ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଚିତ୍ର ଚୋରୀ

                ଦିନେ ସୁବିଧା ସୁଯୋଗ ଦେଖି ତେନାଲୀରାମା ରାତିରେ ରାଜାଙ୍କ ବଗିଚାରେ ପଶିଲେ । ଦଶ ବାରଟି ଭଲଭଲ ବାଇଗଣ ଧରି ଘରକୁ ନେଇ ତେନାଲୀରାମା ଆସିଲେ । ତାପରେ ପତ୍ନୀ ସଂଗେ ସଂଗେ ବାଇଗଣ ତରକାରୀ ପ୍ରସ୍ତୁତ କଲେ । ତେନାଲୀରାମାଙ୍କ ପତ୍ନୀ ତରକାରୀ ଖାଇବା ପରେ କହିଲେ, “ବାଃ ବାଃ କେତେ ସ୍ୱାଦିଷ୍ଟ ଲାଗୁଛି ଏଇ ବାଇଗଣ । ମୁଁ ଯାଉଛି ଏହି ତରକାରୀରୁ କିଛି ମୋ ପୁଅ ପାଇଁ ରଖିବି ।” ଏହା ଶୁଣି ତେନାଲୀରାମା ତାଙ୍କ ପତ୍ନୀଙ୍କୁ କହିଲେ, “ଦେଖ ଏପରି ମୋଟେ କର ନାହିଁ । ଏହି ସ୍ୱାଦିଷ୍ଟ ବାଇଗଣ ତରକାରୀକୁ ଆମ୍ଭେ ଦୁଇଜଣ କେବଳ ଖାଇବା । ପୁଅର ବୟସ ବହୁତ କମ୍, କାଳେ ସିଏ କାହାକୁ କହିଦେବ ସେ ବାଇଗଣ ଖାଇଛି ।” କିନ୍ତୁ ତାଙ୍କ ପତ୍ନୀ ତ ନଛୋଡ ବଂଧା । ପୁତ୍ର ନ ଖାଇଲେ ସେ ମାଆ ହୋଇ ଖାଇବେ ବା କିପରି । ପତ୍ନୀଙ୍କ ମନ ଭାଙ୍ଗି ନପାରି ଶେଷରେ ସେ ତେନାଲୀରାମା ହଁ ଭରିଲେ । ଏଣେ କିନ୍ତୁ ତେନାଲୀରାମା ତାଙ୍କ ମନେ ମନେ ଏକ ଉପାୟ ପାଂଚିଲେ । ଦୁଇ ତିନି ବାଲ୍ଟି ପାଣିନେଇ ନିଜ ଛାତ ଉପରେ ଢାଳିଦେଲେ । ଫଳରେ ପାଣି ନିଗିଡିଯାଇ ବର୍ଷା ପଡିଲାପରି ଥପ୍ ଥପ୍ ହୋଇ ପଡିଲା । ତେନାଲୀରାମାଙ୍କ ପୁତ୍ର ତ’ ନିଦରେ ଛାତ ଉପରେ ଶୋଇଥାଏ । ଏହାପରେ ସେ ତେନାଲୀରାମା ଛାତ ଉପରୁ ତାଙ୍କ ପୁତ୍ରକୁ ଉଠାଇ ଆଣି କହିଲେ, “ବାପାରେ! ଏତେ ବର୍ଷା ହେଲାଣି, ତତେ କ’ଣ ଜଣା ପଡୁନାହିଁ । ତୋର ଲୁଗା ଜାମା ସବୁ ଓଦା ହୋଇଗଲାଣି । ଚାଲ, ଆମେ ଏଥର ତଳକୁ ଯାଇ ଲୁଗା ଜାମା ବଦଳି, ଖାଇସାରି ଶୋଇବା ।” ଏହାପରେ ବାପ, ପୁଅ ତଳକୁ ଆସି ଲୁଗା, ଜାମା ବଦଳାଇ, ବାଇଗଣ ତରକାରୀ ଖାଇ ଶୋଇଲେ ।

