ଏପରି ବର୍ଷାରାତିରେ ମୁକପରି ବସି ରହିବା ମଧ୍ୟ ଭାରି କଷ୍ଟ । ତେଣୁ ସେ କହିବାକୁ ଲାଗିଲେ, “ମୋର ଜୀବନରେ ପ୍ରାୟ ତିରିଶବର୍ଷ ବିତିଗଲାଣି । କିନ୍ତୁ ଏପରି ଅନୁଭୂତି କେବେବି ହୋଇ ନଥିଲା । ହଁ ଥରେ ଏକ ଘଟଣା ଘଟିଥିଲା, ମୁଁ କହିବି କିନ୍ତୁ ତାହା ବିଚିତ୍ର ନା ନୁହେଁ, ସେକଥା ତୁମେ କହିବ ।”
ସେ କହିଲେ ଯେ ସେତେବେଳେ ସେ କଲେଜ୍ରେ ପଢୁଥା’ନ୍ତି । ରାଜେଶକୁମାର ତାଙ୍କର ଘନିଷ୍ଠ ବନ୍ଧୁ ଥା’ନ୍ତି । ଉଦୟଭାନୁ ମଝିରେ ପଢା ଛାଡି ଦେଇ ବାବାଙ୍କଠାରୁ ବ୍ୟବସାୟ ପତ୍ର ବୁଝି ନେଲେ, କିନ୍ତୁ ସେ ଯେବେବି ସହରକୁ ଯା’ନ୍ତି ରାଜେଶ ସହିତ ଦେଖା କରନ୍ତି ।
ଏମିତି ସେ ଥରେ ଦେଖା କରିବାକୁ ଯାଇଥା’ନ୍ତି, ରାଜେଶ କହିଲା, “ମିତ୍ର, ମୁଁ ବଡ ଉତ୍କଣ୍ଠାରେ ଅଛି । ଭଉଣୀର ବିବାହରେ ବରପକ୍ଷ ଦଶହଜାର ଟଙ୍କା ଯୌତୁକ ଦେବାକୁ ଦାବୀ କରୁଛନ୍ତି ବାବା ବା ଏତେ ଟଙ୍କା ଏକାଠି କେଉଁଠୁ ଆଣିବେ । ନହେଲେ ବିବାହ ବନ୍ଦ । ଏବେ କ’ଣ କରାଯାଏ?”
ଚିନ୍ତାଗ୍ରସ୍ତ ରାଜେଶକୁ ଉଦୟଭାନୁ କହିଲେ, “ସେ ଟଙ୍କାର ବ୍ୟବସ୍ଥା ମୁଁ କରିଦେବି ।” ସେ ସାଙ୍ଗକୁ କଥା ଦେଲେ ଓ ଘରକୁ ଫେରି ସବୁ ବାପାଙ୍କୁ କହିଲେ ।
ପୁଅଠାରୁ ଏପରି କଥା ଶୁଣି ବାପା ରାଗିଯାଇ କହିଲେ, “ଏଭଳି ଭାବରେ ପଇସା ନଷ୍ଟ କରିବାକୁ ମୁଁ ତୋତେ କେବେବି ଅନୁମତି ଦେବିନାହିଁ । ତୁ ଏପରି କଲେ ଆମେ ଖୁବ୍ ଅଳ୍ପ ସମୟ ମଧ୍ୟରେ ଦେବାଳିଆ ହୋଇଯିବା ।”
କିନ୍ତୁ ଉଦୟଭାନୁ ନିଜକଥା ଉପରେ ସେମିତି ଅଟଳ ରହିଲେ । ପୁଅର ଯିଦ୍ ଦେଖି ବାପା କହିଲେ, “କୋଡିଏ ବର୍ଷ ପୂର୍ବରୁ ମୋର ସାଙ୍ଗ ରାମକୁ ମୁଁ ପାଞ୍ଚହଜାର ଟଙ୍କା କରଜ ଦେଇଥିଲି । ସୁଧ ସହିତ ତାହା ଏବେ କୋଡିଏ ହଜାର ଟଙ୍କା ଆସି ହେଲାଣି । ତୁ ଯଦି ତା’ଠାରୁ ଦଶହଜାର ଟଙ୍କା ଉଠାଇ ନେଇପାରୁ ତେବେ ମୋର କୌଣସି ଆପତ୍ତି ନାହିଁ ।”
