ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବାଲେଶ୍ୱରୀ ରାହାଜାନି

କ୍ରମଶଃ ଦୁଇ ଚାରିମାସ ଗତ । ଏଥିମଧ୍ୟରେ ଆହୁରି ଦୁଇ ଚାରିଟା ଡକାଏତି ଉପର୍ଯ୍ୟୁପରି ହୋଇଗଲାଣି । ଏଣେ ଏ ହାକିମ ଓ ପୋଲିସ ଦଳ ଭାରି ଅସ୍ଥିର । ସାରଦାବାବୁ ଡକାଏତମାନଙ୍କ ଖଟିସ୍ଥାନର ଯେପରି ଅବସ୍ଥା ଦେଖି ଆସିଥିଲେ, ସେଥିରେ ପୋଲିସ ଦଳ ଯାଇ ସେମାନଙ୍କୁ ଗ୍ରେପ୍ତାର କରିବା ସହଜ କଥା ନୁହେଁ । ଡକାଏତଦଳ ଯେପରି ଭାବରେ ସର୍ବଦା ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଓ ଉନ୍ମତ ଭାବରେ ଥା’ନ୍ତି, ସେମାନଙ୍କୁ ଧରିବାକୁ ଗଲେ ଅନେକ ଲୋକଙ୍କ ପ୍ରାଣନାଶର ସମ୍ଭାବନା ରହିଛି ।

ଅନେକ ଅନୁସନ୍ଧାନ ଉତାରେ ବସ୍ତା ଇଲାକାର ଜଣେ ଜମିଦାରଙ୍କର ଗୋଟିଏ ଚାକର ଡକାଏତ ଦଳରେ ଲିପ୍ତ ଥିବାର ପ୍ରକାଶ ପାଇଲା । ସାରଦାବାବୁ ଉକ୍ତ ଜମିଦାରଙ୍କ ସହାୟତାରେ ଚାକରଟାକୁ ହସ୍ତଗତ କଲେ । ତାକୁ କେତେକ ନଗଦ ଟଙ୍କା ଦେଇ, ପ୍ରଲୋଭନ ଦେଖାଇ, ଅଭୟ ଦେଇ, ଚାକରଠାରୁ ସେ ସାରଦାବାବୁ ସମସ୍ତ ସନ୍ଧାନପ୍ରାପ୍ତ ହେଲେ । ସାରଦାବାବୁଙ୍କ ଉପଦେଶ ଅନୁସାରେ ଉକ୍ତ ଚାକର ଡକାଏତ ଦଳର ସର୍ଦ୍ଦାର ନାଲୁ ମିର୍ଦ୍ଧାଙ୍କୁ ଜଣାଇଲା, ଦୁଇଜଣ ଡକାଏତ ବର୍ଦ୍ଧମାନ ଜେଲଖାନାରୁ ପଳାଇ ଆସି ଏକ ଗ୍ରାମରେ ଲୁଚି ଅଛନ୍ତି । ସର୍ଦ୍ଦାର ଏ ସମ୍ବାଦ ପାଇ ଅତ୍ୟନ୍ତ ଆଗ୍ରହ ସହିତ ସେମାନଙ୍କୁ ତୁରନ୍ତ ଡାକି ପଠାଇଲା । ଉକ୍ତ ଚାକର ସହିତ ପଳାତକ ଡକାଏତ ଦୁଇଜଣ ଖଟି ସ୍ଥାନରେ ଉପସ୍ଥିତ ହେଲେ । ପ୍ରଥମେ ସର୍ଦ୍ଦାର ଓ ଅନ୍ୟାନ୍ୟ ଡକାଏତମାନେ ତ ସେମାନଙ୍କୁ ସନ୍ଦେହ ନେତ୍ରରେ ଦେଖୁଥିଲେ; ମାତ୍ର ନବାଗତ ଡକାଏତମାନଙ୍କ ଆକାର ପ୍ରକାର ଓ କଥୋପକଥନ ଶୁଣି ସେମାନଙ୍କ ସନ୍ଦେହ ଧୀରେ ଧୀରେ ଦୂର ହେଲା । ଏହି ଦୁଇଜଣ କେଉଁ କେଉଁ ସ୍ଥାନରେ ଡକାଏତି କରିଥିଲେ, ଡକାଏତି ପୂର୍ବେ କିପରି ସନ୍ଧାନ ନେବାକୁ ହୁଏ, କି କୌଶଳରେ ଡକାଏତି କରାଯାଏ ଓ ବିପଦ ପଡିଲେ କିପରି ସେଠାରୁ ପଳାଇବାକୁ ହୁଏ ଏବଂ ଜେଲଖାନା ଭାଙ୍ଗି କିପରି ପଳାଇ ଆସିବାକୁ ହୁଏ ଇତ୍ୟାଦି ବିଷୟ ଏପରି ଭାବରେ ବ୍ୟାଖ୍ୟା କଲେ ଯେ, ନାଲୁ ମିର୍ଦ୍ଧା ଏମାନଙ୍କୁ ପକ୍କା ଓସ୍ତାଦ ବୋଲି ଜ୍ଞାନ କଲା । ବହୁତ ସମାଦର କରି ସେମାନଙ୍କୁ ନିକଟରେ ରଖିଲା । ନବାଗତ ଡକାଏତମାନେ ଅନେକଦିନ ପର୍ଯ୍ୟନ୍ତ ସେ ଖଟି ସ୍ଥାନରେ ରହିଲେ । ସେମାନଙ୍କ ସମ୍ବାଦ ଚଳାଚଳ ଉକ୍ତ ଜମିଦାରଙ୍କ ଚାକରଦ୍ୱାରା ହିଁ ହେଉଥାଏ ।

