“ସମୟ ଥିଲା ଯେତେବେଳେକି ଏ ଫୁଲ ବର୍ଷକୁ ଥରେ ମାତ୍ର ଫୁଟୁଥିଲା; ଏବଂ ଏହାର ସୁଗନ୍ଧି ଚାରିଆଡେ ବ୍ୟାପ୍ତ ହେଉଥିଲା । ବହୁତ ଦିନ ଧରି ତାହା ମଉଳି ନ ଯାଇ ସତେଜ ରହୁଥିଲା ସେତେବେଳେ ତୁମରି ବଂଶର ରାଜା ଚନ୍ଦ୍ରକାନ୍ତ ଏଠାରେ ରାଜ୍ୟଶାସନ କରୁଥା’ନ୍ତି । ସେ ଦୟାବାନ୍ ଓ ଖୁବ୍ ସାହସୀ ଥିଲେ । ସେଥିପାଇଁ ତାଙ୍କର ଅନେକ ସୁଖ୍ୟାତି ମଧ୍ୟ ଥିଲା । ତାଙ୍କର ଚନ୍ଦ୍ରକେତୁ ନାମକ ଜଣେ ସାନଭାଇ ମଧ୍ୟ ଥିଲେ । ସେ ରାଜାଙ୍କ ସ୍ୱଭାବର ସମ୍ପୂର୍ଣ୍ଣ ବିପରୀତ ଥିଲେ । ରାଜାଙ୍କୁ ରାଜ୍ୟଶାସନରେ ସେ ଆଦୌ ସାହାଯ୍ୟ କରୁନଥିଲେ । ସେ ବରଂ ଏପରି ସବୁ କାର୍ଯ୍ୟ କରୁଥିଲେ ଯଦ୍ୱାରା ସେ ରାଜା ବଦ୍ନାମ ହୋଇ ଯିବେ ଏବଂ ସେ ରାଜ୍ୟରୁ ଗଲେ, ସେ ନିଜେ ଯାଇ ତାଙ୍କ ଗାଦିରେ ବସିବେ । ତାଙ୍କର ସମସ୍ତ ପ୍ରକାର ଚେଷ୍ଟା ବିଫଳ ହେବାରୁ ସେ ରାଗିଯାଇ ରାଜ୍ୟ ଛାଡି ପଳାଇଲେ । ଏହାପରେ ସେ ଚାରିଆଡେ ଘୁରି ବୁଲିଲେ । ପରିଶେଷରେ ସେ ଏହି ରାଜ୍ୟର ଦକ୍ଷିଣ ଦିଗରେ ଥିବା ଗ୍ରାମରେ ଆସି ପହଁଚିଲେ । ସେଠାରେ ସେ ରହିଲେ ଓ ନାଲାମ୍ବୀ ନାମକ ତାନ୍ତ୍ରିକ ପାଖରୁ ମନ୍ତ୍ରଯନ୍ତ୍ର ସବୁ ଶିଖିଲେ । ଦିନେ ସେ ଦେଖିଲେ ନାଲାମ୍ବୀ କୌଣସି ଫୁଲ ସବୁ ଛିଡାଇ ଆଣି ଗରମ ପାଣିରେ ସେସବୁକୁ ବୁଡାଇଲା । ତା’ପରେ ସବୁଦିନେ ସେହି ପାଣିକୁ ସେ ଗରମ କରୁଥାଏ । କିଛି ଦିନ ପରେ ସେଥିରୁ ସେ ଏକ ପ୍ରକାର ସୁଗନ୍ଧିତ ତୈଳ ବାହାର କଲା ଏବଂ ଚନ୍ଦ୍ରକେତୁଙ୍କୁ ସେ କହିଲା ଯେ ଏ ତେଲ ଯାହା ଉପରେ ଛିଂଚି ଦେଲେ ସେ ନିଶ୍ଚୟ ତୁମର ବଶତା ସ୍ୱୀକାର କରିବ ଅର୍ଥାତ୍ ତାକୁ ଯାହା କହିବ ତାହା ସେ ନିଶ୍ଚୟ କରିବ । ଏକଥା ଶୁଣି ଚନ୍ଦ୍ରକେତୁ ଅନେକ ଖୁସି ହୋଇ ଭାବିଲେ ଯେ ଏହି ତେଲ ସେ ତାଙ୍କର ବଡଭାଇ ରାଜାଙ୍କ ଉପରେ ପ୍ରୟୋଗ କରି ତାଙ୍କ ରାଜ୍ୟ ଦଖଲ କରିବେ ।” ତେଣୁ ସେ ସେହି ଫୁଲକୁ ନେଇ ରାଜଧାନୀକୁ ଫେରି ଆସିଲେ । ଏକ ନିର୍ଜନ ସ୍ଥାନରେ ସେ ଫୁଲକୁ ଗରମ ପାଣିରେ ପକାଇ କିଛିଦିନ ମଧ୍ୟରେ ସେଥିରୁ ଅଦ୍ଭୁତ ତୈଳ ସେ ବାହାର କଲେ ।
ସେ ଭାବିଲେ ପ୍ରଥମେ ଜଣକୁ ପ୍ରୟୋଗ କରି ଦେଖିବେ ଫଳ କ’ଣ ହେଉଛି । ତା’ପରେ ଯାଇ ସେ ରାଜାଙ୍କ ଉପରେ ଏହାକୁ ପ୍ରୟୋଗ କରିବେ ।
ରାଜକୁମାରୀ ପଚାରିଲେ, “ତାଙ୍କ ଯୋଜନା ତ ସଫଳ ହେଲା ନାହିଁ ।” ତା’ପରେ ସେ ରାଜଗୁରୁ କିଛି ସମୟ ଭାବିବା ପରେ ପୁଣି କହିଲେ, “ତାଙ୍କ ଯୋଜନା ସଫଳ ହେଲା ନାହିଁ । ସେଇ କଥାତ ଏବେ ବୁଝାଇବାକୁ ଯାଉଛି । ଶୁଣ ସେତେବେଳେ ଭୈରବୀମାତାଙ୍କ ମନ୍ଦିରରେ କୂଳଶ୍ରେଷ୍ଠ ନାମକ ଜଣେ ପଣ୍ଡିତ ପୂଜକ ଥିଲେ । ତାଙ୍କର ଭାଗ୍ୟଶ୍ରୀ ନାମରେ ଗୋଟିଏ ସୁନ୍ଦର ଝିଅ ଥାଏ । ସେ ଦେଖିବାକୁ ଏତେ ସୁନ୍ଦର ଥିଲା ଯେ ଆକାଶର ଚନ୍ଦ୍ର ବି ତାକୁ ଦେଖି ବାଦଲ ତଳେ ଯାଇ ଲଜ୍ଜାରେ ଲୁଚି ଯାଇଥିଲା । ତାକୁ ଦେଖି ଚନ୍ଦ୍ରକେତୁ ତା’ପ୍ରତି ଅତ୍ୟନ୍ତ ମୁଗ୍ଧ ହେଲେ । ସେ ଜାଣି ନଥିଲେ କି ସେ ମନ୍ଦିର ପୂଜକର ଝିଅ । ଦିନେ ସେ ଭାଗ୍ୟଶ୍ରୀ ନିଜର ସାଥୀ ଝିଅମାନଙ୍କ ସହିତ ନଦୀରେ ସ୍ନାନ କରି ମନ୍ଦିର ଆଡକୁ ଯାଉଛି ଠିକ୍ ଏହି ସମୟରେ ଚନ୍ଦ୍ରକେତୁ ବୁଦା ପଛରେ ଲୁଚି ଲୁଚି ତେଲ ଛିଂଚିଲେ । ପରମୁହୂର୍ତ୍ତରେହିଁ ଭାଗ୍ୟଶ୍ରୀ ଚିତ୍କାର କରି ଇଆଡେ ସିଆଡେ ଦୌଡିଲା । ତା’ର ସାଙ୍ଗ ଝିଅମାନେ ଏଥିରୁ ଆଦୌ କିଛି ବି ବୁଝିପାରିଲେ ନାହିଁ । ତାକୁ ଧରିବାକୁ ଚେଷ୍ଟା କଲେ । ଆଉ କେତେକ ଝିଅ ମନ୍ଦିରକୁ ଯାଇ ଏକଥା ତା’ର ବାପାଙ୍କୁ କହିଲେ । ତା’ପରେ କେତେକ ଝିଅ ଦେଖିଲେ ଯେ ଜଣେ ଲୋକ ଛୋଟ ପାତ୍ରଟିଏ ଓ କିଛି ପତ୍ର ଧରି ବୁଦା ଉହାଡରୁ ବାହାରି ପଳାଉଛି । ସେ ଲୋକକୁ ସନ୍ଦେହ କରି ଝିଅମାନେ ଚିତ୍କାର କରିବାରୁ ଅନ୍ୟ ଲୋକମାନେ ଆସି ତାକୁ ଧରି ମନ୍ଦିରକୁ ଆଣିଲେ ।”
କୁଳଶ୍ରେଷ୍ଠ ତ ସେତେବେଳକୁ ଦେବୀ ମୂର୍ତ୍ତିଙ୍କର ପୂଜା ପାଇଁ ପ୍ରସ୍ତୁତ ହେଉଥା’ନ୍ତି । ଝିଅମାନଙ୍କର ଏପ୍ରକାର ଆର୍ତ୍ତନାଦ ଶୁଣି ସେ ବାହାରକୁ ଆସି ଏସବୁ ଘଟଣା ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ । ସେ ନିଜ ଝିଅ ପାଖକୁ ଯାଇ, ତା’ର କାନ୍ଧ ଉପରେ ହାତ ରଖି ତାକୁ ପଚାରିଲେ “ଭାଗ୍ୟଶ୍ରୀ, ତୋର କ’ଣ ହେଲା?” ମାତ୍ର ସେତେବେଳକୁ ସେ ଭାଗ୍ୟଶ୍ରୀ କିଛି ବି କହିପାରୁ ନଥିଲା । ସେହି ସମୟରେ ତାହାର ହାବଭାବ ବଡ ବିଚିତ୍ର ଥିଲା । ସେ ମୁହଁ ଖୋଲି ପାରୁ ନଥିଲା । ଯେପରିକି ତା’ର ଇନ୍ଦ୍ରିୟମାନେ ତା’ର ବଶରେ ଆଦୌ ନଥିଲେ । ସେ ଏପଟ ସେପଟ ଦେଖିଲା ଓ ତା’ପରେ ସେ ମୂର୍ଚ୍ଛା ହୋଇ ପଡିଗଲା । ତା’ର ସାଥିମାନେ କହିଲେ, “ଆମେ ଯେତେବେଳେ ନଦୀରୁ ସ୍ନାନ କରି ଫେରୁଥିଲୁ, ଠିକ୍ ସେହି ସମୟରେ ଏହି ଲୋକଟି କାହୁଁ ଆସି ଭାଗ୍ୟଶ୍ରୀ ଉପରେ କ’ଣ ସବୁ ଛିଂଚି ଦେଲା । ସେହି ସମୟରୁ ସେ ପାଗଳ ପରି ବ୍ୟବହାର କରୁଛି ।”
ପୂଜକ ସେ ଲୋକଟି ପାଖକୁ ଯାଇ ତାକୁ ପଚାରିଲେ, “କିଏ ତୁମେ? ମୋ ଝିଅ ଉପରେ କ’ଣ ପ୍ରୟୋଗ କରି ତାକୁ ଏପରି ପାଗଳ କରିଦେଲ?”
