ଗୋଟିଏ ଗାଁରେ ଜଣେ କୃଷକ ଓ ଜଣେ ବଣିଆ ଦୁଇ ପଡୋଶୀ ଥିଲେ । କୃଷକ ଜଣକ ଭାରି ସଚ୍ଚୋଟ ଓ ଖୁବ୍ ପରିଶ୍ରମୀ ଥିଲେ । ବଣିଆ ଜଣକ ବି ଉତ୍ତମ ସ୍ୱଭାବର ଥିଲେ । ସୁତରାଂ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ, ମିତ ବସିଥିଲେ ।
ସେହି ଗାଁରେ ରାତ୍ରି ଜଗୁଆଳି କାମରେ ଜଣେ ସିପାହୀ ନିଯୁକ୍ତ ହୋଇଥିଲେ । ତାଙ୍କର ସ୍ୱଭାବ ଭଲ ନ ଥିଲା । ସେ କୁଆଡୁ କ’ଣ ଚୋରିକରି ନେଇ ରାତାରାତି ବଡ ଲୋକ ହେବାର ସ୍ୱପ୍ନ ଦେଖୁଥିଲା । ସୁତରାଂ ଦୁର୍ନୀତି ଓ ଜାଲିଆତିରେ ସିଦ୍ଧହସ୍ତ ଥିଲା ସିପାହୀ ଜଣକ ।
ଦିନେ ସିପାହୀ ଜଣକ ନିଜ ପତ୍ନୀଙ୍କ ପାଇଁ ଅଳଙ୍କାର ଗଢାଇବାକୁ ଯାଇ ଦେଖିଲେ ଯେ, ବଣିଆଙ୍କ ବାକ୍ସରେ ଅନ୍ୟମାନଙ୍କ ପାଇଁ ଗଢାଯାଇଥିବା ଅଳଙ୍କାର ରହିଛି । ଏହାଦେଖି ସିପାହୀର ଭାରି ଲୋଭ ହେଲା । ସେଦିନ ସେ ବଣିଆ ଘରୁ ଫେରିଆସି ମନେ ମନେ ଠିକ୍ କଲେ ଏହାକୁ ରାତିରେ କିପରି ବଣିଆ ଘରୁ ଉଠାଇ ଅଣାଯାଇ ପାରିବ । ଫଳରେ ସିପାହୀ ମନରେ ବେଳକୁ ବେଳ ଚୋରି ମନୋଭାବ ବଡିବାରେ ଲାଗିଲା । ସୁତରାଂ ସେ ରାତିରେ ଗାଁ ଜଗିବ କ’ଣ, ଛଦ୍ମବେଶରେ ବଣିଆ ଘରେ ପଶି ବଣିଆକୁ ମାରି ତା’ର ଗହଣା ବାକ୍ସ ଲୁଟିନେଲା । ସେଦିନ ବଣିଆର ପରିବାର ଅନ୍ୟ ଏକ ଗାଁରେ କୌଣସି ବନ୍ଧୁ ଘରକୁ ଯାଇଥିବାରୁ ବଣିଆ ଏକାକୀ ଘରେ ଥିଲେ । ସୁତରାଂ ହତ୍ୟାକାଣ୍ଡ ବିଷୟରେ କେହି ଜାଣିପାରିଲେ ନାହିଁ ।