ଏକ ନିଃଶ୍ୱାସରେ ଚିଠିଟି ପଢି ଶେଷ କରିଦେଲେ ସେ ଦେବକାନ୍ତ ପଟ୍ଟନାୟକ । ଏ ଦୁଃଖଭରା କାହାଣୀ ଶୁଣି ସେ ଦେବକାନ୍ତ ପଟ୍ଟନାୟକଙ୍କ ଆଖିରୁ ବି ଲୁହ ବହି ପଡିଲା । ଦେବକାନ୍ତ ପଟ୍ଟନାୟକ ଅନେକ ଦୁଃଖ ଅନୁଭବ କଲେ । ତା’ପରେ ଶଶୀକାନ୍ତକୁ କହିଲେ ଆଚ୍ଛା, ତମେ ତାହେଲେ ସବିତାର ପୁଅ । ଏବେ ମୁଁ ତୁମକୁ ଠିକ୍ ଚିହ୍ନି ପାରିଲି, ଅନେକ ଦିନ ହେବ ସେ ସବିତାକୁ ମୁଁ ଦେଖି ନାହିଁ । ହଁ ସବିତା ଓ ମୁଁ ଏକାଠି ଗାଆଁ ସ୍କୁଲରେ ପାଠ ପଢୁଥିଲୁ । ଗାଆଁରେ ଆମ ନିଜର ଘର । ଏଣେ କିନ୍ତୁ ମୁଁ ରହିଲି ସହରରେ, ହଉ ଇଣ୍ଟରଭ୍ୟୁ ଦିନ ପ୍ରସ୍ତୁତ ହୋଇ ଆସ ।
ମୁଁ ଯଥାସାଧ୍ୟ ସାହାଯ୍ୟ କରିବି, ଏତିକି କହି ସେ ଦେବକାନ୍ତ ପଟ୍ଟନାୟକ ଶଶୀକାନ୍ତକୁ ବିଦାୟ ଦେଲେ । ତାପରେ ଶଶୀକାନ୍ତ ଘରକୁ ଫେରିଲେ । ମାଆ ସବିତାକୁ ସବୁ କହିଲେ, ସବୁ ଶୁଣି ସବିତା ବି ଖୁସି ହୋଇଗଲେ । ମନେ ମନେ ଭାବିଲେ ଦେବକାନ୍ତ ଶଶୀକାନ୍ତକୁ ନିଶ୍ଚୟ ଚାକିରିଟିଏ ଦେବ ।
ଦେବକାନ୍ତ ପଟ୍ଟନାୟକ ତାଙ୍କ ଅଫିସ୍ ବନ୍ଦ କରି ନିଜ କ୍ୱାର୍ଟରକୁ ଆସିଲେ । ରାତିରେ ଶୋଇ ଚିନ୍ତା କଲେ । କ’ଣ କରିବେ ଚାକିରି ବିଜ୍ଞାପନ ଖବର କାଗଜରେ ବାହାରିବା ପରେ କିରାଣି ଚାକିରି ପ୍ରାର୍ଥୀମାନେ ମୋ ନିକଟରେ ଯୋଗାଯୋଗ କରିଛନ୍ତି । ସେମାନଙ୍କର ବାପାମାନେ ଆସି କୋଡିଏ ହଜାରରୁ ତିରିଶହଜାର ଟଙ୍କା ଘୋସ୍ ଦେବାକୁ କହି ଯାଇଛନ୍ତି । ଏପରିକି କେତେକ ପ୍ରାର୍ଥୀ ଇଣ୍ଟରଭ୍ୟୁ ଦେବା ପୂର୍ବରୁ ବି ମୋତେ ଦଶ ହଜାର ଲେଖାଏଁ ଟଙ୍କା ଦେଇ ଯାଇଛନ୍ତି, ଏହି ଇଣ୍ଟରଭ୍ୟୁ କେବଳ ଗୋଟିଏ ଫାର୍ସ । ସେମାନେ ଇଣ୍ଟରଭ୍ୟୁ ଦିନ କଥା ହୋଇଥିବା ଅବଶିଷ୍ଟ ଟଙ୍କା ଧରି ଆସିବେ ଏବେ ମୁଁ କ’ଣ କରିବି । ସବିତାର ପୁଅ ଶଶୀକାନ୍ତ ତ ଆଉ ଟଙ୍କା ଦେଇ ପାରିବନି । ଆମେ କେତେ ଜଣ ଟଙ୍କା ବାଂଟିନେବୁ । ହେଲେ ବିନା ଟଙ୍କାରେ ସେମାନେ ଶଶୀକାନ୍ତର ଚାକିରି