ଗୋବିନ୍ଦ ଲୁଗା ଦୋକାନ କରିଥାଏ । ସେ ଥରେ ସହରରୁ ଖଣ୍ଡିଏ ଦାମିକା ପଶମ ଚଦର ନେଇ ଆସିଲା । ସେତେବେଳେ ତା’ ଶଳା ନିତେଇ ତ ବୁଲି ଆସିଥାଏ । ସେ ତା’ ଭିଣେଇକୁ କହିଲା, “ଗୋବିନ୍ଦ ଭାଇ, ଏ ଶାଲ୍ କିଏ କିଣିବ?” ଏହା ଶୁଣି ଗୋବିନ୍ଦ କହିଲା, “ଆରେ ଭାଇ, ବିକି ଜାଣିଥିଲେ ସବୁ ସମ୍ଭବ ।” ଏହା କହି ଗୋବିନ୍ଦ ନିତେଇକୁ ଦୂରରୁ ଆସୁଥିବା ଜଣେ ଭଦ୍ରଲୋକଙ୍କୁ ଦେଖାଇ ଦେଇ ଚୁପ୍ ଆଉ କିଛି କହନା ବୋଲି କହିଲେ । ଭିଣେଇ ଭାଇର କଥାନୁସାରେ ନିତେଇ ସଙ୍ଗେ ସଙ୍ଗେ ସେଠାରୁ ବାହାରି ଚାଲିଗଲା ।
ସେ ଭଦ୍ରଲୋକଟି ଜଣେ ମହାଜନ । ଗୋବିନ୍ଦ ତାଙ୍କୁ ସ୍ୱାଗତ କରି ଆଣି କହିଲା, “ଆପଣଙ୍କୁ ଏ ଚଦର ଖଣ୍ଡିକ ଦେଖାଇବାକୁ ଚାହୁଁଥିଲି । ଏହାର ମୂଲ୍ୟ ମାତ୍ର ଦୁଇଶହ ଟଙ୍କା ।” ମାତ୍ର ଏକଥା ଶୁଣି ସେ ମହାଜନ କହିଲେ, “ମୁଁ ତ ଏହାକୁ କିଣିବି ବୋଲି ଆଶା କରି ନାହିଁ ।” ତହୁଁ ଗୋବିନ୍ଦ କହିଲା, “ଆପଣ ଥରେ ଖାଲି ଏହାକୁ ଘୋଡି ହୋଇ ବୁଲି ଆସନ୍ତୁ ନା ।” ଏହା ଶୁଣି ସେ ମହାଜନ ଅତ୍ୟନ୍ତ ଖୁସି ହୋଇ ଚଦର ଘୋଡି ହୋଇ ବାହାରି ଗଲେ । ଅଳ୍ପ ଦୂରରେ ନିତେଇ ତାଙ୍କୁ ଲମ୍ବ ନମସ୍କାର ପକାଇ ହାତଯୋଡି ଠିଆ ହେଲା । ଏସବୁ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇ ସେ ମହାଜନ ପଚାରିଲେ, “ତୁମକୁ ତ ମୁଁ କାହିଁ ଚିହ୍ନି ପାରୁନାହିଁ ।” ମହାଜନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନିତେଇ କହିଲା, “ହଜୁର୍, ମୁଁ କିନ୍ତୁ ଆପଣଙ୍କୁ ଠିକ୍ ଚିହ୍ନେ । ଆପଣ ତ ରାଜା ସାହେବ । ଏଭଳି ଚଦର କ’ଣ ଆଉ କିଏ ବ୍ୟବହାର କରେ?” ତା’ପରେ ସେ ମହାଜନ ଗୋବିନ୍ଦ ଦୋକାନକୁ ଆସି ଚଦରଟି କିଣି ନେଲେ ।