ରାଜା କୃଷ୍ଣଦେବରାୟ ତାଙ୍କ ରାଜ୍ୟରେ ଏକ ପ୍ରାସାଦ ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କଲେ । କିଛି ଦିନପରେ ପ୍ରାସାଦ ନିର୍ମାଣ କାର୍ଯ୍ୟ ମଧ୍ୟ ସମାପ୍ତ ହେଲା । ଏହାପରେ ରାଜା ଚାହିଁଲେ ସେ ପ୍ରାସାଦର କାନ୍ଥରେ ସୁନ୍ଦର ସୁନ୍ଦର ଚିତ୍ର କରିବା ପାଇଁ । ସେଥିପାଇଁ ଜଣେ ସୁ ପ୍ରସିଦ୍ଧ ଚିତ୍ରକରଙ୍କୁ ଅଣାଗଲା । ଚିତ୍ରକର ତାଙ୍କର ଅଦ୍ଭୁତ ପ୍ରତିଭା ବଳରେ ସେ ପ୍ରାସାଦକୁ ଅପୂର୍ବ ସୌନ୍ଦର୍ଯ୍ୟରେ ମଣ୍ଡିତ କରିପାରିଲେ । ପ୍ରାସାଦ କାର୍ଯ୍ୟ ସମାପ୍ତ ହେବାପରେ ରାଜା ପାରିଷଦବର୍ଗଙ୍କୁ ମହଲର କାରୁକାର୍ଯ୍ୟ ଦେଖାଇବା ପାଇଁ ନେଇଗଲେ । ସମସ୍ତେ ସେହି ଚିତ୍ର ଗୁଡିକର ଭୁରି ଭୁରି ପ୍ରଶଂସା କରୁଥାଆନ୍ତି । କିନ୍ତୁ ତେନାଲୀରାମା କିଛି ବି ନକହି କେବଳ ନୀରବ ରହିଥାଆନ୍ତି । ହଠାତ୍ ସେଠାରେ ତେନାଲୀରାମା ଏକ ବିଚିତ୍ର ଚିତ୍ର ଦେଖିବାକୁ ପାଇଲେ । ତେଣୁ ସେ ସଂଗେ ସଂଗେ ରାଜାଙ୍କୁ କହିଲେ, “ମହାରାଜ! ଟିକେ ଏଇ ଚିତ୍ରଟି ଦେଖନ୍ତୁ ତ’ ଚିତ୍ରରେ ଚିତ୍ରିତ ବ୍ୟକ୍ତିଟିର ଅଧା ଶରୀର କ’ଣ ଦେଖାଯାଉଛି? ଅପର ପାର୍ଶ୍ୱ ଚିତ୍ରରେ ନାହିଁ ।” ତେନାଲୀରାମାଙ୍କ ଏପରି କଥା ଶୁଣି ରାଜା କହିଲେ, “ତେନାଲୀରାମା! ତୁମ ମୁଣ୍ଡରେ କ’ଣ ସାମାନ୍ୟ ବୁଦ୍ଧି ଟିକେ ବି ନାହିଁ । ତୁମେ କ’ଣ କିଛିବି ଜାଣିପାରୁନ, ଶରୀରର ଆଉ ଅର୍ଦ୍ଧେକ ଅଂଶକୁ ଦର୍ଶକକୁ ନିଜ କଳ୍ପନା ମାଧ୍ୟମରେ ବୁଝିବାକୁ ହେବ ।”
ରାଜାଙ୍କ କଥା ଶୁଣି ତେନାଲୀରାମା କେବଳ ଚୁପ୍ ରହିଲେ । କିନ୍ତୁ ମନେ ମନେ ରାଜାଙ୍କୁ କିପରି ଠିକ୍ ଉତ୍ତର ଦେବେ ସେହି ଚିନ୍ତାରେ ରହିଲେ । ଠିକ୍ ଏକ ମାସ ପରେ ତେନାଲୀରାମା ରାଜାଙ୍କୁ କହିଲେ, “ମହାରାଜ! ମୁଁ କିଛି ଦିନ ହେବ ଚିତ୍ର ଆଙ୍କିବା ଶିକ୍ଷା କରୁଛି । ବହୁତ ବଡ ବଡ ଚିତ୍ରକରଙ୍କୁ ମଧ୍ୟ ମୁଁ ପଛରେ ପକାଇ ସାରିଲିଣି ।”