ତୃତୀୟ ସର୍ତ୍ତଟି ଅବଶ୍ୟ ପ୍ରଥମ ଦୁଇଟି ପରି ଏତେଟା କଷ୍ଟ ନୁହେଁ, ତେବେ ବଡ ଅଡୁଆ । ସେ ସର୍ତ୍ତଟା ହେଉଛି ଏପରି ଗୋଟିଏ ଗପ ଶୁଣାଇବାକୁ ପଡିବ ଯାହା ଭୋର ଠାରୁ ସଞ୍ଜ ପର୍ଯ୍ୟନ୍ତ ଚାଲିବ । ଏହି ତିନୋଟି ପରୀକ୍ଷାରେ ଯିଏ ପାସ୍ କରିବ, କେବଳ ସେ ହିଁ ଆବିଓଲାକୁ ବିଭାହେବ ।
ସେ ଆବିଓଲାର ଘର ପାଖରୁ ଅନେକ ଦୂରରେ ଗୋଟିଏ ଯୁବକ-ଚାଷୀ ରହୁଥାଏ । ସେ ଯୁବକ ତ ଆବିଓଲାକୁ ବହୁ ଦିନରୁ ବାହା ହେବାକୁ ଇଚ୍ଛା କରୁଥାଏ । ବାପ ବୁଢାର ସର୍ତ୍ତଗୁଡିକ ଶୁଣି ସେ ମନେମନେ ଉପାୟ ସ୍ଥିର କରିନେଲା । ଦିନେ ସକାଳୁ ସେ ଯୁବକଟି ବୁଢା ଘରେ ଆସି ପରୀକ୍ଷା ଦେବାକୁ ପହଁଚିଲା ।
ପ୍ରଥମେ ତାକୁ ଅନ୍ଧାରିଆ ମଶା ଭଣ ଭଣ ଘରେ ପୂରାଇ ଦିଆଗଲା । ଆବିଓଲାର ଭାଇମାନେ ତାକୁ ଜଗି ରହିଥାନ୍ତି । ସେ ଖାଲି ଦେହରେ ବସି ରହିଲା ।
କିଛି ସମୟ ଚୁପ୍ ରହିବା ପରେ ସେ ଯୁବକଟି ହାଟରେ ଦେଖିଥିବା ଗୋଟିଏ ସୁନ୍ଦର ଘୋଡା କଥା ଆବିଓଲାର ଭାଇମାନଙ୍କୁ ଶୁଣାଇଲା । ସେଇଟା ଗୋଟାଏ ବିଚିତ୍ର ରଙ୍ଗର ଘୋଡା । ତା’ର କାନ୍ଧଟା ନେଳିଆ ରଙ୍ଗର । “ଏଇ ଜାଗାରେ” କହି କାନ୍ଧରେ ହାତମାରି ସେ ଦେଖାଇ ଦେଲା । ମାତ୍ର ଏପରି କରିବାର ଅସଲ ଉଦ୍ଧେଶ୍ୟ ଥିଲା କାନ୍ଧରୁ ମଶାଟିଏ ମାରିବା । ଘୋଡା କଥା ଖାଲି ମନଗଢା । ଘୋଡାର ଆଣ୍ଠୁଟା ସାଗୁଆ କହି ଯୁବକ ତା ଆଣ୍ଠୁକୁ ଥାପୁଡେଇ ଦେଲା । ଏହିପରି ଭାବେ ଯେଉଁଠି ମଶା ଜୋର୍ରେ କାମୁଡିଲା ସେ ଜାଗାକୁ ଥାପୁଡେଇ ସେ ଅଂଶଟା ଧଳା ବା କଳା କିଛି ଗୋଟାଏ ଫାନ୍ଦିକରି କହୁଥାଏ । ସମସ୍ତେ ଏପରି ବିଚିତ୍ର ରଙ୍ଗର ଘୋଡା କଥା ଶୁଣି ଅତ୍ୟନ୍ତ ଆଶ୍ଚର୍ଯ୍ୟ । ଏଣେ ସେ ଯୁବକର କୌଶଳ କେହି ବି ମୋଟେ ଧରି ପାରିଲେ ନାହିଁ । ଏହିପରି ଭାବେ ପ୍ରଥମ ପରୀକ୍ଷାରେ ସେ ଯୁବକଟି ପାଶ୍ କରିଗଲା ।
ଏହାପରେ ଅନ୍ଧାରୁଆ ଘରୁ ବାହାରି ଆସି ସେ ଯୁବକଟି ତା’ର ଲୁଗାପଟା ପିନ୍ଧିଲା ଓ ଦ୍ୱିତୀୟ ପରୀକ୍ଷା ଯେଉଁଠି ହେବ ସେହି ଘରକୁ ତରବରରେ ପଶିଗଲା । ଘରକୁ ପଶିବା ବେଳେ ପକେଟରୁ କିଛି ଚଣାକାଢି ବୁଣିଦେଲା । ଏହା କେହିବି ଆଦୌ ଦେଖିପାରିଲେ ନାହିଁ ।