ବୁଢା ତ ନିଜେ ଦ୍ୱିତୀୟ ପରୀକ୍ଷା ନବ । ତେଣୁ ସେ ବୁଢା ମୁଠାଏ ରାଗ ଲଙ୍କାଗୁଣ୍ଡ ଯୁବକକୁ ଦେଖାଇ କହିଲା, “ଏତକ ପାଟିରେ ପୂରାଅ । କିନ୍ତୁ ହୁସିଆର୍, ଯଦି ପାଟିରୁ ଛେପ କାଢ ବା ସୁ ସା ହୁଅ ତେବେ ଫେଲ୍ ।”
ଯୁବକ ଲଙ୍କାଗୁଣ୍ଡତକ ନେଇ ପାଟିରେ ପକାଇଲା । ଓଃ! ଖୁବ୍ ରାଗ । ବିଚରା ଏବେ ଆଉ କରେ କ’ଣ? ଫେଲ୍ ହୋଇଯିବ କି? ଏହିପରି ଭାବୁଛି, ଦେଖିଲା ତା ଯୋଜନା ସଫଳ ହୋଇଛି । ଚଣା ଖାଇବାକୁ କେତେଟା କୁକୁଡା ପଶି ଆସିଛନ୍ତି ।
“ହାସ୍! ହାସ୍! ଆରେ କୁକୁଡା ଗୁଡାକ ପଶି ଆସିଲେ ।” କହି ଯୁବକ କୁକୁଡାଙ୍କୁ ସେଠାରୁ ତଡିଲା । ମାତ୍ର ପ୍ରକୃତ କଥା ହେଉଛି ତାର ହାସ୍ ହାସ୍ ଶବ୍ଦ ଥିଲା ଗୋଟାଏ ପ୍ରକାର ସୁ ସା ଶବ୍ଦ । ଏହି କୌଶଳରେ ସେ ପାଟିରେ ପବନ ପୁରାଇ ରାଗରୁ ଟିକିଏ ରକ୍ଷା ପାଇଲା ।
ଚଣା କ’ଣ ସହଜରେ ମିଳେ? କୁକୁଡାମାନେ ପୁଣି ଆଗ୍ରହରେ ପଶି ଆସିଲେ ଓ ସେମାନଙ୍କୁ ହୁରୁଡେଇବାରେ ଛଳନା କରି ଯୁବକ ପୁଣି ହାସ୍ ହାସ୍ ଶବ୍ଦ କଲା । ଏହିପରି ଭାବରେ ମଝିରେ ମଝିରେ କୁକୁଡା ହୁରୁଡେଇ ସେ କୌଣସି ପ୍ରକାରେ ଲଙ୍କା ରାଗ ସମ୍ଭାଳି ନେଲା । ଫଳରେ ଦ୍ୱିତୀୟ ପରୀକ୍ଷାରେ ମଧ୍ୟ ପାଶ୍ ।
ପରଦିନ ସକାଳୁ ତୃତୀୟ ପରୀକ୍ଷା ଆରମ୍ଭ ହେଲା । ଗପ ଆରମ୍ଭ କରି ସେ ଯୁବକଟି କହିଲା, “ଦିନେ ଦେଖିଲି, ମୂଷାଟିଏ ଧାନ କୋଠିରେ ପଶିଗଲା । ମୁଁ ସେଇଠି ଅପେକ୍ଷା କଲି । ଅଳ୍ପ ସମୟ ପରେ ଦେଖିଲି, ମୂଷା ଭିତରୁ ଗୋଟିଏ ଧାନ ଧରି ଆସିଲା ଓ ଦୌଡିଯାଇ ତା ଗାତରେ ପଶିଲା । ଧାନଟି ଗାତରେ ରଖିଦେଇ ପୁଣି ଦୌଡିଆସି ଅମାର ଘରେ ପଶିଲା । ମିନିଟକ ପରେ ଅମାରରୁ ଧାନଟିଏ ଧରି ବାହାରିଲା ଓ ଗାତ ପାଖକୁ ଦୌଡିଲା । ଗାତରେ ଧାନ ଥୋଇଦେଇ ସେ ପୁଣି ଦୌଡିଲା ଅମାରକୁ । ଅମାରରୁ ଧାନଟିଏ ଧରି ବାହାରିଲା ଓ ଗାତରେ ନେଇ ରଖିଲା । ତାପରେ ଗାତରୁ ବାହାରିଗଲା ଅମାରକୁ ଓ ଅମାରରୁ ଧାନଟିଏ ନେଇ ରଖିଲା ଗାତରେ ।”
