ତହୁଁ ବାସନ୍ତୀ ନିରୀହ କଣ୍ଠରେ ଉତ୍ତର ଦେଲା, “କାହିଁକି? ମୋ ବୋଉ ତ ସବୁବେଳେ କହେ, ଯେଉଁଦିନ ଘରକୁ ବୋହୁ ଆସିବ, ଅର୍ଥାତ୍ ମୋ ଭାଇ ବିଭା ହେବ, ସେହିଦିନ ତ ସେ ଶାନ୍ତିରେ ସ୍ୱର୍ଗକୁ ଯିବ!”
ସବୁକଥା ଶୁଣି ଶାଶୁ ଏଥର ବୁଝିଲେ ବାସନ୍ତୀ ସତରେ ନିର୍ବୋଧ ଭାବରେ ସରଳ । ତେଣୁ ସେ କହିଲେ, “ବୋହୁ! ମୁଁ ଯାଆନ୍ତି ଯେ, କିନ୍ତୁ ଇଶ୍ୱର କହିଲେ କି ନାତି ମୁହଁ ଦେଖିସାରି ଗଲେ ମୋତେ ଅଧିକ ସୁଖ ମିଳିବ ।”
ଏଭଳି କଥା ଶୁଣି ବାସନ୍ତୀ ଉତ୍ତର ଦେଲା “ତା’ହେଲେ ରହିଥାଅ ।”
ଯଥା ସମୟରେ ବାସନ୍ତୀର ପୁଅ ହେଲା । ବାସନ୍ତୀ ଦିନେ ତା’ ଶାଶୁକୁ ପଚାରିଲା, “ମା, ତମେ କ’ଣ ଏଥର ସ୍ୱର୍ଗକୁ ଯିବ?”
ଶାଶୁ ଉତ୍ତର ଦେଲେ “ନାହିଁରେ ବୋହୁ. ଇଶ୍ୱର କହିଲେ, ବାସନ୍ତୀ ତ ଆଉ ଏକା ପିଲାକୁ ସମ୍ଭାଳି ପାରିବ ନାହିଁ । ତେଣୁ ମୋତେ ଏଠାରେ ଆଉ କିଛିଦିନ ରହିବାକୁ ହେବ ।”
ବାସନ୍ତୀ ଉତ୍ତର ଦେଲା “ମୁଁ ବି ସେଇଆ କହୁଛି । ଦେଖୁଛି, ଇଶ୍ୱରଙ୍କର ବେଶ୍ ବୁଦ୍ଧି ଅଛି ।” ପିଲା ବଡ ହେଲା । ହଠାତ୍ ଦିନେ ବାସନ୍ତୀ ତା’ ଶାଶୁକୁ ପଚାରିଲା, “ମା, ଏବେ କ’ଣ ତମେ ଚାଲିଯିବ?”
ଶାଶୁ ହସି ହସି କହିଲେ, “ଆରେ ଝିଅ, ଚାଲିଯିବାକୁ ବସିଥିଲି ଯେ, ମାତ୍ର ଦେଖିବା ବେଳକୁ ଏହା ଭିତରେ ସ୍ୱର୍ଗରେ ସବୁ ଯାଗା ପୁରା ହୋଇଗଲାଣି ।”
ଶାଶୁଙ୍କ କଥା ଶୁଣି ବାସନ୍ତୀ କହିଲା, “ହଁ, ସେଇଆ ହୋଇଥିବ । ଆମ ଗାଁ ଆଗରେ ଯେଉଁ ସୁନ୍ଦର ଖାଲି ପଡିଆ ଥିଲା, ସେଠି ତ ଏହା ଭିତରେ ଦଶ କୋଡିଏ ଘର ଉଠି ସାରିଲାଣି । ସ୍ୱର୍ଗରେ କେଉଁଠୁ ଖାଲି ଯାଗା ରହନ୍ତା?”
ବାସନ୍ତୀର ପୁଅ ବଡ ହେଲା ଓ ସେ ବାହା ହେଲା । ନିଜ ବୋହୁକୁ ଦେଖିବା ପରେ ଦିନେ ବାସନ୍ତୀ ଯାଇ ତା’ ଶାଶୁକୁ ଡରି ଡରି କହିଲା, “ମା, ଏବେ ତ ମୋର ବୋହୁ ଆସିଗଲାଣି । ସେ ମୋତେ ସ୍ୱର୍ଗକୁ ଯିବାକୁ କହିବ ପରା?”
ବୋହୁ କଥା ଶୁଣି ଶାଶୁ କହିଲେ “ଆରେ ନା, ପାଗଳି, ସମସ୍ତେ କ’ଣ ତୋ ଭଳି ଏତେ ଉଦାର, ଏତେ ଭଲ ହୋଇଛନ୍ତି ଯେ ଶାଶୁକୁ ଶାନ୍ତି ଦେବା ପାଇଁ ବ୍ୟସ୍ତ ହେବେ? ସେ ଯଦି ତୋତେ ସ୍ୱର୍ଗକୁ ଯିବାକୁ କହିବ, ତୁ କହିବୁ କି ଆଗେ ମୋ ଶାଶୁ ଯାଇ ସେଠି ମୋ ପାଇଁ ସ୍ଥାନ ଯୋଗାଡ କରିବା ପରେ ଯାଇ ମୁଁ ଯିବି । ହେଲା?” ଏକଥା ଶୁଣି ବାସନ୍ତୀ ଖୁସି ହୋଇଗଲା ।