ଉଦୟଭାନୁ ଦୀର୍ଘ ଦୁଇଦିନ ଧରି ଯାତ୍ରା କରିବା ପରେ ବାପାଙ୍କ ବନ୍ଧୁଙ୍କ ଗ୍ରାମରେ ଯାଇ ସେ ପହଁଚିଲେ । ସେଠାରେ ଅନ୍ୟମାନଙ୍କୁ ପଚାରି ତାଙ୍କ ଘର ସେ ଖୋଜି ପାଇଲେ । କିନ୍ତୁ ସେଠାରେ ପହଁଚି ସେ ଦେଖିଲେ ସେ ମରି ଯାଇଛନ୍ତି । ଘରର ଲୋକମାନେ ତାଙ୍କ ଶବକୁ ଘେରି ବସି କାନ୍ଦୁଛନ୍ତି । ତାଙ୍କ ଝିଅଟି ମଧ୍ୟ ସେଇଠି ବସି କାନ୍ଦୁଥାଏ; ଗ୍ରାମଲୋକମାନେ ଉଦୟଭାନୁକୁ କହିଲେ “ପୁଅ ତମେ ଠିକ୍ ସମୟରେ ଆସିଛ । ସୂର୍ଯ୍ୟାସ୍ତ ପୂର୍ବରୁ ଶବଦାହ କରିବାକୁ ହେବ ।”
ଉଦୟଭାନୁ ଦେଖିଲେ ରାମବାବୁଙ୍କର ନିଜର ବୋଲି, କେବଳ ଝିଅଟିଏ ମାତ୍ର ଅଛି । ସେ ପୁଣି ତାଙ୍କ ବାପାଙ୍କ ସାଙ୍ଗ । ତେଣୁ ସେ ପଇସା ଖର୍ଚ୍ଚ କରି ଦାହସଂସ୍କାର କରାଇଲେ ।
ପରଦିନ ରାମବାବୁଙ୍କ ଝିଅ ଭାନୁମତୀ, ଉଦୟଭାନୁଙ୍କୁ ନମସ୍କାର କରି କହିଲା, “ଆପଣ କିଏ ମୁଁ ତ ତାହା ଜାଣି ନଥିଲି । କିନ୍ତୁ ଏପରି ବିପଦ ବେଳେ ଦେବଦୂତ ପରି ଆପଣ ଆସି ଅବସ୍ଥା ସମ୍ଭାଳି ନେଲେ । କ’ଣ କହି ମୁଁ ଯେ ଆପଣଙ୍କୁ କୃତଜ୍ଞତା ଜଣାଇବି?” ଏତିକି କହି ସେ ଖାଲି କାନ୍ଦିଲା ।
ଖାଲି ସେତିକି ନୁହେଁ ରାମବାବୁ ଗ୍ରାମର ବହୁ ଲୋକଙ୍କ ପାଖରୁ ଧାର୍ କରଜ କରିଥିଲେ । ଉଦୟଭାନୁ ତାଙ୍କର ସୁନା ହାର ଓ ମୁଦି ବିକ୍ରିକରି ସେସବୁ ମଧ୍ୟ ସୁଝି ଦେଲେ । ତା’ପରେ ସେ ଭାନୁମତୀକୁ କହିଲେ, “ତୁମ ବାପା ଓ ମୋ ବାପା ଅତି ଘନିଷ୍ଠ ବନ୍ଧୁ ଥିଲେ । ଏବେ ତୁମେ ଏଠାରେ ଏକେଲା କିପରି ରହିବ? ମୋ ସଙ୍ଗରେ ଆମ ଗ୍ରାମକୁ ଚାଲ ।”
ଭାନୁମତୀ ଉଦୟଭାନୁଙ୍କ ସହ ଆସିବା ପାଇଁ ପ୍ରସ୍ତୁତ ହେଲା । କିନ୍ତୁ ଗ୍ରାମର ଲୋକମାନେ କହିଲେ ଯେ ଏହା କିପରି ସମ୍ଭବ? ଯେଉଁ ଯୁବକ ସହ କୌଣସି ପ୍ରକାର ପାରିବାରିକ ସମ୍ପର୍କ ନାହିଁ; ତା’ସହିତ ଏକା ଯୁବତୀ ଝିଅ କିପରି ଓ କୁଆଡେ ବା ଯିବ? ଏହା ତ ଗ୍ରାମର ସମାଜ ପାଇଁ ଏକ ଅପମାନଜନକ ହେବ । ଏପରି ଅବସ୍ଥାରେ ଉଦୟଭାନୁ ବାଧ୍ୟ ହୋଇ ଭାନୁମତୀକୁ ବିବାହ କରିବାକୁ ପ୍ରସ୍ତାବ ଦେଲେ । ଭାନୁମତୀ ଖୁସିରେ ରାଜି ହେଲା । ତା’ପରେ ସେ ଦୁହେଁ ମନ୍ଦିରକୁ ଯାଇ ସେଠାରେ ବିବାହ କଲେ । ଏଥିଉତାରେ ତାକୁ ନେଇ ସେ ଗ୍ରାମକୁ ଫେରିଲେ ।
ଉଦୟଭାନୁ ଚନ୍ଦ୍ରକିଶୋରକୁ ଏସବୁ କଥା ଶୁଣାଇବା ପରେ କହିଲେ, “ମୁଁ ତ ପୁରୁଣା କରଜ ଟଙ୍କା ଆଦାୟ କରିବାକୁ ଯାଇଥିଲି, କିନ୍ତୁ ସେଠାରେ ମୋତେ ପୂର୍ବଜନ୍ମର କୌଣସି ଋଣ ପରିଶୋଧ କରିବାର ଥିଲା । କୌଣସି ଧନୀ ଘରେ ମୁଁ ବିବାହ କରିଥିଲେ ମୋତେ ଲକ୍ଷାଧିକ ଟଙ୍କାର ଯୌତୁକ ମିଳିଥା’ନ୍ତା । କିନ୍ତୁ ସେହି ଦରିଦ୍ର ଘରର ଅସହାୟ ଝିଅଟିକୁ ମୁଁ ବିବାହ କଲି । ଏହା ମୋ ଜୀବନରେ ଏକ ବିଚିତ୍ର ନାଟକୀୟ ଘଟଣା ।” ଏସବୁ କଥା ଶୁଣି ଚନ୍ଦ୍ରକିଶୋର କହିଲା, “ଏହା କୌଣସି ଗଳ୍ପ କାହାଣୀ ଠାରୁ ମଧ୍ୟ ଚିତାକର୍ଷକ ।” ଚନ୍ଦ୍ରକିଶୋରର ଏଭଳି କଥା ଶୁଣି ଉଦୟଭାନୁ କହିଲେ, “ତୁମେ ମଧ୍ୟ ତୁମ ଜୀବନ କଥା କିଛି କୁହ ।”
ତାଙ୍କ କଥା ଶୁଣି ଚନ୍ଦ୍ରକିଶୋରର ସ୍ୱର ଉଦାସ ଭାବରେ ପୂର୍ଣ୍ଣ ହେଲା: ତା’ପରେ ସେ କହିଲା, “ମୁଁ ବେକାର ତେଣୁ ଅସହାୟ, ହତାଶା, ନିରାଶା ମୋତେ ଘେରି ରହିଛି । ଆପଣ ଦୟା କରି ମୋ ପାଇଁ କୌଣସି ଚାକିରୀର ବ୍ୟବସ୍ଥା କରି ଦିଅନ୍ତୁ । ମୁଁ ସାରାଜୀବନ ଆପଣଙ୍କ ନିକଟରେ କୃତଜ୍ଞ ରହିବି ।” ଚନ୍ଦ୍ରକିଶୋରର ମନକଥା ଶୁଣି ଉଦୟଭାନୁ ଖୁବ୍ ବ୍ୟସ୍ତ ହୋଇ କହିଲେ, “ଏବେ ମୋ ପାଖରେ ଦଶଜଣ ଚାକିରୀ କରୁଛନ୍ତି । ମୁଁ ପୁଣି ଜଣକୁ ହଠାତ୍ ନେଇ ଯଦି ରଖିବି ତେବେ ମୋର ଘରର ଧନ ଶେଷ ହୋଇ ଯିବ । ତା’ଛଡା ତୁମର ଭଲମନ୍ଦ ବା ତୁମର ଜୀବନର ଇତିହାସ ବିଷୟରେ ମୁଁ ତ କିଛି ହେଲେ ବି ଜାଣେ ନାହିଁ । କୌଣସି ବ୍ୟକ୍ତିକୁ ଯାଂଚ ନକରି ଭଲଭାବେ ନଜାଣି ମୁଁ କିପରି ଚାକିରୀ ଦେଇପାରିବି?”