ଚନ୍ଦ୍ରକେତୁ କହିଲେ “ମହାତ୍ମା, ମୁଁ ଜାଣି ନଥିଲି କି ସେ ଆପଣଙ୍କ ଝିଅ ବୋଲି । ଅଜ୍ଞାନବଶତଃ ମୁଁ ଏଭଳି ଘୋର୍ ଅପରାଧ କରିଛି । ଜଣେ ପାହାଡି ଲୋକର କଥା ଅନୁସାରେ ମୁଁ ଏକପ୍ରକାର ଫୁଲରୁ କିଛି ସୁଗନ୍ଧି ତେଲ ବାହାର କରିଛି । ମୁଁ ସେ ତେଲର ପ୍ରଭାବ ଜାଣିବା ପାଇଁ ତାହା ଆପଣଙ୍କ ଝିଅ ଉପରେ ଛିଂଚି ଥିଲି । ହେଲେ ମୁଁ କୌଣସି ମନ୍ଦ ଉଦ୍ଧେଶ୍ୟ ନେଇ ଏସବୁ କାମ କରିନାହିଁ ।”
ପୂଜାରୀ ତାଙ୍କକଥା ଅଧା ଶୁଣି ଏବେ ସେ ମନ୍ଦିର ଭିତରକୁ ଗଲେ । ଦେବୀମୂର୍ତ୍ତିଙ୍କ ଗଳାରେ ଥିବା ପୁଷ୍ପହାର ନେଇ ସେ ବାହାରକୁ ଆସିଲେ, ସେ କହିଲେ, “ଭୈରବୀ ମାତା, ତୁମେ ତ ଜାଣ କେବଳ ତୁମେହିଁ ମୋର ଜୀବନର ଆଧାର । ଲୋକ କଲ୍ୟାଣ ଯୋଗୁଁ ମୁଁ ତୁମର ପୂଜା କରୁଛି । ଆଜି ପର୍ଯ୍ୟନ୍ତ ତ କେବେ ହେଲେବି ମୁଁ ମୋ ନିଜ ପାଇଁ ତୁମକୁ କିଛି ବି ମାଗିନାହିଁ । କିନ୍ତୁ ଏବେ ତୁମେ ନିଜେ ଦେଖ ମୋର ଗୋଟିଏ ମାତ୍ର ଝିଅ ଉପରେ ଏସବୁ କ’ଣ କ’ଣ ଘଟିଯାଉଛି । ତା’ର ସୁରକ୍ଷାର ଭାର ତୁମରି ଉପରେ ଅଛି । ମୋ ଝିଅର ଏପରି ଅବସ୍ଥା ସୃଷ୍ଟି କରିଥିବା ନରାଧମ ଯୁବକଙ୍କର ମୃତ୍ୟୁ ହେଉ । ଏହି ପୁଷ୍ପ ଆଉ କେବେହେଲେ ମଧ୍ୟ ବିକଶିତ ନ ହେଉ ଯାହା ଯୋଗୁଁ ତୁମ ଭକ୍ତର ଝିଅ ଆଜି ଏତେ ବଡ ବିପତ୍ତିରେ ପଡିଛି ।” ଏହିଭଳି ଭାବେ କ୍ରୋଧରେ ଥରି ଥରି ସେ ପୂଜକ ଚନ୍ଦ୍ରକେତୁକୁ ଅଭିଶାପ ଦେଲେ ।
ପରମୁହୂର୍ତ୍ତରେ ଦେବୀମାତା ସେଠାରେ ପ୍ରକଟିତ ହୋଇ ଅଳ୍ପ ହସି କହିଲେ, “ବତ୍ସ, ମୁଁ ତୋର ପ୍ରାର୍ଥନା ଶୁଣିଛି । ତୋ ଝିଅର କୌଣସି ପ୍ରକାରରେ ଆଦୌ କିଛି ବି କ୍ଷତି ହେବ ନାହିଁ । ସେ ଯଥାଶୀଘ୍ର ସୁସ୍ଥ ହୋଇଯିବ । ଏପରି କର୍ମ ଯିଏବି କଲା, ତାକୁ ତ ତୁ ନିଜ ମୁହଁରେହିଁ ନର ରାକ୍ଷସ ବୋଲି କହି ସାରିଛୁ । ସେ ସତରେ ତାହାହିଁ ହୋଇଯିବ । ଏହି ପୁଣ୍ୟ ଭୂମିରେ ସେ ଆଉ କଦାପି ମଧ୍ୟ ରହି ପାରିବ ନାହିଁ । ଏହି ଦୁଷ୍ଟର ପାପପୂର୍ଣ୍ଣ ଉପଯୋଗ ଯୋଗୁଁ, ଏ ଫୁଲ ତୁମର କଥା ଅନୁସାରେ ନିକଟ ଭବିଷ୍ୟତରେ ଆଉ କେବେବି ଫୁଟିବ ନାହିଁ । ମାତ୍ର ଭବିଷ୍ୟତରେ ଫୁଟିବ, କିନ୍ତୁ ପ୍ରକୃତି ସହିତ ବିରୁଦ୍ଧ ବ୍ୟବହାର କରିବା ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇ ଭୀଷଣ କଷ୍ଟ ପାଇବେ ।”