ଉଦୟଭାନୁ ନାମକ ଏକ ବ୍ୟବସାୟୀ ବଜ୍ରନାଭ ଗ୍ରାମରେ ରହୁଥିଲେ । ତାଙ୍କର ଯୁବକ ବୟସ, ଏହି ସମୟରେ ପିତାଙ୍କର ଦେହାନ୍ତ ହୋଇ ଯିବାରୁ ଘରର ଓ ବ୍ୟବସାୟର ସମସ୍ତ ଦାଇତ୍ତ୍ଵ ତାଙ୍କ ଉପରେ ପଡିଲା ।
ଏବେ ତାଙ୍କ ସମ୍ମୁଖରେ ଏକ ସମସ୍ୟା । ବଡ ଭଉଣୀଙ୍କ ନଣନ୍ଦର ବାହାଘର । ଏଣେ ସ୍ତ୍ରୀ ଆସନ୍ନପ୍ରସବା । ପୁଣି ବ୍ୟବସାୟର ବ୍ୟସ୍ତତା ମଧ୍ୟ ରହିଛି । ତେଣୁ ବାହାଘରକୁ ନଯିବା ପାଇଁ ସେ ମନସ୍ଥ କଲେ । ତାଙ୍କ ସ୍ତ୍ରୀ ଭାନୁମତୀ କହିଲେ, “ତୁମ ବାପା ନାହାଁନ୍ତି । ଏଇଟା ହେଉଛି ଭଉଣୀଙ୍କ ଘରର ପ୍ରଥମ ଉତ୍ସବ । ତୁମେ ସେଠାକୁ ନଗଲେ ବାହାରକୁ କଥାଟା ବଡ ଅସୁନ୍ଦର ହେବ । ଏଣୁ ତମେ ଏଥରଟା ନିଶ୍ଚୟ ଯାଅ । ପରକଥା ଦେଖାଯିବ ।”
ସ୍ତ୍ରୀ ବାରମ୍ବାର କରି କହିବାରୁ ଉଦୟଭାନୁ ଶେଷରେ ଭଉଣୀ ଘରକୁ ଯିବାକୁ ସ୍ଥିର କଲେ । ବଳଦ ଗାଡିଟିଏ ଭଡା କରି ସେ ବାହାରି ପଡିଲେ । ବାଟରେ ଜଙ୍ଗଲ ପଡେ । ଦ୍ୱିପ୍ରହର ବେଳକୁ ଗାଡି ଜଙ୍ଗଲ ମଝିରେ ଯାଇ ପହଁଚିଲା । ଗାଡିବାଲା ଦେଖିଲା ବାଟରେ ଜଣେ ବନ୍ଧୁବାନ୍ଧବ ଲୋକ ଠିଆ ହୋଇ ହାତ ହଲାଉଛି । ଗାଡି ଅଟକିବାରୁ ସେ କହିଲା ଯେ ତା’ର ମା’ ହଠାତ୍ ମରିଗଲେ ତେଣୁ ତାକୁ ଶୀଘ୍ର ଘରେ ପହଁଚିବା କଥା । ଉଦୟଭାନୁକୁ ଗାଡିବାଲା କହିଲା, “ମହାଶୟ ଗାଡି ଏହାଙ୍କୁ ନେଇ ନ ଫେରିଲେ, ତା’ର ମା’ଙ୍କୁ ଚିତାରେ ଅଗ୍ନି ଦେବାକୁ କେହି ନାହିଁ । ଆପଣ ଏଇଠି ଅପେକ୍ଷା କରନ୍ତୁ । ମୁଁ ଦ୍ୱିତୀୟ ଗାଡି ପଠାଇ ଦେଉଛି ।” ତା’ପରେ ଦୁଇଜଣ ଗାଡିରେ ବସି ବହୁତ ଜୋର୍ରେ ଗାଡି ଚଳାଇଲେ ।