ତାପରେ…
“ତାପରେ କ’ଣ ହେଲା ତ କୁହ? ଏଣେ ଲୋକମାନେ ଅସ୍ଥିର ହୋଇ ଶୋଇ ପଡିଲେ । ଯୁବକଟି ଧୀର ଭାବରେ କହିଲା, “ଅମାରରେ ତ ଧାନ ଭର୍ତ୍ତି ହୋଇଛି । ଆଗ ଧାନ ତ ସରୁ ।” ଏହା କହି ସେଉଠୁ ଆରମ୍ଭ କଲା, “ମୂଷା ପୁଣି ଅମାରରେ ପଶିଲା ଓ ଧାନଟିଏ ଧରି ବାହାରି ଆସି ତା ଗାତରେ ନେଇ ରଖିଲେ । ତାପରେ….
ଏ ଗପ ଆଉ କେତେ ଶୁଣିବେ? ଲୋକମାନେ ଗୋଟିଏ ଗୋଟିଏ ଖସିଲେ । ପାଂଚମିନିଟିରେ ସେ ବରଗଛ ମୂଳ ଖାଲି । କେବଳ ସେ କୃପଣ ବୁଢା ବାଧ୍ୟ ହୋଇ ବସିଥାଏ ।
ଯୁବକ ସେଇ ପଦେକଥା ଖାଲି ବାରମ୍ବାର ଚଲେଇ ଥାଏ । ମୂଷା ଅମାର ଭିତରେ ପଶିଲା ଓ ଧାନଟି ଧରି ବାହାରି ଆସି ଗାତ ପାଖକୁ ଦୌଡିଲା ।
ମଝିରେ ମଝିରେ ବୁଢା ବ୍ୟସ୍ତହୋଇ କୁହେ, “ତାପରେ କ’ଣ ହେଲା କୁହ ।”
ଯୁବକ ଉତ୍ତର ଦିଏ, “ସବୁତକ ଧାନ ତ ପ୍ରଥମେ ସରୁ । ଅମାରରେ ପରା ଆହୁରି ବହୁତ ଧାନ ଅଛି ।” ତେଣୁ ସେ ବୁଢା ବାଧ୍ୟ ହୋଇ ଚୁପ୍ ରହେ ।
ମୂଷା-ଅମାର-ଗାତ, ମୂଷା-ଅମାର-ଗାତ, କହି କହି ଯୁବକ ସଞ୍ଜ କରିଦେଲା । ସଂନ୍ଧ୍ୟା ହେଲାରୁ କହିଲା; “ଏଥର ଯାଇ ସେ ଅମାର ଖାଲି ହୋଇଗଲା ।”
ବୁଢା ସେତେବେଳକୁ ପୁରା ବେଦମ୍ । ଯୁବକ ପଚାରିଲା, “ମୁଁ ପରୀକ୍ଷାରେ ପାସ୍ କଲି ତ?” ସେତେବେଳେ ନାହିଁ କରିବାକୁ ବୁଢାର ଆଉ କିଛି ବି ବାଟ ନ ଥାଏ ।
କିଛିଦିନ ପରେ ଆବିଓଲା ସହିତ ସେ ଯୁବକର ବାହାଘର ବଡ ଜାକଜମକରେ ହେଲା । ବୁଦ୍ଧିମାନ ଯୁବକ ତା ବୁଦ୍ଧିବଳରେ ଆବିଓଲାକୁ ବାହାହୋଇ ଅତ୍ୟନ୍ତ ସୁଖରେ ରହିଲା ।