ଏଣେ ସେ ସବିତା ଭାବୁଥାଏ ଯେଉଁ ଦେବକାନ୍ତ ପିଲାଦିନେ ମୋ ହାତରୁ ବରକୋଳି ଖାଉଥିଲା, ଆଉ ମୋତେ ଯେଉଁ ହାତରେ ବରକୋଳି ଦେଉଥିଲା ସେହି ବରକୋଳି ଦବା ହାତଟା ତା’ର କେମିତି ଲାଂଚ ଟଙ୍କା ନବାର ହାତରେ ପରିବର୍ତ୍ତନ ହେଲା । କେମିତି ସେ ଏତେ ସ୍ୱାର୍ଥପର ହୋଇଗଲା । ଶଶୀକାନ୍ତ କହିଲା ଦେବକାନ୍ତ ନିଜେ ତିନି ମହଲା କୋଠାଘର କରି ରହିଛି । ଗାଡି ମଟର ସବୁ ସୁଖ ଶାନ୍ତି ତା’ ପାଖରେ ପୂରି ରହିଛି । ତେବେ ସବିତା ଭାବୁଛି ତା’ର ସବୁ ସମ୍ପତ୍ତି ପାପ ଧନରେ ହିଁ ବଢି ଯାଇଛି । ହଉ, ଠାକୁରେ ଭରସା, ଈଶ୍ୱର ସେ ଦେବକାନ୍ତ ପଟ୍ଟନାୟକଙ୍କୁ ସୁଖରେ ରଖନ୍ତୁ । ଆଉ ସଦ୍ବୁଦ୍ଧି ବି ଦିଅନ୍ତୁ । ସବିତା ଠାକୁରଙ୍କ ନିକଟରେ ଏତିକି ନିବେଦନ କଲା । ସେହିକ୍ଷଣି ଆଖିରୁ ଟପ୍ ଟପ୍ ହୋଇ କେଇବୁନ୍ଦା ଲୁହ ବୋହି ପଡିଲା ସବିତା’ର । ତା’ପରେ ସବିତା କହିଲେ, ନା-ଆଉ ଭାବି, ଲୁହ ଗଡେଇ କିଛି ବି ଲାଭ ନାହିଁ । ମଣିଷର ମୂଲ୍ୟାଙ୍କନ ଆଦୌ ସହଜ କଥା ନୁହେଁ । ମଣିଷ ବଂଚିବାର ପ୍ରଣାଳୀ ଜାଣିଲେ ସିନା ଅନ୍ୟକୁ ଶିକ୍ଷା ଦେବ । ଗୋଟିଏ କୂଳରେ ଲାଗି ମନଇଚ୍ଛା ଦମ୍ ନ ନେଲେ ନଦୀ ପାରିହେବା ମୋଟେ ସମ୍ଭବ ନୁହେଁ । ସବିତା ତାଙ୍କ ପୁଅକୁ ଅସୀମ ଧୈର୍ଯ୍ୟ ଦେଇ ବ୍ୟାଙ୍କରୁ ଋଣ କରି କିଛି ଗୋଟାଏ ସାଧାରଣ ବ୍ୟବସାୟ କରିବାକୁ କହିଲେ । ଶଶୀକାନ୍ତ ତ ଅତ୍ୟନ୍ତ ଚତୁର ଓ ବୁଦ୍ଧିମାନ ଯୁବକ । ଶଶୀକାନ୍ତ ସେ ଋଣ ପଇସାରେ ଛୋଟ ଧରଣର ଏକ ପରିବା ବ୍ୟବସାୟ କଲା । ଧୀରେ ଧୀରେ ସେ ପରିବା ବ୍ୟବସାୟରୁ ଶଶୀକାନ୍ତ ଅନେକ ପଇସା ଉପାର୍ଜନ କଲା । ଦୁଇ, ଚାରି ବର୍ଷ ପରେ ଶଶୀକାନ୍ତ ପାଖରେ ଅନେକ ପଇସା ହୋଇଗଲା । ତା’ପରେ ସେ ଶଶୀକାନ୍ତ ଏକ ଦିଆସିଲି ଫ୍ୟାକ୍ଟେରୀ କଲେ । ଆଉ ସେଥିରେ ଲାଭବାନ ବି ହେଲେ । ତାପରେ ଧୂପ ତିଆରି କଲେ । ସହରରେ ଜାଗା କିଣି ଖୁବ୍ ବଡ ଧରଣର ଧୂପ ଦିଆସିଲି କାରାଖାନା କରି ବିଖ୍ୟାତ ହୋଇଗଲେ । ପରିବା ବ୍ୟବସାୟରୁ ଲାଭ କରି ଶଶୀକାନ୍ତତ ତା’ର ସ୍ୱଳ୍ପ ବ୍ୟାଙ୍କ ଋଣ ବହୁ ଆଗରୁ ପରିଶୋଧ କରିଦେଇଥିଲେ ।
ଶଶୀକାନ୍ତ ଦିଆସିଲି କାରାଖାନା କରିବା ଗୋଟିଏ ବର୍ଷ ପୂରିଯାଇଛି । ତେଣୁ ଶଶୀକାନ୍ତ ଏକ ବାର୍ଷିକ ଉତ୍ସବର ଆୟୋଜନ କରିଥା’ନ୍ତି । ସେଥିରେ ଭଜନ ସମାରୋହର ଆୟୋଜନ ସହିତ ଭୋଜିର ବ୍ୟବସ୍ଥା ମଧ୍ୟ କରାଯାଇଥାଏ । ତେଣୁ ବହୁ ଲୋକ ନିମନ୍ତ୍ରିତ ହୋଇଛନ୍ତି । ସେଦିନ ସହର ଆନନ୍ଦ କୋଳାହଳରେ ପରିପୂର୍ଣ୍ଣ । ସବିତାର କଥାନୁଯାୟୀ ସୂତା ମିଲ୍ର ମ୍ୟାନେଜର ଦେବକାନ୍ତ ପଟ୍ଟନାୟକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ମାଆର ଆଦେଶକୁ ଶିରୋଧାର୍ଯ୍ୟ କରି ଶଶୀକାନ୍ତ ଦେବକାନ୍ତ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି । ଆଉ ସେ ଦେବକାନ୍ତ ପଟ୍ଟନାୟକ ବି ଆସିଛନ୍ତି । ହେଲେ ସେ ଆସିବେ ବୋଲି ସବିତାର ଆଦୌ ବିଶ୍ୱାସ ନଥିଲା । ଦେବକାନ୍ତ ପଟ୍ଟନାୟକଙ୍କୁ ଖୁବ୍ ଖୁସିରେ ହସି ହସି ସବିତା ପାଛୋଟି ନେଇଗଲେ ତାଙ୍କ ଘର ଭିତରକୁ । କିନ୍ତୁ ସେ ଦେବକାନ୍ତ ମୁହଁର ଭାବ ଭାରାକ୍ରାନ୍ତ । ଯେପରି ଜୀବନ ପ୍ରତି ବୀତସ୍ପୃହା, ତାଙ୍କର କରୁଣ ଚାହାଣି, ରୁଗ୍ଣ ଶରୀର ଦେଖି ସବିତାର ଦୟା ହୋଇଥିଲା । ତାପରେ ସେ ସବିତାର ହସ ମଉଳି ଗଲା । ଦେବକାନ୍ତଙ୍କ ମୁହଁକୁ ଚାହିଁ ସବିତା ପଚାରିଲେ, ଦେବକାନ୍ତ ତୁମର କ’ଣ ହୋଇଛି ଆଗ କୁହତ? ତାଛଡା ତୁମେ ଖୁବ୍ ଅସୁସ୍ଥ ବି ଜଣାପଡୁଛ । ଏତକ ଶୁଣି ସେ ଦେବକାନ୍ତ ରହି ରହି କହିଲେ, ସବିତା ସତରେ ମୁଁ ଅସୁସ୍ଥ ହୋଇ ପଡିଛି । ମୁଁ ସୂତା ମିଲ୍ର ମ୍ୟାନେଜର ଥିଲି ମାତ୍ର ଏବେ ଆଉ ନାହିଁ । ଏପରି କଥା ଶୁଣି ସବିତା ପଚାରିଲା କାହିଁକି?