ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବାଲେଶ୍ୱରୀ ରାହାଜାନି

ସେ ଦସ୍ୟୁ ଦୁଇଜଣ ପରସ୍ପର କ’ଣ ପରାମର୍ଶ କରି ଏ ଜ୍ୟୋତିଷଙ୍କୁ କହିଲେ, “ତୁ ଆମ ସର୍ଦ୍ଦାର ନିକଟକୁ ଚାଲ । ଯେବେ ଠିକ୍ ବୁଝିଦେବୁ, ତୋ ଚାଉଳ ଲୁଗା କିଛି ବି ନେବୁଁ ନାହିଁ ।” ଜ୍ୟୋତିଷ ଅନିଚ୍ଛାସତ୍ୱେ ସମ୍ମତ ହେବାରୁ ଦସ୍ୟୁଯୁଗଳ ତାହାର ଆଖି ବାନ୍ଧି ହାତଧରି ନିବିଡ ଜଙ୍ଗଲମୟ, କୁଟିଳ, ବନ୍ଧୁର ମାର୍ଗରେ ତାକୁ ଘେନିଗଲେ । ଯିବା ସମୟରେ ଜ୍ୟୋତିଷ ଅତି ସତର୍କତା ସହିତ ମାର୍ଗ ପାଶ୍ୱର୍ସ୍ଥ କ୍ଷୁଦ୍ର ବୃକ୍ଷ ଡାଳ ଭାଙ୍ଗିଦେଇ ଯାଉଥାଏ । ଆନୁମାନିକ ଦୁଇ ତିନି କ୍ରୋଶ ଭ୍ରମଣ ଉତାରେ ସେମାନେ ଯାଇ ଡକାଏତ ଦଳର ଖଟିସ୍ଥାନରେ ଉପସ୍ଥିତ ହେଲେ । ଆଖିର ପଟି ଫିଟାଇ ଦିଆଯିବାରୁ ଖଟିସ୍ଥାନର ଅବସ୍ଥା ଦେଖି ଜ୍ୟୋତିଷଙ୍କ ଅନ୍ତରାତ୍ମା ଶୁଷ୍କ ହୋଇଗଲା । ନିତାନ୍ତ ସାହସୀ ପୁରୁଷ ବିନା ସେ ସ୍ଥାନରେ ଧୈର୍ଯ୍ୟାବଲମ୍ବନ କରି ରହିବା ନିତାନ୍ତ କଠିନ କଥା ।

ନିବିଡ ଜଙ୍ଗଲ ମଧ୍ୟରେ ଅଳ୍ପ ପରିସର ଭୂମିଖଣ୍ଡ ପରିଷ୍କୃତ । ଦୁଇ ତିନିଟା ଧୁନି ଲାଗିଅଛି, ଚାରି ଛଅଟା ଭାତରନ୍ଧା ହାଣ୍ଡି ଏକ ସ୍ଥାନରେ ପଡିରହିଅଛି । ପର୍ଯ୍ୟୁଷିତ ମାଂସ ଓ ଶୁଷ୍କ ମାଂସରେ ସେ ସ୍ଥାନଟା ନିତାନ୍ତ ଦୁର୍ଗନ୍ଧମୟ । ଟାଙ୍ଗିଆ, ବର୍ଚ୍ଛା, ତଲବାର, ତୀର, ଧନୁକ ପ୍ରଭୃତି ଭୟଙ୍କର ଅସ୍ତ୍ରମାନ ଗଛ ଡାଳମାନଙ୍କରେ ଝୁଲୁଅଛି । ମଦମତ ବିକଟାଳ ନରରୂପୀ କେତେଟା ରାକ୍ଷସପ୍ରକୃତି ପ୍ରାଣୀ ଧୂଳିରେ ପଡି ଗଡୁଅଛନ୍ତି । ସମସ୍ତଙ୍କର ପରିଧାନ କୌପୀନ, ମହିଷବତ୍ ବଳିଷ୍ଠ । କେହି କର୍କଶ ଭାଷାରେ ଅକାରଣରେ ଅନ୍ୟଜଣକୁ ଗାଳି ଦେଉଅଛି, କେହି ବା ବିକୃତ ସ୍ୱରରେ ସଙ୍ଗୀତ ଆରମ୍ଭ କରିଅଛି । ଜ୍ୟୋତିଷକୁ ଦେଖି ସମସ୍ତେ କଟମଟ କରି ଅନାଇଲେ, ବିଶେଷରେ ସର୍ଦ୍ଦାର ଅନେକକ୍ଷଣ ପର୍ଯ୍ୟନ୍ତ ଆପାଦମସ୍ତକ ଅନାଇ ସେ ଆଗନ୍ତୁକ ଦସ୍ୟୁ ଦୁଇଜଣଙ୍କୁ କର୍କଶ ଭାଷାରେ ପଚାରିଲା, “ଏଟା କିଏ? କାହିଁକି ଏହାକୁ ଏଠିକି ଆଣିଲ?” ତା’ପରେ ଆଗନ୍ତୁକ ଦୁଇଜଣ ସେ ଜ୍ୟୋତିଷର ସମ୍ପୁର୍ଣ୍ଣ ପରିଚୟ ଦେଲେ ।