ଉଦୟଭାନୁ ନିରୁପାୟ ଥିଲେ । ସେ ବର ଗଛ ତଳେ ନିଜ ପୁଟୁଳାକୁ ତକିଆ ପରି କରି ସେଠାରେ ଗଭୀର ନିଦରେ ଶୋଇଗଲେ । ତାଙ୍କ ନିଦ ଭାଙ୍ଗିବା ବେଳକୁ ପ୍ରାୟ ସଂଧ୍ୟା । ହେଲେ ଏ ପର୍ଯ୍ୟନ୍ତ କୌଣସି ଗାଡିର ଦେଖା ନାହିଁ । ତେଣୁ ବାଧ୍ୟ ହୋଇ ସେ ଚାଲିବାକୁ ଆରମ୍ଭ କଲେ । ଜୋର୍ରେ ଚାଲିଲେ ହୁଏତ ଅନ୍ଧାର ହେବା ଆଗରୁ ଜଙ୍ଗଲ ପାର ହୋଇ ଯାଇ ପାରିବେ । ସେଥିରେ ପୁଣି ହଠାତ୍ ବର୍ଷା ଆରମ୍ଭ ହୋଇଗଲା ।
ହଠାତ୍ ପଛରୁ କିଏ ଡାକୁଥିବାର ସେ ଶୁଣିଲେ, “ଆଜ୍ଞା ଶୁଣନ୍ତୁ, ଟିକିଏ ରହିଯା’ନ୍ତୁ । ବର୍ଷା ଛାଡିଲେ ଯିବେ । ତାଛଡା ଆପଣ ଓଦା ହୋଇ କେତେଦୂର ବା ଯିବେ?” ଏକଥା ଶୁଣି ଉଦୟଭାନୁ ଫେରି ଚାହିଁଲା । ମନ୍ଦିରର ସମ୍ମୁଖ ଚଉତରା ଉପରେ ଜଣେ ଲୋକ ଠିଆ ହୋଇ ଡାକୁଛି । ସେହି ବ୍ୟକ୍ତି ବାରବାର କହୁଛି, “ଆଜ୍ଞା, ଆପଣ ମୋଟେ ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ କୌଣସି ଭୂତପ୍ରେତ ନୁହେଁ । ଆପଣଙ୍କ ପରି ମୁଁ ମଧ୍ୟ ଜଣେ ମଣିଷ । ବର୍ଷା ଯୋଗୁଁ ମୁଁ ବି ଏଠାରେ ଆଶ୍ରୟ ନେଇଛି ।”
ଏକଥା ଶୁଣି ଉଦୟଭାନୁ ସେହି ମନ୍ଦିର ପାଖକୁ ଗଲେ । ଲୋକଟି କହିଲା, “ଆସନ୍ତୁ ବାବୁ, ମୋର ନାମ ଚନ୍ଦ୍ରକିଶୋର, ମୁଁ ଚାକିରୀ ଖୋଜି ଏଠାରେ ସେଠାରେ ଘୁରି ବୁଲୁଛି । ମୁଁ ସ୍ଥାନଟି ସଫା କରି ଆପଣଙ୍କ ପାଇଁ ରଖିଛି ।”
ଲୋକଟିର ଏଭଳି ବ୍ୟବହାରରେ ସେ ଖୁବ୍ ମୁଗ୍ଧ ହେଲେ । ଉଦ୍ଦିଷ୍ଟ ସ୍ଥାନରେ ବସୁବସୁ ସେ କହିଲେ, “ମୋର ନାମ ଉଦୟଭାନୁ । ମୁଁ ବଜ୍ରନାଭ ଗ୍ରାମରେ ରହେ । ସେଠାରେ ମୋର ବ୍ୟବସାୟ ଅଛି ।” ଏହିପରି ଭାବେ ସେମାନେ ନିଜ ନିଜର ପରିଚୟ ଆଦାନ ପ୍ରଦାନ କଲେ । ଏଣେ ବର୍ଷା ବନ୍ଦ ହେଉନାହିଁ । ଉଦୟଭାନୁ ଟିକିଏ ବ୍ୟସ୍ତ ହେଲେ ।
ଚନ୍ଦ୍ରକିଶୋର କହିଲା, “ଏପରି ଭାବରେ ବର୍ଷାରେ ଅଟକି ଯିବା ବହୁତ ବିଚିତ୍ର କଥା । କ’ଣ ଏପରି ଅନୁଭୂତି ପୂର୍ବରୁ ଆପଣଙ୍କର କେବେ ହୋଇଛି?”