ଦିନେ ନବାଗତ ଡକାଏତମାନେ ସର୍ଦ୍ଦାର ନିକଟରେ ପ୍ରସ୍ତାବ କଲେ, ଆମ୍ଭେମାନେ କ୍ଷୁଦ୍ର କ୍ଷୁଦ୍ର ଡକାଏତି କରୁ ନାହୁଁ, ଆସନ୍ତୁ ସମସ୍ତେ ମିଳି ଜଣେ ଲକ୍ଷପତି ଘରେ ଡକାଏତି କରିବା । ବର୍ଷେ ପର୍ଯ୍ୟନ୍ତ ଯେପରି ନିଶ୍ଚିନ୍ତରେ ବସି ମଜା କରିବା । ସର୍ବଦା କାମରେ ଲାଗିଲେ ମଜା କରିବୁଁ କେଉଁଦିନ? ଆଉ ବାରମ୍ବାର ଡକାଏତି କରିବାକୁ ଗଲେ ଧରାପଡିବାର ଯଥେଷ୍ଟ ସମ୍ଭାବନା ରହିଛି । ସର୍ଦ୍ଦାର ଓ ସଙ୍ଗୀମାନଙ୍କର ଏହି ସାଧୁ ପ୍ରସ୍ତାବଟି ମନୋନୀତ ହେଲା । ଏହା ଶୁଣି ସମସ୍ତେ ‘ସାବାସ୍ ସାବାସ୍’ କହିବାକୁ ଲାଗିଲେ । ଏହି ବିଷୟ ସ୍ଥିର କରିବା ନିମନ୍ତେ ଗୋଟିଏ ଦିନ ନିରୂପିତ ହେଲା ଓ ନିର୍ଦ୍ଧାରିତ ଦିବସ ରାତ୍ରରେ ଉପସ୍ଥିତ ହେବା ନିମନ୍ତେ ଭଦ୍ରକଠାରୁ ମେଦିନୀପୁର ପର୍ଯ୍ୟନ୍ତ ସମସ୍ତ ଦଳକୁ ସମ୍ବାଦ ଦିଆଗଲା । ସେହି ସମୟରେ ଅନେକ କ୍ଷୁଦ୍ର କ୍ଷୁଦ୍ର ଦଳ ସ୍ଥାନେ ସ୍ଥାନେ ବାସ କରୁଥିଲେ, ମାତ୍ର ସେ ସମସ୍ତ ଦଳର ସର୍ଦ୍ଦାର ନାଲୁ ମିର୍ଦ୍ଧା ଓ ବୈଦୀ ସେଠୀ । ଏହି ସମସ୍ତ ଡକାଏତିରୁ ସର୍ଦ୍ଦାର ଭାଗ ପାଇଥା’ନ୍ତି ।

