ମନ ମଧ୍ୟରେ ଏପରି କୁ-ଚିନ୍ତା ପଣ୍ଡିତଙ୍କ ମନ ମଧ୍ୟରେ ଥାଏ । ସେମାନଙ୍କ ସହ ଅତି ଆପଣାର ଭାବରେ ପଣ୍ଡିତେ ଚଳୁଥାଆନ୍ତି । ଚାହୁଁ ଚାହୁଁ ବର୍ଷେ ଗୋଟିଏ ବିତିଗଲା । ଦିନେ ରାତିରେ ଚାରିଜଣଯାକ ବିଚାର କଲେ ଯେ ଏଥର ନିଜ ଦେଶକୁ ପଳାଇଯିବା ।ଏତେ ଗୁଡାଏ ଟଙ୍କା ପାଖରେ ରଖି ଏଠାରେ ବେପାର କରିବା ବିପଦ । ଏହାପରେ ସେମାନେ ସମସ୍ତେ ପଇସାପତ୍ର ବାହାର କରି ଗଣାଗଣି କଲେ ଗୋଟିଏ ଗଣ୍ଠିଲି କରି ବାନ୍ଧି ରଖିଲେ ।
ଏହାପରେ ସମସ୍ତେ ଗ୍ରାମକୁ ଯିବାକୁ ବାହାରନ୍ତେ – ପଣ୍ଡିତେ ସେମାନଙ୍କୁ କହିଲେ – ଏତେ ଦିନ ଧରି ମୁଁ ଆପଣମାନଙ୍କ ସାଥିରେ ଥିଲି । ଆପଣମାନେ ଗ୍ରାମକୁ ଚାଲିଗଲେ ମୋତେ ଆଉ ଭଲ ଲାଗିବ ନାହିଁ । ଦୟାକରି ମୋତେ ଆପଣମାନଙ୍କ ସାଥିରେ ନିଅନ୍ତୁ ।
ପଣ୍ଡିତଙ୍କ ଆଖିରୁ ମିଛି ମିଛିକା ଲୁହ ଗଡ଼ି ପଡ଼ିଲାରୁ ବ୍ରାହ୍ମଣମାନେ ପଣ୍ଡିତଙ୍କୁ ସାଙ୍ଗରେ ନେଇ ନିଜ ଦେଶକୁ ଚାଲିଲେ । ସମସ୍ତେ ସାଥି ହୋଇ ଚାଲିଥାଆନ୍ତି । ଯିବା ମଧ୍ୟରେ ପଣ୍ଡିତେ ନିଜ ମନ ମଧ୍ୟରେ ସେମାନଙ୍କୁ କିପରି ମାରି ଧନତକ ଧରି ନିଜ ଘରକୁ ଫେରି ଆସିବେ ସେହି ଚିନ୍ତାରେ ଥାଆନ୍ତି ।
ଯାଉ ଯାଉ ଯିବା ରାସ୍ତାରେ ଗୋଟିଏ ଗ୍ରାମ ପଡ଼ିଲା । ସେହି ଗ୍ରାମଟି ଗୋଟିଏ ଅଦ୍ଭୂତ ଗ୍ରାମ । ଗ୍ରାମରେ ସମସ୍ତଙ୍କ ଘରେ ଗୋଟିଏ ଗୋଟିଏ ଶୁଆ ଥାଆନ୍ତି । ଧନ ରତ୍ନ ଅସ୍ତ୍ରଶସ୍ତ୍ର ଯେ କେହି ଗୋପନରେ ଧରି ସେହି ଗ୍ରାମ ଦେଇଯାଆନ୍ତି ଶୁଆମାନେ ଖୁବ୍ ଜୋର୍ରେ ବୋବାଳି ପକାଇ ନିଜର ମାଲିକମାନଙ୍କ ସୂଚାଇ ଦିଅନ୍ତି ।
ସେଦିନ ଠାରୁ ସେୟା ହେଲା! ବ୍ରାହ୍ମଣମାନଙ୍କ ନିକଟରେ ଏତେ ଗୁଡାଏ ପଇସା ଥିବା ସଂକେତ ଶୁଆମାନେ ଲୋକଙ୍କୁ ଜଣାଇ ଦେବାରୁ ଗ୍ରାମଟା ସାରା ଲୋକେ ଆସି ପଥରେ ଚାଲି ଚାଲି ଯାଉଥିବା ପାଞ୍ଚଚଣ ବ୍ରାହ୍ମଣଙ୍କୁ ଘେରିଯାଇ ତମେମାନେ କ’ଣ ସବୁ ଏଠି ଗଣ୍ଠିଲି ମଧ୍ୟରେ ରଖିଛ ଆମକୁ ଦେଖାଅ ବୋଲି କହିବାରୁ ବ୍ରାହ୍ମଣମାନେ ସଙ୍ଗେ ସଙ୍ଗେ ଗଣ୍ଠିଲି ଖୋଲି ଦେଖାଇ ଦେଲେ । ହେଲେ ସେମାନେ ପଇସା ପତ୍ରକୁ ଏପରି ସ୍ଥାନରେ ରଖିଦେଲେ ଯେ ତାହାକୁ ଗ୍ରାମବାମୀମାନେ ଆଦୌ ଦେଖି ପାରିଲେ ନାହିଁ । ତେବେ ଶୁଆମାନଙ୍କର ସଂକେତ କେବେ ମଧ୍ୟ ମିଥ୍ୟା ହେବ ନାହିଁ! ଏକଥା ସେ ଭଲଭାବେ ଜାଣି ସାରିଛନ୍ତି । ସେମାନେ ପୁଣି ଜିଦ୍ ଧରିଲେ ଏ ଗଣ୍ଠିଲି ମଧ୍ୟରୁ ସିନା ଆମେ କିଛି ପାଇଲୁ ନାହିଁ ହେଲେ ତୁମେମାନେ ତୁମ ଦେହ ମଧ୍ୟରେ ସେହି ଧନକୁ ନିଶ୍ଚୟ ଲୁଚାଇ ରଖିଛ । ଆମେ ତୁମ ଦେହରୁ ଖଣ୍ଡ ଖଣ୍ଡ କରି ଦେଖିବୁ ।