାପ୍ତ ହେଲେ ମଧ୍ୟ ହାକିମମାନେ ନିଶ୍ଚିତ ହୋଇପାରିଲେ ନାହିଁ, କାରଣ ପ୍ରକାଶ ପାଇଲା ରେମ୍ପିନିଙ୍କ ପ୍ରତି ଯେଉଁମାନେ ଅତ୍ୟାଚାର କରିଥିଲେ, ସେ ସ୍ୱତନ୍ତ୍ର ଓ ପ୍ରଧାନ ଡକାଏତ ଦଳ ଅଟନ୍ତି । ମୟୂରଭଞ୍ଜର ଘୋର ଜଙ୍ଗଲ ମଧ୍ୟରେ ସେମାନଙ୍କର ଖଟି । ଏହି ପ୍ରଧାନ ବା ମୂଳ ଦଳର ଡକାଏତ ସଂଖ୍ୟା ପ୍ରାୟ ପଚାଶ ଜଣ । କଦାଚିତ୍ ଏକତ୍ର, କେବେ ବା ଭିନ୍ନ ଭିନ୍ନ ରୂପ ଦଳବଦ୍ଧ ହୋଇ ସେମାନେ ଡକାଏତି କରିଥା’ନ୍ତି ।
ବାଲେଶ୍ୱର ସଦର ଥାନାର ଇନ୍ସପେକ୍ଟର ବାବୁ ସାରଦା ପ୍ରସାଦ ଘୋଷ ପୋଲିସ ବିଭାଗରେ ଜଣେ କର୍ମଚାରୀ ବୋଲି ଉପରିସ୍ଥ କର୍ମଚାରୀମାନଙ୍କ ବିଶ୍ୱାସ ଥିଲା । ତେଣୁ ଡକାଏତ ଦଳର ଆବିଷ୍କାର ଓ ଗ୍ରେପ୍ତାର ନିମନ୍ତେ ତାହାଙ୍କୁ ନିଯୁକ୍ତ କରାଗଲା । ବହୁକାଳ ପରିଶ୍ରମ ଉତାରେ ସାରଦାବାବୁ ଡକାଏତ ଦଳର ଖଟିସ୍ଥାନର ମାତ୍ର ସନ୍ଧାନ ପ୍ରାପ୍ତ ହେଲେ ।
ମୟୂରଭଞ୍ଜର ବାରିପଦାଗଡଠାରୁ ଜଳେଶ୍ୱର ପର୍ଯ୍ୟନ୍ତ ନିବିଡ ଅରଣ୍ୟ ମଧ୍ୟରେ ଗୋଟିଏ ସଂକୀର୍ଣ୍ଣ ବନ୍ୟମାର୍ଗ ଅଛି । ଦିନେ ପୂର୍ବାହ୍ନ ଦିବା ପ୍ରହରକ ସମୟରେ ତିନିଜଣ ଭିକ୍ଷୁକ ଅର୍ଦ୍ଧକୋଶ ଅନ୍ତର ଆଗପଛ ହୋଇ ବାରିପଦା ଆଡୁ ଜଳେଶ୍ୱର ଆଡକୁ ଯାଉଅଛନ୍ତି । ସର୍ବପଶ୍ଚାତ୍ରେ ଜଣେ ଜ୍ୟୋତିଷ । ଚେହେରା ଦେଖିଲେ ଜଣେ ସମ୍ଭ୍ରାନ୍ତ ଲୋକ ବୋଲି ବୋଧହୁଏ, ମାତ୍ର ବେଶ ନିତାନ୍ତ ଦାରିଦ୍ର୍ୟବ୍ୟଞ୍ଜକ । ପରିଧାନ ଖଣ୍ଡେ ଆଣ୍ଠୁଲୁଚା ଲୁଗା, ମୋଟା ମଳିନ ତନ୍ତବୁଣା ଖଦି । ମୁଣ୍ଡରେ ଖଣ୍ଡେ ତଦ୍ବତ୍ ମଳିନ ଗାମୁଛା ପାଗ, ଅନ୍ୟ ଖଣ୍ଡିଏ ଗାମୁଛାରେ ସେର ଦୁଇ ଅନ୍ଦାଜ ଚାଉଳ ଓ କେତେ ଅଣା ପଇସା ବନ୍ଧା । କାଖରେ ତାଙ୍କର ଲିଖନଗୁଞ୍ଜା ତାଳପତ୍ର ପାଞ୍ଜି । ହସ୍ତରେ ଖଣ୍ଡିଏ ଦାଂଶଯଷ୍ଟି । ତାସାଙ୍ଗକୁ ତାଙ୍କ କାନ୍ଧରେ ତାଳପତ୍ର ଛତା ( ସେ ସମୟରେ କନା ଛତାର ବିରଳ ବ୍ୟବହାର ଥିଲା) । ଦୁର୍ଭାଗ୍ୟ ବା ସୌଭାଗ୍ୟବଶତଃ ସେ ଜ୍ୟୋତିଷ ଦୁଇଜଣ ବନ୍ୟଦସ୍ୟୁ ହାତରେ ପଡିଲେ । ଜ୍ୟୋତିଷ ବହୁତ ଅନୁନୟ ବିନୟ କରି ଆପଣାର ହୀନଦଶା ଏବଂ ଆପଣା ବିଦ୍ବତା ବିଷୟ ଦସ୍ୟୁମାନଙ୍କୁ ଜଣାଇଲେ । ଜ୍ୟୋତିର୍ବିଦ୍ଙ୍କ ବକ୍ତୃତାର ସାରାଂଶ- ସେ ଜଣେ ଭଲ ଜ୍ୟୋତିଷ, ତାଙ୍କର ଗଣନା ବଡ ଠିକ୍, ମୟୂରଭଞ୍ଜ ମହାରାଜ ବି ତାଙ୍କୁ ଖୁବ୍ ଖାତର କରନ୍ତି ଇତ୍ୟାଦି ।