                ତହିଁଆରଦିନ ରାଜାଙ୍କ ବଗିଚାରୁ ବାଇଗଣ ଚୋରି ଯାଇଥିବା କଥାଟା ଜଣା ପଡିଲା । ଏମିତିକି ଚାରିଆଡେ ସେ କଥାଟା ବି ବ୍ୟାପିଗଲା । ରାଜା ମଧ୍ୟ ଯିଏ ଚୋରକୁ ଧରିପାରିବ ତାକୁ ବଡ ପୁରସ୍କାର ଦେବେ ବୋଲି ଘୋଷଣା କଲେ । ରାଜାଙ୍କ ମନ୍ତ୍ରୀ ଆପ୍ପାଜୀଙ୍କୁ କିନ୍ତୁ ତେନାଲୀରାମାଙ୍କ ଉପରେ ଭୀଷଣ ସନ୍ଦେହ ଥିଲା । ତେଣୁ ସେ ରାଜାଙ୍କୁ ନିଜର ସନ୍ଦେହ କଥା କହିଲେ । ମନ୍ତ୍ରୀଙ୍କ ମନର ସମସ୍ତ କଥା ଶୁଣି ରାଜା କହିଲେ, “ମୁଁ ଜାଣିଛି ତେନାଲୀରାମା ବହୁତ ଚତୁର ଅଟନ୍ତି । ସେ କୌଣସି ନା କୌଣସି ବାହାନା କରି ନିଶ୍ଚୟ ଖସିଯିବେ । ତେଣୁ ଆମେ ଯଦି ତା’ର ଛୋଟ ପୁଅକୁ ଡାକି ପଚାରିବା ତା’ହେଲେ ହୁଏତ ସତକଥା ନିଶ୍ଚୟ ପଦାକୁ ଆସିବ ।” ଏପରି ଚିନ୍ତା କରି ସଂଗେ ସଂଗେ ତେନାଲୀରାମାଙ୍କ ପୁତ୍ରକୁ ରାଜ ସଭାକୁ ଅଣାଗଲା । ତାପରେ ତାକୁ ମନ୍ତ୍ରୀ ପଚାରିଲେ, “ତୁମେ କାଲି ରାତିରେ କେଉଁ ତରକାରୀ ଖାଇଥିଲ?” ତହୁଁ ସେ ପୁତ୍ର କହିଲା, “କାଲି ରାତିରେ ଆମ ଘରେ ଯେଉଁ ବାଇଗଣ ତରକାରୀ ହୋଇଥିଲା ତାହା ତ ବହୁତ ସ୍ୱାଦିଷ୍ଟ ଥିଲା ।”

                 ପୁତ୍ରର ଏପରି ଉତ୍ତର ଶୁଣି ସାରିବା ପରେ ମନ୍ତ୍ରୀ ତେନାଲୀରାମାଙ୍କୁ କହିଲେ, “ତୁମ ପୁତ୍ର ଯାହା କହୁଛି ତାହା ପ୍ରମାଣ କରିଦିଏ ଯେ, ତୁମେ ହିଁ ବାଇଗଣ ଚୋରି କରିଛ । ଏହା ଶୁଣି ତେନାଲୀରାମା କହିଲେ, ‘ଜମାନୁହେଁ’ । “ମୋର ପୁତ୍ର ତ କାଲି ରାତିରେ ଖୁବ୍ ଶୀଘ୍ର ଶୋଇ ପଡିଥିଲା । ସେଥିପାଇଁ ସେ ଓଲଟା ସିଧା କଥା କହୁଛି । ସେ ବୋଧହୁଏ ସ୍ୱପ୍ନ ଦେଖିଛି । ତା’କୁ ଥରେ ପଚାରନ୍ତୁ ତ’ କାଲି ରାତିରେ ପାଗ କେମିତି ଥିଲା?” ତାପରେ ଆପ୍ପାଜୀ ପଚାରିଲେ – “କାଲି ରାତିର ପାଗ କେମିତି ଥିଲା, ଆକାଶ ସଫା ଥିଲା ନା ବର୍ଷା ହେଉଥିଲା?” ସବୁ ଶୁଣି ପୁଅ କହିଲା, “କାଲି ରାତିରେ ତ ମୂଷଳ ଧାରାରେ ବର୍ଷା ହେଉଥିଲା । ଏଥର ରାଜା ତା’ର ଉତ୍ତର ଶୁଣି କହିଲେ, କାଲି ରାତିରେ ତ’ ଗୋଟେ ବୁନ୍ଦା ପାଣି ବି ପଡିନାହିଁ ।” ଆଉ ମଧ୍ୟ ସେ ପୁତ୍ରର ଏଭଳି ଉତ୍ତର ଶୁଣି ଆପ୍ପାଜୀ କହିଲେ, ଏହି ବାଳକ ନିଶ୍ଚିତ ସ୍ୱପ୍ନ ଦେଖିଛି । ଯେମିତି ବର୍ଷା ନ ହୋଇ ବର୍ଷାକଥା କହୁଛି ଠିକ୍ ସେହିପରି ତେନାଲୀରାମା ବାଇଗଣ ଚୋରି ନ କରି ମଧ୍ୟ ପୁତ୍ର ଭୁଲ୍ ବଶତଃ ଏପରି କଥା କହିଛି । ଏହାପରେ ସେ ଆପ୍ପାଜୀ ତେନାଲିରାମାଙ୍କୁ ସନ୍ଦେହ କରିଥିବାରୁ ତାଙ୍କୁ କ୍ଷମା ମାଗିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