ଆଜି ପୂର୍ବୋକ୍ତ ଡକାଏତି ଖଟିରେ ଭାରି ଜାରି । ମେଦିନୀପୁରଠାରୁ ଭଦ୍ରକ ପର୍ଯ୍ୟନ୍ତ ସମସ୍ତ ଡକାଏତ ଠୁଳ ହୋଇଅଛନ୍ତି । ଗୋଟିଏ ବଡ ଡକାଏତିର ବନ୍ଦୋବସ୍ତ କରାଯିବ । ତେଣୁ ଚାରି ପାଂଚ ଭାର ତାଡି, ତତୁଲ୍ୟ ମଦ ଗଞ୍ଜାଇ ଅଣାଯାଇଅଛି । ଯାହାର ଯେତେ ଇଛା ଖାଉ, ମାଗିବାକୁ ନାହିଁ । ଆଠ ଦଶଟା ଛେଳି, ମେଣ୍ଢା ଗ୍ରାମମାନଙ୍କରୁ ଚୋରି କରି ଅଣାଯାଇଥିଲା । କେତେ ଜଣ ମାଂସ ଓ ଚାଟ୍ ପ୍ରସ୍ତୁତ କରିବାରେ ଲାଗିଯାଇ ଅଛନ୍ତି । ଆଜିକା ସମସ୍ତ ଖରଚ ନବାଗତ ଡକାଏତ ଦୁଇଜଣଙ୍କ ଜିମା । ଅତିରିକ୍ତ ମାଦକ ସେବନରେ ଅନେକ ଡକାଏତ ତଳେ ପଡିଗଲେଣି । ନୃତ୍ୟଗୀତ ଓ ଆମୋଦପ୍ରମୋଦର ଧୁମ ଲାଗିଅଛି । ଘୋର ଜଙ୍ଗଲ ମଧ୍ୟରେ ଖଟି ଚାରିପାଖ ତିନିଚାରି କ୍ରୋଶ ପର୍ଯ୍ୟନ୍ତ ଗ୍ରାମର ଆଉ ଚିହ୍ନ ନାହିଁ । ରାତ୍ରି ପ୍ରାୟ ଏକ ପ୍ରହର ସମୟରେ ଖଟି ଚତୁର୍ଦ୍ଦିଗରେ ମୁହୁର୍ମୁହୁଃ ବନ୍ଧୁକ ଆୱାଜ ହେଲା । ଘୋର ଚିତ୍କାର କରି ପ୍ରାୟ ପଚାଶ ଜଣ କନେଷ୍ଟବଳ ଓ ଦେଢଶହ ପାଇକ, ଚୌକିଦାର, ପୋଲିସ୍ ସବ୍ଇନ୍ସ୍ପେକ୍ଟର ଡକାଏତମାନଙ୍କ ଉପରେ ପଡିଲେ । ଡକାଏତମାନେ ନିଶାରେ ଅଚେତନ ହୋଇଥିଲେ ମଧ୍ୟ ସମୟରେ ସେମାନେ ସାବଧାନ । ଅନ୍ଧକାର ମଧ୍ୟେ ପ୍ରାୟ ଏକ ଘଂଟା ପର୍ଯ୍ୟନ୍ତ ଖୁବ୍ ମାରଧର, ଘୋର ବାହୁଯୁଦ୍ଧ ହେଲା । ଅବଶେଷରେ ଡକାଏତମାନେ ବନ୍ଧନରେ ପଡିଲେ ।

ସର୍ବଶେଷରେ ଆଲୋକ ଜଳାଯିବାରୁ ଦେଖାଗଲା, ସରଦାର ନାଲୁ ମିର୍ଦ୍ଧା ଓ ବୈଦୀ ସେଠୀ ପଳାଇ ଯାଇଅଛନ୍ତି । କେତେଗୁଡିଏ ଡକାଏତ ମଧ୍ୟ ନାହାଁନ୍ତି । ଡକାଏତ ଭ୍ରମରେ କେତେଜଣ କନେଷ୍ଟବଳ ଓ ପାଇକ ପ୍ରହାରିତ ଓ ବନ୍ଧନ ଦଶାରେ ପଡିଅଛନ୍ତି । ନବାଗତ ବର୍ଦ୍ଧମାନୀ ଡକାଏତ ଦୁଇଜଣ ଅର୍ଥାତ୍ ଛଦ୍ମବେଶୀ କନେଷ୍ଟବଳ ଦୁଇଜଣ ମଧ୍ୟ ବନ୍ଧନରେ ପଡିଅଛନ୍ତି ।

ଅଧିକାଂଶ ଡକାଏତ ଦ୍ୱୀପାନ୍ତରିତ । କେତେଜଣ ଦୀର୍ଘକାଳ ପର୍ଯ୍ୟନ୍ତ କାରାବାସ ଦଣ୍ଡପ୍ରାପ୍ତ ହେଲେ । ସେହିଦିନଠାରୁ ବାଲେଶ୍ୱର ଜିଲ୍ଲାର ଉତରାଂଚଳରେ ବଡ ଧରଣର ଡକାଏତି ହେବାର ମୋଟେ ବି ଶୁଣାଯାଇ ନାହିଁ ।

     ଗାଳ୍ପିକ – ଫକୀରମୋହନ ସେନାପତି


ଗପ ସାରଣୀ

ତାଲିକାଭୁକ୍ତ ଗପ