ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଚାରବାନ ଚୋର

       ଅନ୍ୟଦୁଇ ବନ୍ଧୁ ତା’ ପ୍ରସ୍ତାବରେ ରାଜି ହେବାରୁ ଦିନେ ତିନିସାଙ୍ଗଯାକ ଲୁଚିକି ଘରୁ ବାହାରି ଗଲେ । ନଈପାରି ହେଲାପରେ ଗୋଟିଏ ଛୋଟ ଜଙ୍ଗଲ ପଡିଲା । କୌଣସି ପ୍ରକାରେ ଜଙ୍ଗଲ ପାର ହୋଇ ତିନିସାଙ୍ଗଯାକ ପର୍ବତ ଉପରକୁ ଉଠିଲେ । ସାଧବପୁଅ ଯାହା ଶୁଣିଥିଲା ସତ ବୋଲି ପ୍ରମାଣିତ ହେଲା । ପର୍ବତ ଉପରେ ଅନେକ ଛୋଟ ଛୋଟ ମୂଲ୍ୟବାନ ପଥର ପଡିଥିଲା । ତିନି ବନ୍ଧୁଯାକ ବାଛି ବାଛି ତିନି ଖଣ୍ଡ ଭଲ ଭଲ ପଥର ଧରି ତଳକୁ ଓହ୍ଲାଇ ଆସିଲେ ।

       ଫେରିବା ବାଟରେ ପୁଣି ସେଇ ଜଙ୍ଗଲ ପାଖରେ ଧନ ଥିଲେ ସମସ୍ତଙ୍କ ମନରେ ଭୟ ଥାଏ । ସାଧବପୁଅ ତ ବ୍ୟବସାୟୀ ଘର ପୁଅ । ତେଣୁ ଧନ ପାଖରେ ରହିଲେ କ’ଣ ହୁଏ, ତା’ ମୁଣ୍ଡକୁ ସେଇଟା ବେଶି ଢୁକିଲା । ତେଣୁ ସେ କହିଲା, “ ଯଦି ଚୋର ଖଂଟଙ୍କ ହାବୁଡରେ ପଡିଯିବା, ତା’ ହେଲେ ଧନ ତ ଯିବ, ଜୀବନ ମଧ୍ୟ ଚାଲିଯିବ । କ’ଣ କରିବା?” ମନ୍ତ୍ରୀପୁଅର ତ ବହୁତ ବୁଦ୍ଧି । ସେ ଗୋଟିଏ ବୁଦ୍ଧି ବାହାର କରି କହିଲା, “ ଚାଲ ରତ୍ନଖଣ୍ଡ ସବୁ ଗିଳିଦେବା । ” ଅନ୍ୟ ଦୁଇବନ୍ଧୁଙ୍କ ମନକୁ ଏ କଥା ପାଇଲା । ସେମାନେ ଜଙ୍ଗଲ ଭିତରେ ପଶିବା ପୂର୍ବରୁ ଗୋଟାଏ ଗଛ ମୂଳରେ ବସି ଜଳଖିଆ କଲେ । ସେତିକିବେଳେ ଯାହାର ଯେଉଁ ରତ୍ନ ଥିଲା, ତାକୁ ଖାଦ୍ୟ ସାଙ୍ଗରେ ଗିଳିଦେଲେ । ଜଣେ ଚୋର ଗଛ ଉହାଡରେ ଥାଇ ସେମାନଙ୍କର କଥା ଶୁଣୁଥିଲା ଓ ତାଙ୍କ କାର୍ଯ୍ୟକୁ ଲକ୍ଷ୍ୟ କରୁଥିଲା । ସେମାନେ ଖାଇସାରି ଯେମିତି ଯିବାକୁ ଉଠିଲେ, ସେ ଚୋର ଉହାଡରୁ ବାହାରି ପଡି ସେମାନଙ୍କୁ କହିଲା, “ ଏକୁଟିଆ ଯିବାକୁ ବଣରେ ମୋତେ ଡର ମାଡୁଛି । ମୁଁ ଟିକିଏ ତୁମ ସାଙ୍ଗରେ ଯାଆନ୍ତି? ” ତିନି ବନ୍ଧୁ କିଛି ଆପତ୍ତି ନ କରିବାରୁ ସେ ଚୋର ତାଙ୍କ ସାଙ୍ଗରେ ଚାଲିଲା ।

       ବଣ ମଝିରେ ଗୋଟିଏ ଶବର ପଲ୍ଲୀ ପଡିଲା । ସେ ପଲ୍ଲୀର ସର୍ଦ୍ଧାର ଗୋଟିଏ ଶୁଆ ପୋଷି ଥିଲା । ସେ ଶୁଆର ଗୋଟିଏ ଅଦ୍ଭୁତ ଗୁଣ ଥିଲା । ମଣିଷଙ୍କୁ ଯାହା ଜଣା ନ ଯାଏ, ସେ ତାହା ଜାଣିପାରେ । ଶୁଆ ତା’ ମୁନିବକୁ ଯେଉଁ ଗୁପ୍ତକଥା କହେ, ମୁନିବ ତାହା ବୁଝିପାରେ । ଯେତେବେଳେ ସର୍ଦ୍ଧାର ଘରବାଟେ ଏ ଚାରିଜଣ ଗଲେ, ଶୁଆ କହିଲା, “   ବାଟୋଇମାନଙ୍କ ପାଖରେ ରତ୍ନ ଅଛି । ସେମାନେ ରତ୍ନ ରଖିଛନ୍ତି । ”