ଏହି ସର୍ଦ୍ଦାରର ପରିଚୟ ଆବଶ୍ୟକ              । ସେହି ସମୟରେ ଡକାଏତ ଦଳରେ ଦୁଇଜଣ ସର୍ଦ୍ଦାର ଥିଲେ । ପ୍ରଥମଟିର ନାମ ନାଲୁ ମିର୍ଦ୍ଧା, ଦ୍ୱିତୀୟଟିର ନାମ ବୈଦୀ ସେଠୀ । ନାଲୁ ମିର୍ଦ୍ଧା ଦୀର୍ଘାକାର, ଖୁବ୍ ବଳିଷ୍ଠ, ଚକ୍ଷୁ ଦୁଇଟା ତାଙ୍କର କାକଡିମ୍ବ ପରି ବୃହତ୍ ଓ ରକ୍ତବର୍ଣ୍ଣ । ରାକ୍ଷସବତ୍ ଆକୃତି ତା’ର ଅତି ଭୟଙ୍କର । ଅଦ୍ୟ ନାଲୁ ମିର୍ଦ୍ଧା ଉପସ୍ଥିତ ଥିଲା । ନାଲୁ ଓ ଜ୍ୟୋତିଷ ମଧ୍ୟରେ ଏହିପରି କଥୋପକଥନ ହେଲା ।

ନାଲୁ – ତୁ ଜୁତିଷ?

ଜ୍ୟୋତିଷ- ଆଜ୍ଞା ହଁ ।

ନାଲୁ – ବୋଇଲୁ, ମୋ ମନରେ କି କଥା ଅଛି?

ଜ୍ୟୋତିଷ ଖଡି ପକାଇ ଅନେକ  ଶ୍ଲୋକ ପଢିଲେ । ସେଥିରେ କେବଳ ଗ୍ରହ ନକ୍ଷତ୍ର ନାମ ଛଡା ଆଉ କିଛି ବି ନଥିଲା । କହିଲେ, “ପାଠ କହିଲା, ଶନିଗ୍ରହ- ଏହି ଗ୍ରହରେ ଟଙ୍କାକଉଡି ଦ୍ରବ୍ୟାଦି ଲାଭ କଥା ।”

ନାଲୁ- ବୋଇଲୁ, ସେ ଦ୍ରବ କେଉଁ ଦିଗରେ?

ପୁନର୍ବାର ଶ୍ଳୋକ ପାଠକରି ଜ୍ୟୋତିଷ କହିଲେ, “ପୂର୍ବଦିଗରେ ।”

ସବୁ ଡକାଏତ ଏକାବେଳକେ ଚିତ୍କାର କଲେ, “ସାବାସ୍, ସାବାସ୍ ନୋହିଲେ କି ମୟୂରଭଞ୍ଜ ରାଜଦରବାରକୁ  ଯାଏ ।”

ନାଲୁ – ବୋଇଲୁ, କେଉଁଦିନ କେତେବେଳେ ଗଲେ ସେ ଦ୍ରବ୍ୟ ସବୁ ମିଳିବ ।

ଜ୍ୟୋତିଷ – ଆସନ୍ତା କୃଷ୍ଣପକ୍ଷ ଦ୍ୱାଦଶୀ ଶନିବାର ସଂନ୍ଧ୍ୟା ସମୟରେ ଯାତ୍ରା କରି ଗଲେ କାମ ଫତେ- ଅର୍ଥ ମିଳିବ ।

ତା’ପରେ ସେ ସବୁ ଡକାଏତ ଏକାବେଳକେ ଚିତ୍କାର କରି କହିଲେ, “ଭଲ ଭଲ, ସଞ୍ଜବେଳେ ଏଠାରୁ ବାହାରିଲେ, ଅଧରାତିବେଳେ ଆମେ ଯାଇ ସେଠାରେ ପହଁଚିବା ।” ଜ୍ୟୋତିଷ ବିଦାୟ ଗ୍ରହଣ କଲେ । ପୁନର୍ବାର ତାଙ୍କ ଆଖି ବନ୍ଧାଗଲା, ପୂର୍ବକଥିତ ଦସ୍ୟୁ ଦୁଇଜଣ ବାଟରେ ତାଙ୍କୁ ଛାଡିଦେଇ ଗଲେ ।

ନିରୁପିତ ଦିବସ ଉପସ୍ଥିତ । ପୁଲିସ ଦଳବଳ ସଜ ହୋଇ ଡକାଏତ ଧରିବା ସକାଶେ ଗୋଟିଏ ଗ୍ରାମରେ ସଜ୍ଜିତ ହୋଇ ରହିଲେ । ଜ୍ୟୋତିଷର ଗଣନ ଠିକ୍ ହେଲା, କିନ୍ତୁ ଅନ୍ୟ ଗ୍ରାମରେ । ଯେଉଁ ଗ୍ରାମରେ ଡକାଏତି ହେବାର ଜ୍ୟୋତିଷ ଅନୁମାନ କରି ସଜ ହୋଇ ବସିଥିଲେ, ସେ ଗ୍ରାମକୁ ଡକାଏତମାନେ ଗଲେ ନାହିଁ । ଡକାଏତି କରି ଡକାଏତମାନେ ସ୍ୱଚ୍ଛନ୍ଦରେ ଚାଲିଗଲେ । ଏଠାରେ ପାଠକ ମହାଶୟ ଅନୁମାନରେ ବୁଝିଥିବେ, କଥିତ ଜ୍ୟୋତିଷ ଜଣକ ଅନ୍ୟ କେହି ନୁହେଁ, ସେ ହେଲେ ପୋଲିସ୍ ଇନିସ୍ପେକ୍ଟର ସ୍ୱୟଂ ବାବୁ ସାରଦା ପ୍ରସାଦ ଘୋଷ ।


ଗପ ସାରଣୀ

ତାଲିକାଭୁକ୍ତ ଗପ