ଆଦୌ ଚାହିଁବେନି । ପୁଣି ସବିତା ମୋର ପିଲାଦିନର ସାଥୀ । ମୁଁ ବା କେମିତି କହିବି ସବିତା ଯଦି ମାତ୍ର ଦଶ ହଜାର ଟଙ୍କା ଲାଂଚ ଦିଅନ୍ତି ତେବେ ମୁଁ ଅନ୍ୟମାନଙ୍କୁ ବୁଝେଇ ସେତିକି ଟଙ୍କା ସବିତା ନିକଟରୁ ନେଇ ଶଶୀକାନ୍ତର ଚାକିରି କରାଇ ଦିଅନ୍ତି । କିନ୍ତୁ ଦଶ ହଜାର ଟଙ୍କା ସବିତା ନିକଟରେ ମାତ୍ର ନୁହେଁ, ବରଂ ବହୁତ । ଆଉ ପୁଣି ସେ ସବିତା ଏତେଗୁଡାଏ ଟଙ୍କା ବା ପାଇବ କେଉଁଠୁ? ଛାଡ ମୁଁ କାହିଁକି ଏତେ ତ୍ୟାଗ ଆଦର୍ଶ ଦେଖାଇବି । ଆଦର୍ଶ ଦେଖାଇ ଏ ସମାଜରେ କେହି ବ୍ୟକ୍ତି ବି ନିଜର ଆର୍ଥନୀତିକ ଅବସ୍ଥାକୁ ଆଦୌ ମଜଭୁତ କରିପାରି ନାହିଁ । ଏମିତି ଅନେକ କଥା ଚିନ୍ତାକରି ସୂତା ମିଲ୍ର ମ୍ୟାନେଜର ଦେବକାନ୍ତ ପଟ୍ଟନାୟକ ଶେଷରେ ଶୋଇ ପଡିଲେ ।
କିଛିଦିନ ଗଲା, ଇଣ୍ଟରଭ୍ୟୁ ଦିନ ବି ଆସି ପହଁଚିଲା । କିରାଣି ଚାକିରି ପ୍ରାର୍ଥୀମାନେ ଯଥା ସମୟରେ ଆସି ପହଁଚିଗଲେ । ଶଶୀକାନ୍ତ ନାୟକ ମଧ୍ୟ ଆସିଥିଲା, ଅନ୍ୟମାନେ ଲାଂଚ ଦେବାକୁ ଟଙ୍କା ଆଣିଥିଲେ । କିନ୍ତୁ ଗରିବ ଯୁବକ ଶଶୀକାନ୍ତ ଟଙ୍କା ବା କେଉଁଠୁ ଆଣିବ? ତା’ପରେ ଶଶୀକାନ୍ତ ତ ଜାଣେନା ଲାଂଚ ଦେଲେ ଚାକିରି ହୁଏ । ଏ ଇଣ୍ଟରଭ୍ୟୁର ମାନେ କିଛି ବି ନାହିଁ । ଯେଉଁ ପ୍ରାର୍ଥୀମାନେ ଟଙ୍କା ଲାଂଚ ଦେଲେ ସେମାନଙ୍କ ଚାକିରି ହେଲା । ଆଉ ଯେଉଁମାନେ ଟଙ୍କା ଦେଇ ନ ପାରିଲେ ସେମାନେ ଇଣ୍ଟରଭ୍ୟୁରେ ପାଶ୍ କରିଥିଲେ ବି ଫେଲ୍ ବୋଲି ପ୍ରମାଣିତ ହେଲେ । ସେମାନଙ୍କ ମଧ୍ୟରୁ ଏ ଶଶୀକାନ୍ତ ନାୟକ ଜଣେ । ଇଣ୍ଟରଭ୍ୟୁ ସରିଲା, ଶଶୀକାନ୍ତ ନାୟକ ଇଣ୍ଟରଭ୍ୟୁରେ ପାଶ୍ କରିଛନ୍ତି କିନ୍ତୁ ଟଙ୍କା ଲାଂଚ ଦେଇପାରି ନଥିବାରୁ ଫେଲ୍ ବୋଲି ପ୍ରମାଣିତ ହେଲେ । ଦେବକାନ୍ତ ପଟ୍ଟନାୟକ ଶଶୀକାନ୍ତକୁ କହିଲେ, ତୁମେ ଯାଅ, ତୁମ ପାଖକୁ ଚିଠି ଯିବ । ତା’ପରେ ଦେବକାନ୍ତ ପଟ୍ଟନାୟକ ପୁଣି କହିଲେ, ଶଶିକାନ୍ତ ତୁମେ ଅଫିସରମାନଙ୍କ ଖର୍ଚ୍ଚପାଇଁ ଯଦି ପାଂଚ ଦଶ ହଜାର ଟଙ୍କା ଦେଇଥା’ନ୍ତ ତେବେ ମୁଁ କୁହା ବୋଲା କରି ତୁମ ଚାକିରର ବନ୍ଦୋବସ୍ତ ନିଶ୍ଚୟ କରିପାରିଥାନ୍ତି ।