ସେତିକିବେଳେ ଦେଖାଗଲା ଦୂରରୁ ଗାଡିଟିଏ ଆସୁଛି । ସେଇଟିକୁ ଡାକି ଉଦୟଭାନୁ ସେଥିରେ ବସି ବିବାହ ସ୍ଥାନକୁ ଗଲେ । ସେତେବେଳକୁ ତ ସକାଳ ହୋଇ ଯାଇଥିଲା । ବିବାହ ଶେଷ ହେବା ପରେ ସେ ନିଜ ଗ୍ରାମକୁ ଫେରି ଆସିଲେ । ସେ ଘରେ ପହଁଚିବା ମାତ୍ରେ, ତାଙ୍କ ସ୍ତ୍ରୀ କବାଟ ଖୋଲି, ଅତି ଖୁସିରେ କହିଲା, “ତୁମ ବନ୍ଧୁ ରାଜେଶକୁମାର ଆସିଛନ୍ତି । ମୁଁ ତାଙ୍କୁ ଭଲଭାବରେ ଖୁଆଇପିଆଇ ପଶ୍ଚିମ ପଟ ଘରଟି ଶୋଇବାକୁ ଦେଇଛି ।”
ଉଦୟଭାନୁ ଖୁସି ହୋଇ ସେ ଘରକୁ ଗଲେ । ଯାଇ ଦେଖିଲେ ସେ ଘରେ କେହି ବି ନାହିଁ । ଖଟଉପରେ ଚିଠିଟିଏ ପଡିଛି । ସେଥିରେ ଲେଖାଥିଲା –
“ଉଦୟଭାନୁ, ମହାଶୟ; ମୁଁ ଚନ୍ଦ୍ରକିଶୋର, ରାଜେଶକୁମାର ନୁହେଁ ଆପଣ ମୋ ସଚ୍ଚୋଟ ପଣିଆ ଉପରେ ସନ୍ଦେହ ପ୍ରକାଶ କରି ମୋତେ ଚାକିରୀ ଦେବାକୁ ନାହିଁ କରିଦେଲେ । ମୁଁ ଆପଣଙ୍କ ଠାରୁ ଶୁଣିଥିବା ଗଳ୍ପରୁ ଆପଣଙ୍କ ପତ୍ନୀଙ୍କୁ କହିଲି ଯେ ମୁଁ ରାଜେଶକୁମାର, ତା’ପରେ ସେ ମୋର ବହୁତ ଯତ୍ନ କରି ସତ୍କାର କଲେ, ମୁଁ ଆପଣଙ୍କ ଟ୍ରେଜେରୀରୁ ଦଶହଜାର ଟଙ୍କା କରଜ ନେଉଛି । ମୁଁ ଆପଣଙ୍କ ଘରେ ଖାଇଛି, କେବେ ଠକିବି ନାହିଁ । ଏଇ ଟଙ୍କାରେ ମୁଁ ବ୍ୟବସାୟ କରି ଦୁଇବର୍ଷ ମଧ୍ୟରେ ଆପଣଙ୍କ ଟଙ୍କା ମୁଁ ନିଶ୍ଚୟ ଫେରେଇ ଦେବି । ପଅର ଦିନ ପର୍ଯ୍ୟନ୍ତ ଆପଣ ମୋତେ ଯାହା ପଚାରିଲେ ମୋ ଜୀବନରେ କୌଣସି ବିଚିତ୍ର କଥା ଘଟି ନଥିଲା; ଏବେ ଏହି ଘଟଣାଟିକୁ ମୋ ଜୀବନରେ ବିଚିତ୍ର ଘଟଣା ବୋଲି ଭାବନ୍ତୁ ।”
ଭାନୁମତୀ ଦେଖିଲା, ସ୍ୱାମୀ ଚୁପ୍ଚାପ୍ ଠିଆ ହୋଇ ରହିଛନ୍ତି । ତେଣୁ ସେ ଏଥିରେ ଖୁବ୍ ବ୍ୟସ୍ତ ହୋଇ କହିଲା, “ତୁମ ସାଙ୍ଗ କିଛି ନକହି ପଳେଇଲେ, ଚିଠିରେ କ’ଣ ଲେଖି ଯାଇଛନ୍ତି?” “କିଛି ନାହିଁ । କେବଳ ମୋ ବୁଦ୍ଧି ବିଷୟରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇ ଯାଇଛି । ବୁଝାଇ ଦେଇଛି ସଚ୍ଚୋଟ ପଣିଆର ଅର୍ଥ କ’ଣ? ସେ ଯାହାହେଉ ପଛେ ସେ ବଡ ସଚ୍ଚୋଟ ଲୋକ ।”
ଏତିକି କହି ଉଦୟଭାନୁ ପତ୍ରଟିକୁ ଟ୍ରେଜେରୀରେ ରଖି ତାଲା ବନ୍ଦ କଲେ ।