       ସର୍ଦ୍ଧାର ଏହା ଶୁଣିଲାମାତ୍ରେ ଚାକର ପଠାଇ ବାଟୋଇମାନଙ୍କୁ ଧରି ଆଣିଲା । ସେମାନଙ୍କ ବ୍ୟାଗ ଖୋଜିଲାବେଳକୁ ରତ୍ନ ମିଳିଲା ନାହିଁ । ତେଣୁ ସେମାନଙ୍କୁ ଛାଡି ଦିଆଗଲା ।

       ଶୁଆ ପୁଣି ଥରେ ପାଟିକଲା, “ ବାଟୋଇମାନେ ରତ୍ନ ନେଉଛନ୍ତି । ବାଟୋଇମାନେ ରତ୍ନ ନେଉଛନ୍ତି । ” ସର୍ଦ୍ଧାର ଚିନ୍ତା କଲା, ମୋ ଶୁଆ ତ କେବେ ମିଛ କହେ ନାହିଁ । ଆଉ ଥରେ ଭଲକରି ସେମାନଙ୍କୁ ଦେଖେ । ସର୍ଦ୍ଧାରର ଲୋକମାନେ ପୁଣି ଥରେ ସେ ଚାରିଜଣଙ୍କୁ ସର୍ଦ୍ଧାର ଆଗକୁ ଧରି ଆଣିଲେ । ଏଥର ତାଙ୍କ ଦେହରୁ ପୋଷାକ କଢା ଯାଇ ତଲାସ କରାଗଲା । ତଥାପି କିଛି ନ ମିଳିବାରୁ ସର୍ଦ୍ଧାର କହିଲା, ମୋ ଶୁଆର କଥା କେବେ ମିଛ ହୋଇ ନାହିଁ । ଏ ଲୋକମାନେ ବୋଧେ ରତ୍ନ ଗିଳି ଦେଇଛନ୍ତି ।

       ରାଜାପୁଅ ଓ ତା’ର ଦୁଇ ସାଙ୍ଗ ଏ କଥା ଶୁଣି ତଳକୁ ମୁହଁ ପୋତିଦେଲେ । ସର୍ଦ୍ଧାର ଜାଣିଗଲା ଯେ, ତା’ର ଅନୁମାନ ଠିକ୍ ବୋଲି । ସେ ତା’ ଲୋକମାନଙ୍କୁ କହିଲା, “ ଏମାନଙ୍କୁ ଆଜି ରାତିରେ ବନ୍ଦି କରି ରଖ । କାଲି ସେମାନଙ୍କ ପେଟ ଚିରା ହେବ । ” ସର୍ଦ୍ଧାର ଲୋକମାନେ ସେ ଚାରିଜଣଙ୍କୁ ଧରି ନେଇ ଗୋଟିଏ ଘରେ ବନ୍ଦ କରି ରଖିଲେ ।

       ବନ୍ଦି ହୋଇଥିବା ଚୋର ଜଣକ ଭାବିଲା, “ମୋ ପେଟରେ ରତ୍ନ ନ ଥିଲେ ମଧ୍ୟ ସମସ୍ତଙ୍କ ସାଙ୍ଗରେ କାଲି ମୋ ପେଟ ଚିରା ହେବ । ମୁଁ ଯେମିତି ହେଲେ ମରିବି । ଏପରିସ୍ଥଳେ ମୁଁ ଏ ବନ୍ଧୁମାନଙ୍କର ପ୍ରାଣରକ୍ଷା କରିବାକୁ ଥରେ ଚେଷ୍ଟା ନ କରିବି କାହିଁକି? ”

       ପରଦିନ ଯେତେବେଳେ ଚାକରମାନେ ଛୁରି ଧରି ବାଟୋଇମାନଙ୍କ ପେଟ ଚିରିବାକୁ ଆସିଲେ, ଚୋର କହିଲା, “ ମୋ ପେଟ ପ୍ରଥମେ ଚିର । ମୁଁ ମୋର ବନ୍ଧୁମାନଙ୍କର ମରଣ ଦେଖିପାରିବି ନାହିଁ । ”

       ସେଇଆ ହିଁ ହେଲା; କିନ୍ତୁ ତା’ ପେଟରୁ ରତ୍ନ ବାହାରିଲା ନାହିଁ । ତାହା ଦେଖି ସର୍ଦ୍ଧାର କହିଲା, “ ମୁଁ ବୃଥାରେ ଏ ଲୋକଟାକୁ ମରାଇଲି । ଶୁଆ ବୋଧହୁଏ ଏଥର ଭୁଲ୍ କହିଥିଲା । ଅନ୍ୟ ତିନିଜଣଙ୍କ ପେଟ ଚିରିବା ଆବଶ୍ୟକ ନାହିଁ । ସେମାନଙ୍କୁ ଛାଡିଦିଅ । ”

       ରାଜାପୁଅ, ମନ୍ତ୍ରୀପୁଅ ଓ ସାଧବପୁଅ ଏହିପରି ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଇଲେ । ଚୋରଟି ଯେପରି ତା’ର ଜୀବନ ବିନିମୟରେ ଏମାନଙ୍କ ଜୀବନ ରକ୍ଷାକଲା, ସେକଥା କେହି କେବେ ଭୁଲିପାରିଲେ ନାହିଁ । ତିନିବନ୍ଧୁ ମହା ଆନନ୍ଦରେ ନିଜ ନିଜ ଘରକୁ ଫେରିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