ଶଶୀକାନ୍ତ ନାୟକ, ଦେବକାନ୍ତ ପଟ୍ଟନାୟକଙ୍କ ମୁହଁରୁ ଏପରି କଥା ଶୁଣି ସବୁ କିଛି ବୁଝି ପାରିଲା । ପ୍ରାର୍ଥୀମାନେ ଲାଂଚ ଦେଇ ଚାକିରି କରନ୍ତି । କେତେକ ପ୍ରାର୍ଥୀ ଟଙ୍କା ଧରି ଆସିଥିବାର ସେ ଶଶୀକାନ୍ତ ନିଜେ ମଧ୍ୟ ଦେଖିଥିଲା । ସେ ସବୁ ବୁଝିପାରି ଏକମୁହାଁ ହୋଇ ଘରକୁ ଫେରିଲା, ମାଆ ସବିତାକୁ ସବୁ କଥା ବୁଝେଇ କହିଲା । ତା’ପରେ ସେ ଶଶୀକାନ୍ତ ଭୀଷଣ ଭାବରେ ରାଗିଗଲା । ରାଗ ଜର ଜର ହୋଇ ସେ ଶଶୀକାନ୍ତ ତା’ ମାଆକୁ କହିଲା, ମାଆ ଆଜି କାଲି ଟଙ୍କା ଲାଂଚ ନ ଦେଲେ ଚାକିରି ହେଉ ନାହିଁ । ଚାକିରି ପାଇଁ ଘୋସ୍ ଦେବାର ଆବଶ୍ୟକତା ରହିଛି ।
କିଏ ମୋତେ ଚାକିରି ଦେବ? ଏ ସମାଜରେ ପାଠର ମର୍ଯ୍ୟାଦା ଆଉ କ’ଣ? ଯଦି ପରିବାରର ଆଭିଜାତ୍ୟ ନାହିଁ, ମହାଜ୍ଞାନୀ ହେଲେ ବି ସବୁ ଅଫିସରେ ତାପାଇଁ ଚାକିରି ନାହିଁ ବୋଲି କହିବେ ଅର୍ଥ ସ୍ୱାର୍ଥ ମୋହରେ ମତୁଆଲା ଅଫିସରମାନେ । ହେଲେ ଆମର କ’ଣ ବା ଅଛି? ପରିବାରର ଖାନଦାନ୍ ନା ବ୍ୟାଙ୍କରେ ସଂଚିତ ପ୍ରଚୁର ଟଙ୍କା – ଏସବୁ କିଛି ତ ନାହିଁ । ଏବେ ତୁ କହ, ମାଆ ମୋତେ ଚାକିରି କେମିତି ମିଳିବ? ଆଜି ଯଦି ମୁଁ ସେ ଦେବକାନ୍ତ ପଟ୍ଟନାୟକଙ୍କୁ ଟଙ୍କା ଦଶ ହଜାର ଦେଇଥାନ୍ତି ତେବେ ମୋର ଚାକିରି ନିଶ୍ଚୟ ହୋଇଥାଆନ୍ତା । ଏତିକି କହି ସେ ଶଶୀକାନ୍ତ ନାୟକ ହଠାତ୍ କାନ୍ଦି ପକାଇଲେ । ମାଆ, ସବିତା ଶଶୀକାନ୍ତକୁ ବୁଝାଇଲେ, ଧନରେ ମୁଁ ସବୁ ବୁଝିଲି । ଧୈର୍ଯ୍ୟଧର କିଛି ଗୋଟାଏ ବ୍ୟବସ୍ଥା ନିଶ୍ଚୟ କରିବା । ହେଲେ ତୁ ଆଦୌ ବ୍ୟସ୍ତ ହେବୁ ନାହିଁ । ତୋ ପାଖରେ ତୋ ମାଆ ପରା ଅଛି । ମୋ ଆଶୀର୍ବାଦରେ ତୁ ନିଶ୍ଚୟ ମଣିଷ ପରି ମଣିଷଟିଏ ହେବୁ । ଏହାପରେ ସେ ଶଶୀକାନ୍ତ ନିଶ୍ଚିନ୍ତ ହୋଇ ରହିଲା ।