ଶେଷରେ ସେଇଆ ହେଲା । ପଣ୍ଡିତ ସତ୍ୟବ୍ରତ ଟଙ୍କା ନେଇ ଘରକୁ ଫେରିଲେ । ଘରେ ପହଂଚି ସ୍ତ୍ରୀକୁ ସବୁକଥା କହିଲେ । ଏଥର ଦୁହେଁ ବସି ଏହି ଟଙ୍କା କିପରି ଖର୍ଚ୍ଚ କରିବେ ଯୋଜନା ପ୍ରସ୍ତୁତ କଲେ । ନୂଆ ଘର ତିଆରିଠୁ ଆରମ୍ଭ କରି ନାନା କଥା ମନକୁ ଆସିଲା । ହେଲେ ସ୍ୱାମୀ ଓ ସ୍ତ୍ରୀଙ୍କ ଯୋଜନା ଅଲଗା ଅଲଗା ଥିଲା । ଦୁହିଁଙ୍କ କଥାରେ ତାଳମେଳ ରହିଲା ନାହିଁ । ଶେଷରେ ଝଗଡା ଝାଟିଯାଏଁ କଥାଗଲା । ଫଳରେ ସତ୍ୟବ୍ରତଙ୍କର ରାତିରେ ନିଦ ହଜିଗଲା ।
ଦିନକର କଥା ପଣ୍ଡିତ ସତ୍ୟବ୍ରତ ଲକ୍ଷ୍ୟ କଲେ, ସେ କୁକୁରକୁ ଦେଇଥିବା ରୁଟି ପଟକ କେବଳ ଶୁଙ୍ଘିସାରି ଛାଡି ଚାଲିଗଲା ।ଆଦୌ ଖାଇଲା ନାହିଁ । ସେ ମନେ ମନେ ଭାବିଲେ ଯେଉଁ କୁକୁର ସକାଳୁ ରୁଟି ଖଣ୍ଡିକ ନଖାଇଲା ଯାଏଁ ଜଗିବସୁଥିଲା ସେ ଆଜି ଖାଉନାହିଁ କାହିଁକି? ଏ ଚିନ୍ତା ସତ୍ୟବ୍ରତଙ୍କ ମନରେ ଘାରିଲା ।
ଆଉ ଦିନେ ସତ୍ୟବ୍ରତ ରାତିରେ ଏକ ଦୁଃସ୍ୱପ୍ନ ଦେଖି ଚିକିାର କଲେ । ଏହି ଚିତ୍କାର ଶୁଣି ସ୍ତ୍ରୀ ମଧ୍ୟ ଭୟରେ ଉଠିବସିଲେ । ଦୁଇଜଣଯାକ ବସି ଚିନ୍ତା କଲେ କାହିଁକି ଏଭଳି ଅଘଟଣ ଘଟିଲା । ସୁତରାଂ ଆଣିଥିବା ଲକ୍ଷେ ଟଙ୍କା ପୁଣି ଯାଇ ଶେଠ୍ ଙ୍କୁ ଫେରାଇ ଦେବା ପାଇଁ ଠିକ୍ କଲେ ।
ତା’ପର ଦିନ ପଣ୍ଡିତେ ଟଙ୍କାତକ ନେଇ ଶେଠ୍ ଙ୍କ ପାଖରେ ପହଂଚିଗଲେ । ହେଲେ ଚୁକ୍ତିପତ୍ର ବଦଳରେ ଟଙ୍କା ନେଇଥିବାରୁ ଏହାକୁ ସେ ଏବେ ଫେରାଇ ନେବେ ନାହିଁ ବୋଲି ଶେଠ୍ ସିଧାସିଧା କହିଦେଲେ । ଏବେ ସତ୍ୟବ୍ରତ ବଡ ଅଡୁଆରେ ପଡିଗଲେ । କ’ଣ କରିବେ କିଛି ଚିନ୍ତା କରି ପାରିଲେ ନାହିଁ । ଏକ ଗଛ ମୂଳେ ଥକ୍କା ମାରି ବସିଗଲେ ।
ଠିକ୍ ଏତିକିବେଳେ ଜଣେ ପଥିକ ସେଠାରେ ପହଂଚିଲେ । କହିଲେ, “ପଣ୍ଡିତ ମହାଶୟ, ଆପଣ ଏଠାରେ ବସି କ’ଣ କରୁଛନ୍ତି? କ’ଣ ମୋ’ ଭଳି ମୁଣ୍ଡ ଗୁଞ୍ଜିବାକୁ ଜାଗା ଖଣ୍ଡିଏ ଖୋଜୁଛନ୍ତି? ଏଠାରେ ଗୋଟିଏ ଧର୍ମଶାଳା ଥିଲେ ଭଲ ହୋଇଥାନ୍ତା । କେତେ ଅସହାୟ ଲୋକ ଉପକୃତ ହେଉଥାନ୍ତେ ।” ଏହା କହି ପଥିକ ଜଣକ ଚାଲିଗଲେ ।
ପଣ୍ଡିତେ ଏଥର ମନରେ ଚିନ୍ତା କଲେ ଯେ, ପଥିକ ଏଭଳି କାହିଁକି କହିଲେ? ବୋଧହୁଏ ଟଙ୍କା ଖର୍ଚ୍ଚ କରିବା ପାଇଁ ଏହି ଉପଯୁକ୍ତ ବାଟ ଦେଖାଇ ଚାଲିଗଲେ । କଥାଟି ପଣ୍ଡିତଙ୍କ ମନକୁ ବେଶ୍ ପାଇଲା । ସୁତରାଂ ସେଠାରେ ଜାଗା କିଣି ଏକ ଧର୍ମଶାଳା ନିର୍ମାଣ କରିଦେଲେ । ତା’ର ନାଁ ଶେଠ୍ ନାମାନୁସାରେ ‘ଲକ୍ଷ୍ମୀ ନାରାୟଣ’ ଧର୍ମଶାଳା ରଖିଲେ । ସୂଚନା ଫଳକରେ ଲେଖିଦେଲେ ଯେ ଲକ୍ଷ୍ମୀ ନାରାୟଣ ଶେଠ୍ ର ଏକଲକ୍ଷା ଟଙ୍କା ଦାନରେ ଏହା ନିର୍ମିତ ହୋଇଛି । ସୁତରାଂ ଏଠାରେ ବିଶ୍ରାମ କରୁଥିବା ଲୋକମାନେ କେବଳ ଲକ୍ଷ୍ମୀ ନାରାୟଣ ଶେଠ୍ କୁ ଆଶୀର୍ବାଦ କରନ୍ତୁ ।
ପଣ୍ଡିତ ସତ୍ୟବ୍ରତ ଏହି ଭଳି ଟଙ୍କାକୁ ବିନିଯୋଗ କରି ଶେଠ୍ ଙ୍କର ଋଣ ପରିଶୋଧ କରିଦେଲେ ।